ଭୁବନେଶ୍ୱର : ଚଳିତ ମାସ ଶେଷରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡିଶା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଦେଶ ବିଦେଶର ପୁଞ୍ଜିନିବେଶକାରୀମାନେ ଯୋଗଦେବାକୁ ଯାଉଥିବାବେଳେ ଏବେ ଠାରୁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ପ୍ରସଙ୍ଗରେ ନଜର ରଖିଥିବାବେଳେ ରାଜ୍ୟ ସରକାରଙ୍କର ଗୃହ ବିଭାଗ, ପୁଲିସ୍ ମହାନିର୍ଦ୍ଦେଶକ, ପୁଲିସ୍ କମିଶନର ଓ ଭୁବନେଶ୍ୱର ଡିସିପି ଆଦି ଏ ସଂକ୍ରାନ୍ତୀୟ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ ପାଇଁ ଯେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏଥର ମଧ୍ୟ ତଦନୁରୂପ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳୁଛି ।
ପ୍ରଧାନମନ୍ତ୍ରୀ ରାଜଭବନରେ ରହିବାପାଇଁ ବ୍ୟବସ୍ଥା ହେଉଥିବାବେଳେ ଅନ୍ୟ ମନ୍ତ୍ରୀ, ଅଧିକାରୀ ଏବଂ ପୁଞ୍ଜିନିବେଶକାରୀମାନଙ୍କ ଲାଗି ରାଜ୍ୟ ଅତିଥିଭବନ ସମେତ ବିଭିନ୍ନ ତାରକା ହୋଟେଲରେ ବ୍ୟବସ୍ଥା କରାଯାଉଛି । ପ୍ରବାସୀ ଭାରତୀୟ ଦିବସ ଯେଉଁ ଜନତା ମଇଦାନରେ ଆୟୋଜିତ ହୋଇଥିଲା ସେହିଠାରେ ଉତ୍କର୍ଷ ଓଡିଶା କନକ୍ଲେଭ ହେବାକୁ ଯାଉଛି । ଓଡିଶାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ଓ ଅନ୍ୟ ବିଭାଗର ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ରହିବେ ।
ସମ୍ମିଳନୀରେ ଅଂଶଗ୍ରହଣ କରିବାପାଇଁ ଆସୁଥିବା ପ୍ରତିନିଧିମାନଙ୍କର ପଞ୍ଜିକରଣ ବ୍ୟବସ୍ଥା ଏବେ ଜୋରଦାରରେ ଚାଲିଛି । ଚଳିତମାସ ୨୮ ଓ ୨୯ ତାରିଖରେ ଦୁଇଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ଜିଲ୍ଲାରେ ଗଣତନ୍ତ୍ର ଦିବସର ଅଭିବାଦନ ଗ୍ରହଣ କରିବାପାଇଁ ଯାଉଥିବା ମନ୍ତ୍ରୀମାନେ ୨୭ତାରିଖ ସୁଦ୍ଧା ଫେରି ଆସିବେ ବୋଲି ଅନୌପଚାରିକ ଭାବେ କୁହାଯାଇଛି ।
ପୁଞ୍ଜିନିବେଶକାରୀ ଓ ଅନ୍ୟ ଅତିଥିମାନଙ୍କ ମଧ୍ୟରୁ କେତେକ ସମ୍ମିଳନୀର ଦିନେ ଦୁଇଦିନ ପୂର୍ବରୁ ପହଞ୍ଚିପାରନ୍ତି ଏବଂ ଆଉ କେତେକ ସମ୍ମିଳନୀ ସରିବାପରେ ରାଜ୍ୟର କେତେକ ଅଞ୍ଚଳ ପରିଦର୍ଶନରେ ମଧ୍ୟ ଯିବାର ସମ୍ମାବନା ରହିଛି । ଏହାକୁ ଆଖିଆଗରେ ରଖି ପୁରୀ, କଟକ, ଖୋରଧା ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟ ବ୍ୟବସ୍ଥା କରାଯାଉଥିବା ଜଣେ ଅଧିକାରୀ ସୂଚାଇଛନ୍ତି ।
ବିଶେଷକରି ଏହି ସମାବେଶରେ ଖଣିଜ, ଧାତବ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟ, ଜୈବ ପ୍ରଯୁକ୍ତିବିଦ୍ୟା, ପ୍ରେଟ୍ରୋ କେମିକାଲ୍ସ, ଆଇଟି, ପର୍ଯ୍ୟଟନ, ବୟନ ଆଦି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଏହି ସମାବେଶବେଳେ କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠାପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଏହାଛଡା ଆଉ କେତେକ ଶିଳ୍ପ ପାଇଁ ବି ଏମଓୟୁ ହେବାର ସମ୍ଭାବନାକୁ ଏଡାଇ ଦେଇହେବନାହିଁ ।
ଏହି ସମ୍ମିଳନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ସମେତ ଦେଶର ଅନ୍ୟ କେତେକ ସହରକୁ ଯାଇ ପୁଞ୍ଜିନିବେଶକାରୀମାନଙ୍କୁ ଭେଟିଛନ୍ତି । ତଦନୁଯାୟୀ ସିଙ୍ଗାପୁରର ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସି କେତେକ ପ୍ରକଳ୍ପ ଲାଗି ମଧ୍ୟ ଏମଓୟୁ କରିଛନ୍ତି । ଉତ୍କର୍ଷ ଓଡିଶା ସମ୍ମିଳନୀ ଉପରେ ତେଣୁ ବିଭିନ୍ନ ବର୍ଗର ସ୍ୱତନ୍ତ୍ର ନଜର ରହିଛି । (ତଥ୍ୟ)