ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ଏବଂ ଏହାର ପରବର୍ତ୍ତୀ ନାକ୍ ମାନ୍ୟତା ଯେପରି ସର୍ବୋଚ୍ଚସ୍ତରରେ ରହିବ ସେଥିଘେନି କର୍ତ୍ତୃପକ୍ଷ ବଡ ବଡ ଘୋଷଣା କରୁଥିବା ବେଳେ ବାସ୍ତବରେ କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଉତ୍କଟ ଶିକ୍ଷକ ମରୁଡି ପରିସ୍ଥିତି ଲାଗି ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ୨ଜଣ ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ବେଳେ ଭିନ୍ନ ଭିନ୍ନ ଛାତ୍ର ସଂଗଠନର ନେତୃତ୍ୱ ନେଇଥିଲେ ମଧ୍ୟ ଏଯାବତ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟର ସ୍ଥିତି ସୁଧୁରିପାରୁନାହିଁ ।
ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ବିଷୟରେ ୨୫୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ ଏଥିରୁ ୧୨୬ଟି ପଦବୀ ଖାଲି ପଡିଛି । ମୋଟାମୋଟି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଖାପାଖି ଅଧା ଶିକ୍ଷକ ପଦବୀ ଖାଲି ରହିଛି । ଏହି ବିଶ୍ୱବିଦ୍ୟାଳୟ ପାଇଁ ୪୭ଟି ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୩୫ଟି ଖାଲି ପଡିଛି । ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟର ୭୬ଟି ସହଯୋଗୀ ପ୍ରଫେସର ପଦବୀରୁ ୪୪ଟି ଏବଂ ୧୩୪ଟି ସହକାରୀ ଶିକ୍ଷକ ପଦବୀରୁ ୪୭ଟି ଖାଲି ପଡିଛି ।
ଏତେ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡିଥିବା ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ପାଠପଢ଼ା ଓ ଗବେଷଣା ଗୁରୁତର ଭାବେ ବ୍ୟାହତ ହେଉଛି । ଏକଥା ସରକାର ବାରମ୍ବାର ସ୍ୱୀକାର କରୁଛନ୍ତି ଏବଂ ବର୍ଷ ବର୍ଷ ଧରି ଗୋଟିଏ ପ୍ରତିଶ୍ରୁତି ଦେଇଆସୁଛନ୍ତି ଯେ ଖାଲି ପଡିଥିବା ଶିକ୍ଷକ ପଦବୀଗୁଡିକ ତୁରନ୍ତ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖୋଲା ବିଜ୍ଞାପନ ଆଧାରରେ ଶିକ୍ଷକ ପଦବୀ ପୂରଣ କରୁଥିଲେ ଏବଂ କେତେକ ପ୍ରଫେସର ପଦବୀ ପଦୋନ୍ନତି ଆଧାରରେ ଦିଆଯାଉଥିଲା ।
ତେବେ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟ ହାତରୁ ନିଯୁକ୍ତି କ୍ଷମତା କାଢ଼ି ନେବା ଫଳରେ ଏଣିକି ଓଡ଼ିଶା ରାଜ୍ୟ ଲୋକସେବା ଆୟୋଗ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଲାଗି ଯୋଗ୍ୟ ଶିକ୍ଷକ ବାଛିବାର ଦାୟିତ୍ୱ ନେଇଛନ୍ତି । ଇତିମଧ୍ୟରେ ଆୟୋଗ ବି ଏ ସଂକ୍ରାନ୍ତରେ ବିଜ୍ଞାପନ ପ୍ରକାଶ କରିଛନ୍ତି ।
୧୯୪୩ ମସିହାରେ ପ୍ରତିଷ୍ଠା କରାଯାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଇତିମଧ୍ୟରେ ୭୮ବର୍ଷ ପୂର୍ତ୍ତି କରିସାରିଲାଣି । ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରଛାତ୍ରୀ ରାଜନୀତି, ବିଜ୍ଞାନ, କଳା, ସାହିତ୍ୟ, ସଂସ୍କୃତି, ସମାଜସେବା, ଆଇନ ଆଦି ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉତ୍କର୍ଷ ପ୍ରମାଣିତ କରିଛନ୍ତି । ଏକଦା ଦେଶର ସିଭିଲ ସର୍ଭିସ୍ ପରୀକ୍ଷାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଦକ୍ଷତା ପ୍ରଦର୍ଶନ କରୁଥିଲେ । ଗବେଷଣା କ୍ଷେତ୍ରରେ ବି ଉତ୍କଳ ବିଶ୍ୱବିଦ୍ୟାଳୟର ବେଶ୍ ସୁନାମ ଥିଲା । ଏବେ କିନ୍ତୁ ଏହି ବିଶ୍ୱବିଦ୍ୟାଳୟ ତାହାର ପୂର୍ବସ୍ଥିତି ହରାଇ ଚାଲୁଛି ।
ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକା ଅଣଶିକ୍ଷକ କର୍ମଚାରୀ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି । କାମ ଚଳାଇବା ପାଇଁ ଠିକା କର୍ମଚାରୀ ଭରସା ହେଉଥିବା ବେଳେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନଥିବାରୁ ପ୍ରଶାସନିକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ଏ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଏବଂ ଚିନ୍ତାଶୀଳ ବ୍ୟକ୍ତି ବାରମ୍ବାର ଉଦ୍ବେଗ ପ୍ରକାଶ କରିଆସୁଛନ୍ତି । କିନ୍ତୁ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସବୁ ପୂରଣ କରିବା ଏବଂ ଶିକ୍ଷା, ଗବେଷଣା, ପ୍ରଶାସନ ଓ ସଂପ୍ରସାରଣର ଚାପକୁ ଆଖିଆଗରେ ରଖି ନୂଆ ପଦବୀ ସୃଷ୍ଟି କରିବା ଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।
ସରକାରୀ ସୂତ୍ରରୁ ସ୍ୱୀକାର କରାଯାଉଛି ଯେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପାଖାପାଖି ୬୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି । ଏ କ୍ଷେତ୍ରରେ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ଓ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସା ଆଗରେ ଥିବାବେଳେ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସମସ୍ତ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଖାଲି ରହିଛି । (ତଥ୍ୟ)