ଭୁବନେଶ୍ୱର : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଦ୍ୟ ଯଜ୍ଞଶାଳ ଉତ୍କଳ ସମ୍ମିଳନୀର ୧୨୦ତମ ବର୍ଷ ପୂର୍ତ୍ତି ଲାଗି ରାଜ୍ୟ ଭିତରେ ଓ ବାହାରେ ଆୟୋଜନ ଚାଲିଛି । ଏ ପରିପ୍ରେକ୍ଷୀରେ କଟକ ମହାନଗରରେ ଏବର୍ଷ ଡିସେମ୍ବର ୩୦ ଓ ୩୧ ତାରିଖରେ ଦୁଇଦିନ ଧରି ଅନୁଷ୍ଠିତ ହେବ ଓଡ଼ିଆ ଅସ୍ମିତା ସମ୍ମିଳନୀ । ଏଥିଲାଗି ମାଟି ମନସ୍କ ବହୁ ବ୍ୟକ୍ତିଙ୍କ ସମ୍ମିଳିତ ପ୍ରୟାସରେ ଓଡ଼ିଆ ଜାତିର ଆଉ ଏକ ମହାମିଳନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ବ୍ରିଟିଶ ଶାସନ ସମୟରେ ଓଡ଼ିଶାକୁ ଭାଗ ଭାଗ କରାଯାଇ ଚାରୋଟି ରାଜ୍ୟରେ ବାଣ୍ଟି ରଖାଯାଇଥିଲା ଏବଂ ଏହାଛଡ଼ା ଗଡ଼ଜାତ ଅଞ୍ଚଳରେ ରାଜାରାଜୁଡ଼ାଙ୍କ ଶାସନ ଚାଲୁଥିଲା । ଖଣ୍ଡ ବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଗୁଡିକୁ ଏକତ୍ରିତ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦ୍ୟମ କ୍ରମେ ୧୯୦୩ ମସିହାରେ କଟକରେ ଉତ୍କଳ ସମ୍ମିଳନୀର ଐତିହାସିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବସ୍ତୁତଃ ଏହି ସମ୍ମିଳନୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ନିର୍ମାଣ ପାଇଁ ମୂଳଦୁଆ ପଡିଥିଲା ।
ଉତ୍କଳ ସମ୍ମିଳନୀ ସହ ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବାମଣ୍ଡାର ରାଜା ସୁଢଳ ଦେବ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର ରାୟ, ବରିଷ୍ଠ ଆଇନଜ୍ଞ ବ୍ରଜସୁନ୍ଦର ଦାସ ଓ ଗୋକୁଳାନନ୍ଦ ଚୌଧୁରୀ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଭାଗିରଥୀ ମହାପାତ୍ରଙ୍କ ସମେତ ବହୁ ମାଟିମନସ୍କ ଯୋଡି ହୋଇଥିଲେ । ଏମିତିକି ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷାକୁ ଲୋପ କରି ହିନ୍ଦୀ ଭାଷା ଚଳାଇବା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଓଡିଆ ପରିବର୍ତ୍ତେ ଅନ୍ୟାନ୍ୟ ଭାଷାକୁ ପ୍ରାଧାନ୍ୟ ଦେବାପାଇଁ ଯେଉଁ ଷଡଯନ୍ତ୍ର ଚାଲିଥିଲା ତାହା ବିରୁଦ୍ଧରେ ଉତ୍କଳ ସମ୍ମିଳନୀର ଯୋଦ୍ଧାମାନେ ନିରନ୍ତର ଲଢେଇ ଜାରି ରଖିଥିଲେ ।
ଯାହାର ଫଳସ୍ୱରୂପ ୧୯୩୬ ଏପ୍ରିଲ୍ ପହିଲାରେ ବର୍ତ୍ତମାନର ଅବିଭକ୍ତ କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାକୁ ନେଇ ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା । ସ୍ୱାଧୀନତା ପରେ ଗଡ଼ଜାତ ମିଶ୍ରଣ ଯୋଗୁ ବର୍ତ୍ତମାନର ଓଡ଼ିଶା ମାନଚିତ୍ର ଜନ୍ମ ନେଇଥିଲା । ଏହାସତ୍ତ୍ୱେ ବି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ର ଆଦି ରାଜ୍ୟରେ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରହିଯାଇଛି ।
ଓଡ଼ିଆ ଜାତିର ଏହି ସଂଘର୍ଷର ଗାଥାକୁ ଯୁବପିଢିଙ୍କ ନିକଟରେ ପହଞ୍ଚାଇବା ଲାଗି କେତେକ ଓଡ଼ିଆ ପ୍ରେମୀଙ୍କ ଉଦ୍ୟମରେ ସ୍ୱାଭିମାନରୁ ସ୍ୱାବଲମ୍ବନର ଯାତ୍ରା ଲାଗି ଏକ ସଶକ୍ତ ବାତାବରଣ ସୃଷ୍ଟି ପାଇଁ ଓଡ଼ିଆ ଅସ୍ମିତା ସମ୍ମିଳନୀର ଆୟୋଜନ କରାଯାଉଛି । ଏହି ପର୍ବ ପ୍ରତ୍ୟକ ଓଡ଼ିଆଙ୍କ ପାଇଁ ଓ ଓଡ଼ିଆଙ୍କ ଦ୍ୱାରା ଅନୁଷ୍ଠିତ ହେବ । ଇତିମଧ୍ୟରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଅସ୍ମିତା ସମ୍ମିଳନୀ ଲାଗି ପ୍ରାକ୍ ଅଧିବେଶନମାନ ଚାଲିଛି । ଏମିତିକି ବିଦେଶରେ ରହୁଥିବା ଓଡ଼ିଆମାନେ ନିଜ ନିଜ କ୍ଷେତ୍ରରେ ଏହି ଇତିହାସର ରୋମନ୍ଥନ କରିବେ । ଓଡ଼ିଆ ଅସ୍ମିତା ସମ୍ମିଳନୀ ଲାଗି ଇତିମଧ୍ୟରେ ଏକ ପ୍ରସ୍ତୁତି କମିଟି ଗଠନ କରାଯାଇଛି ଏବଂ ଏହି ଅବସରରେ ସ୍ୱତନ୍ତ୍ର ସ୍ମରଣୀକା ମଧ୍ୟ ପ୍ରକାଶ ପାଇବାକୁ ଯାଉଛି । ଦଳମତ ନିର୍ବିଶେଷରେ ଓଡ଼ିଆ ଜାତିର ଏହି ଗଣପର୍ବରେ ସାମିଲ ହେବାପାଇଁ ଓଡ଼ିଆ ଅସ୍ମିତା ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଲଗାତର ମାନସ ମନ୍ଥନ କରାଯାଇ ବିଭିନ୍ନ ପ୍ରାନ୍ତରେ ସ୍ୱାଭିମାନରୁ ସ୍ୱାବଲମ୍ବନର ଯାତ୍ରା ଲାଗି ଚର୍ଚ୍ଚା ହେବ ବୋଲି ସମ୍ମିଳନୀର ଉଦ୍ୟୋକ୍ତାମାନେ କହିଛନ୍ତି । (ତଥ୍ୟ)