Home General ଉତ୍କଳ ସମ୍ମିଳନୀ ପାଳିବ ୧୨୦ବର୍ଷ ପୂର୍ତ୍ତି

ଉତ୍କଳ ସମ୍ମିଳନୀ ପାଳିବ ୧୨୦ବର୍ଷ ପୂର୍ତ୍ତି

ଭୁବନେଶ୍ୱର : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍କଳ ଗୌରବ ମଧୁସୂଦନଙ୍କ ମାନସ ପୁତ୍ର ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନର ୧୨୦ବର୍ଷ ପ୍ରତିପାଳନ ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର ମାସରେ ଏଥିପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ।

ଏ ସଂକ୍ରାନ୍ତରେ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଆ ଅସ୍ମିତା ଓ ଗୌରବର ସ୍ମୃତି ରୋମନ୍ଥନ ସହ ଯେଉଁ ମହାପୁରୁଷମାନଙ୍କ ସଂଗ୍ରାମ ଓ ସାଧନା ଫଳରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହେଲା ସେମାନଙ୍କ ଅବଦାନ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବା ସହ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ଶିଳ୍ପ, ଜୀବନଶୈଳୀ ସମେତ ରାଜ୍ୟର ଆର୍ଥିକ, ସାମାଜିକ, ସାଂସ୍କୃତିକ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ପ୍ରସ୍ତାବ ଆହ୍ୱାନ କରାଯିବ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୦୩ ମସିହା ଡିସେମ୍ବର ମାସରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନଙ୍କ ଆହ୍ୱାନ କ୍ରମେ ସେତେବେଳେ ଖଣ୍ଡବିଖଣ୍ଡିତ ଓଡ଼ିଶାର ପ୍ରତିନିଧିମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ପକାଇଥିଲେ । ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟଙ୍କ ସମେତ ବହୁ ରାଜା ମହାରାଜା ଏହି ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ତାଙ୍କ ସତୀର୍ଥମାନେ ବି ଏହି କାର୍ଯ୍ୟକ୍ରମରେ ଯୁବକ ଅବସ୍ଥାରେ ସାମିଲ ହୋଇଥିଲେ ।

୨୦୩୬ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂରିବାକୁ ଯାଉଛି । ଏହା ପୂର୍ବରୁ ପ୍ରଥମ ଉତ୍କଳ ସମ୍ମିଳନୀର ୧୨୦ବର୍ଷ ପ୍ରତିପାଳନ ମାଧ୍ୟମରେ ନୂଆ ପିଢିଙ୍କ ଭିତରେ ନବଜାଗରଣ ସୃଷ୍ଟି କରିବା ହେହଛି ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ । ଏଥିପାଇଁ ଆଜି ଡ. ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଓ ଦେବେନ୍ଦ୍ର ରାଉତଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି କମିଟି ଗଠନ କରାଯାଇଛି ।

ଦଳମତ ନିର୍ବିଶେଷରେ ସବୁ ପ୍ରଗତିକାମୀ ଓଡ଼ିଆମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଯେଭଳି ସଫଳ ହେବ ସେଥିଲାଗି ଅଭ୍ୟର୍ଥନା କମିଟି ସହିତ ଅନ୍ୟ ଉପକମିଟିମାନ ମଧ୍ୟ ଗଢାଯାଉଛି ।

ବିଭିନ୍ନ ପ୍ରଦେଶରେ ରହିଥିବା ଓଡିଆ ଭାଷାଭାଷୀ ଅଞ୍ଚଳର ବହୁ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ଅଛି । ଏହାଛଡା ଯେଉଁ ସବୁ ସ୍ଥାନରେ ଉତ୍କଳ ସମ୍ମିଳନୀର ଅଧିବେଶନମାନ ଅନୁଷ୍ଠିତ ହୋଇଥିଲା ସେଠାରେ ବି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଏହି ଅବସରରେ ଓଡ଼ିଶାର ଭବିଷ୍ୟତକୁ ଆଖି ଆଗରେ ରଖି ଅତୀତର ଗୌରବାବହ ଘଟଣାବଳୀର ସଂଗୃହୀତ ତଥ୍ୟ ଆଧାରରେ ଏକ ସୁଦୃଶ୍ୟ ସ୍ମରଣିକା ବି ପ୍ରକାଶ ପାଇବ । ଏହାଛଡ଼ା ରାଜ୍ୟର ସାରସ୍ୱତ ସାଧକ ତଥା ସମାଜସେବୀ, ଶିକ୍ଷାବିତ୍‍, ଯୁବ, ଛାତ୍ର, ମହିଳା ଓ ବୁଦ୍ଧିଜୀବୀମାନଙ୍କୁ ଯେପରି ଅଧିକରୁ ଅଧିକ ସଂଖ୍ୟାରେ ଯୋଡାଯିବ ସେଦିଗରେ ମଧ୍ୟ ଏହି ସମ୍ମିଳନୀ କାର୍ଯ୍ୟ କରିବ ବୋଲି ଉଦ୍ୟୋକ୍ତାମାନେ କହିଛନ୍ତି । (ତଥ୍ୟ)