ଭୁବନେଶ୍ୱର : ଓଡ଼ିଆମାନଙ୍କୁ ଏକତ୍ରିତ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ଗଢ଼ାଯାଇଥିବା ଉତ୍କଳ ସମ୍ମିଳନୀ ଏବେ ଦୁଇ ଭାଗରେ ବିଭକ୍ତ ହେବା ସହ ଗୋଷ୍ଠୀ ବିବାଦ ତୀବ୍ରତର ହୋଇଛି । ଏଥିଘେନି ସମ୍ମିଳନୀର ବହୁ ଆଜୀବନ ସଦସ୍ୟ କ୍ଷୋଭ ପ୍ରକାଶ କରିବା ସଂଗେସଂଗେ ଉଭୟ ଗୋଷ୍ଠୀର କର୍ମକର୍ତ୍ତାମାନେ ନିଜ ନିଜ ପଦପଦବୀରୁ ଓହରିଯାଇ ନୂଆ ନେତୃତ୍ୱକୁ ସଂଗଠନର ମଙ୍ଗ ଧରିବା ପାଇଁ ସୁଯୋଗ ଦେବାକୁ ଦାବି କରୁଛନ୍ତି ।
ଗତକାଲି ଉତ୍କଳ ଗୌରବ ମଧୁସୂଦନଙ୍କ ପବିତ୍ର ପୁଣ୍ୟ ତିଥି ଅବସରରେ ଉତ୍କଳ ସମ୍ମିଳନୀର ଏହି ଗୋଷ୍ଠୀ ବିବାଦ ରାଜରାସ୍ତାରେ ଜଳଜଳ ହୋଇ ଦେଖାଯାଇଥିଲା । ଦୁଇଟି ଗୋଷ୍ଠୀ ପୃଥକ ପୃଥକ ଭାବେ ରାଜଭବନ ଛକ ନିକଟରେ ଥିବା ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ କରିଥିଲେ । ଗୋଟିଏ ଗୋଷ୍ଠୀରେ ଭୃଗୁ ବକ୍ସିପାତ୍ର, ଅନନ୍ତ ପ୍ରସାଦ ଜେନା, ଦିଲ୍ଲୀପ ଦାସ ଶର୍ମା, ପଦ୍ମଚରଣ ନାୟକ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିବାବେଳେ ଅନ୍ୟ ଗୋଷ୍ଠୀରେ ରାଧାନାଥ ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ଦାସ, କାଶୀନାଥ ରଥ, ବାନାମ୍ବର ପରିଡ଼ା, ଜିତେନ୍ଦ୍ର କୁମାର ପାଢ଼ୀ ଆଦି ଉପସ୍ଥିତ ଥିଲେ ।
ଉତ୍କଳ ସମ୍ମିଳନୀର ଏହି ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏମିତିକି ବେଳେବେଳେ ଉଗ୍ର ଗୋଷ୍ଠୀ ବିବାଦ ପ୍ରସଂଗ ଥାନା-ଫାଣ୍ଡିରୁ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଉଛି । ଭଭୟ ଗୋଷ୍ଠୀରେ ସ୍ୱଳ୍ପ ସଂଖ୍ୟକ ଆଜୀବନ ସଦସ୍ୟ ସମର୍ଥକ ଥିବାବେଳେ ସଂଖ୍ୟା ଆଜୀବନ ସଦସ୍ୟ କିନ୍ତୁ ଏହି ଦୁଇ ଗୋଷ୍ଠୀଙ୍କଠାରୁ ଦୂରେଇ ରହୁଛନ୍ତି । ବିବାଦ ବଢ଼ିବଢ଼ି ଚାଲୁଥିବା ପରିପ୍ରେକ୍ଷୀରେ ଉତ୍କଳ ଗୌରବ ମଧୁସୂଦନଙ୍କ ସମ୍ମାନ ଓ ସ୍ୱାଭିମାନ ସୁରକ୍ଷା ସହିିତ ଉତ୍କଳ ସମ୍ମିଳନୀକୁ ଗୋଷ୍ଠୀ କନ୍ଦଳରୁ ମୁକ୍ତି କରିବା ପାଇଁ ଆଜି ଆଇଆରସି ଭିଲେଜ୍ରେ ଏକ ବୈଠକ ହୋଇଛି । ଏଭଳି ଗୋଷ୍ଠୀ ବିବାଦ ରାଜ୍ୟପାଇଁ କ୍ଷତିକାରକ ହୋଇଥିବାରୁ କିଛି ବୟୋଜ୍ୟୋଷ୍ଠ ବୁଦ୍ଧିଜୀବୀ ଉତ୍କଳ ସମ୍ମିଳନୀର ଏକତ୍ରିତ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି । ତେବେ ଏମାନଙ୍କ ଉଦ୍ୟମ କେତେଦୂର ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡିବ ।
ଅବରସପ୍ରାପ୍ତ ଆଇଏଏସ୍ ରଘୁନାଥ ମିଶ୍ର, କମାଣ୍ଡର ନନ୍ଦକିଶୋର ସାମଲ, ଜଗବନ୍ଧୁ ଷଡ଼ଙ୍ଗୀ, ଅମିତ ପ୍ରସାଦ ସାହୁ, ଡ. ପ୍ରଫୁଲ୍ଲ ରଥ ପ୍ରମୁଖ ଏହି ବୈଠକ ଆହ୍ୱାନ କରିଛନ୍ତି । ତେବେ ପରସ୍ପର ବିରୋଧୀ ଦୁଇଟିଯାକ ଗୋଷ୍ଠୀ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।
ୟୁନିଟ୍-୨ ଅଞ୍ଚଳରେ ଥିବା ଉତ୍କଳ ସମ୍ମିଳନୀର କାର୍ଯ୍ୟାଳୟର ଫାଟକରେ ମାସମାସ ଧରି ତାଲା ଝୁଲୁଛି । ଅନ୍ୟପକ୍ଷରେ ୟୁନିଟ-୬ ଅଞ୍ଚଳରେ ଆଉ ଗୋଟିଏ ଗୋଷ୍ଠୀ ଉତ୍କଳ ସମ୍ମିଳନୀ ନାମରେ ରାଜ୍ୟ ସରକାରଙ୍କଠାର ଏକ ସରକାରୀ ବାସଗୃହ ହାତେଇବାରେ ସମର୍ଥ ହୋଇଛନ୍ତି । ବସ୍ତୁତଃ ସମ୍ମିଳନୀର ପଦପଦବୀ ଲାଗି ବର୍ଷବର୍ଷ ଧରି ଚାଲୁଥିବା ଗୋଷ୍ଠୀ କନ୍ଦଳ ଯୋଗୁ ଏବେ ଏହି ସଂଗଠନର ପ୍ରମୁଖ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ଦୁଇ ଗୋଷ୍ଠୀ ରାଜଧାନୀରେ ପରସ୍ପର ବିରୋଧରେ ଲଢ଼େଇରେ ମାତିଛନ୍ତି ଏବଂ ସମ୍ମିଳନୀର ବର୍ଷବର୍ଷ ଧରି କର୍ମକର୍ତ୍ତା ରହି ସମ୍ବାଦପତ୍ରରେ କେବଳ ନିଜ ନାମ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ବୋଲି ନିରପେକ୍ଷ ଆଜୀବନ ସଦସ୍ୟମାନେ ଅଭିଯୋଗ କରୁଛନ୍ତି ।
ମଧୁବାବୁଙ୍କ ପୁଣ୍ୟ ତିଥି ଅବସରରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ୟୁନିଟ୍-୬ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଶ୍ରାଦ୍ଧ ଉତ୍ସବ ସଭା ଅନୁଷ୍ଠିତ ହୋଇଛି । ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ସେମମାନଙ୍କ କାର୍ଯ୍ୟାଳୟରେ ସମାନ୍ତରାଳ ସ୍ମୃତି ସଭା କରାଯାଇଛି । (ତଥ୍ୟ)

