Home News in Odia ଉତ୍କଳ ସମ୍ମିଳନୀ କେଉଁ ଗୋଷ୍ଠୀ କବ୍‍ଜାରେ

ଉତ୍କଳ ସମ୍ମିଳନୀ କେଉଁ ଗୋଷ୍ଠୀ କବ୍‍ଜାରେ

ଭୁବନେଶ୍ୱର : ଭାଷା ଭିତ୍ତିରେ ରାଜ୍ୟ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନ୍ୟ ଓଡ଼ିଆ ପ୍ରାଣମାନେ ଗଠନ କରିଥିବା ଉତ୍କଳ ସମ୍ମିଳନୀ ଏବେ ତାହାର ଗରିମା ହରାଇ ଗୋଷ୍ଠୀ କନ୍ଦଳରେ ଛନ୍ଦି ହୋଇଛି । ତିନୋଟି ଗୋଷ୍ଠୀରେ ବିଭାଜିତ ଏହି ସଂଗଠନର ସମସ୍ୟା କମିବା ପରିବର୍ତ୍ତେ ଏବେ ଗୋଟିଏ ଗୋଷ୍ଠୀ ପକ୍ଷରୁ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବଢ଼ିବାରେ ଲାଗିଛି ।

ଉତ୍କଳ ସମ୍ମିଳନୀର ଗୋଟିଏ ଗୋଷ୍ଠୀର ସଭାପତି ଅଛନ୍ତି ଅଦୈତ୍ୟ ଚରଣ ପାତ୍ର । ତାଙ୍କ ଗୋଷ୍ଠୀ ପକ୍ଷରୁ ଏବେ ଦଶପଲ୍ଲାଠାରେ ସମ୍ମିଳନୀର ଅଧିବେଶନ କରାଯାଇ ତାଙ୍କ ସମେତ ଅନ୍ୟ ପୂର୍ବ କାର୍ଯ୍ୟକର୍ତ୍ତାମାନଙ୍କୁ ଆଉଥରେ ସଂଗଠନ ଦାୟିତ୍ୱରେ ରଖାଯାଇଛି । ହୋହାଲ୍ଲା ଭିତରେ ସଂପୂର୍ଣ୍ଣ ହୋଇଥିବା ଏହି ସମ୍ମିଳନୀରେ ମତଦାନ ହୋଇପାରି ନାହିଁ ।

ଡ. ପାତ୍ର ସଭାପତି ଥିବା ଉତ୍କଳ ସମ୍ମିଳନୀ ସଂଗଠନଟି ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଥିବା ତାଙ୍କ ଘରେ ଚାଲୁଛି । ଅନ୍ୟପକ୍ଷରେ ଏଜି ଓ ରାଜମହଲ ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ୟୁନିଟ୍‍-୨ର ଏକ ସରକାରୀ କ୍ୱାଟର୍ସରେ ଅନ୍ୟ ଗୋଷ୍ଠୀର ଉତ୍କଳ ସମ୍ମିଳନୀ ଚାଲୁଛି । ଉତ୍କଳ ସମ୍ମିଳନୀ ନାମରେ ଦିଆଯାଇଥିବା ଏହି ସରକାରୀ ଘରକୁ ଗୋଟିଏ ଗୋଷ୍ଠୀ କବଳିତ କରି ରଖିଥିବା ବେଳେ ତୃତୀୟ ଗୋଷ୍ଠୀ ପାଇଁ ସରକାର ଭୁବନେଶ୍ୱରର ୬ ନମ୍ବର ୟୁନିଟ୍‍ ଅଞ୍ଚଳରେ ଅନ୍ୟ ଏକ ସରକାରୀ ବାସଗୃହ ଯୋଗାଇ ଦେଇଛନ୍ତି ।

ପୂର୍ବରୁ ଉତ୍କଳ ସମ୍ମିଳନୀର ଅସଲି ଓ ନକଲି ସଂଗଠନ କିଏ ସେଥିଘେନି ଦୀର୍ଘଦିନ ଧରି ଅଦାଲତି ଲଢ଼େଇ ଚାଲିବା ପର୍ଯ୍ୟନ୍ତ କଥା ଯାଇଥିଲା । ଏବେ ଦଶପଲ୍ଲା ଅଧିବେଶନ ପରେ ଏ ସଂକ୍ରାନ୍ତରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଗୋଷ୍ଠୀର ସାଧାରଣ ସଂପାଦକ ଭାବେ ଜଣେ ବ୍ୟକ୍ତି ପ୍ରାୟ ୨୦ବର୍ଷ ଧରି ରହିଛନ୍ତି । ଅନ୍ୟ ଗୋଷ୍ଠୀର ସଭାପତି ବି ଦୀର୍ଘବର୍ଷ ଧରି ନିଜ ପଦବୀ ବଜାୟ ରଖିଛନ୍ତି । ଏଭଳି ସ୍ଥିତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖାର ସଭାପତି ଭାବେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ୧୦ବର୍ଷରୁ ଅଧିକ ସମୟ ଧରି ନିଜ ପରିଚିତି ଜାହିର କରି ଆସୁଛନ୍ତି ।

ଉତ୍କଳ ସମ୍ମିଳନୀକୁ ଗୋଷ୍ଠୀ ବିବାଦରୁ ମୁକ୍ତ କରି ଏହାକୁ ପୁଣି ଉତ୍କଳବାସୀଙ୍କ ଜାତୀୟ ସଂପତ୍ତିରେ ପରିଣତ କରିବା ଲାଗି ଇତିମଧ୍ୟରେ ବହୁ ଆଜୀବନ ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତି ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ଗାଦି ମାଡ଼ି ବସିବା ପାଇଁ ଅଡି ବସିଥିବା କିଛି କର୍ମକର୍ତ୍ତା ଏହା କରାଇ ଦେଉନଥିବା ଘେନି ଗୁରୁତର ଅଭିଯୋଗ ଆସୁଛି ।

ସମ୍ମିଳନୀର କେତେକ ପୁରୁଖା ଆଜୀବନ ସଦସ୍ୟ ଅଭିଯୋଗ କରୁଛନ୍ତି ଯେ ଅନ୍ୟ ରାଜ୍ୟରେ ରହିଯାଇଥିବା ଓଡ଼ିଆଭାଷଭାଷୀ ଅଞ୍ଚଳରେ ଓଡ଼ିଆ ଭାଷା ଓ ଶିକ୍ଷାର ସୁରକ୍ଷା ତଥା ବିକାଶ ଲାଗି ରାଜ୍ୟ ସରକାର ଉତ୍କଳ ସମ୍ମିଳନୀକୁ ଦେଉଥିବା ମୋଟା ଅନୁଦାନକୁ କେନ୍ଦ୍ର କରି ଏଭଳି ଗୋଷ୍ଠୀ ବିବାଦ ଲାଗି ରହିଛି । ଗୋଟିଏ ପଟେ ଛତିଶଗଡ଼ ମହାନଦୀର ତଣ୍ଟି ଚିପିଦେଉଥିବାବେଳେ ଅନ୍ୟପଟେ ଆନ୍ଧ୍ର ପ୍ରଦେଶ କୋଟିଆ ଉପରେ ଘନଘନ ଚଢ଼ଉ ଜାରି ରଖିଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବି ମଝିରେ ମଝିରେ ତୋଡ଼ ଦେଖାଉଛନ୍ତି । ଏଭଳି ସ୍ଥିତିରେ ପଡ଼ୋଶୀ ରାଜ୍ୟରେ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ରାଜଧାନୀରେ କିନ୍ତୁ ଉତ୍କଳ ସମ୍ମିଳନୀର ଅସଲ ନେତା ହେବା ପାଇଁ ଚୌକିଟଣା ସଂଘର୍ଷ ଚାଲୁଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ମଧୁବାବୁ ସଭାପତି ନଥିଲେ । ସେ ୧୯୧୩ର ପୁରୀ ଓ ୧୯୧୮ର କଟକ ଅଧିବେଶନରେ ସଭାପତି ହୋଇଥିଲେ । ସମ୍ମିଳନୀର କର୍ମକର୍ତ୍ତାମାନେ ଅନ୍ତତଃପକ୍ଷେ ଏହାର ପ୍ରତିଷ୍ଠାତା ମଧୁବାବୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ପଦବୀ ଲାଗି ନିଜ ନିଜ ଭିତରେ ଲଢ଼େଇ ନକରି ଓଡ଼ିଆଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରିବାକୁ ବହୁ ନିରପେକ୍ଷ ଓ ପୁରୁଣା ଆଜୀବନ ସଦସ୍ୟ ମତବ୍ୟକ୍ତ କରୁଛନ୍ତି ।