ଭୁବନେଶ୍ୱର : ରାଜ୍ୟରେ ଝାଡାବାନ୍ତି ଜଣ୍ଡିସ୍କୁ ନେଇ ଲୋକେ ଆତଙ୍କିତ ହୋଇପଡିଥିବାବେଳେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତୁହାକୁ ତୁହା ଛୋଟକାଟିଆ ହୋଟେଲଗୁଡିକରେ ଯାଞ୍ଚ କରୁଛନ୍ତି । ତେବେ ସଞ୍ଜ ନଇଁଲେ ରାଜଧାନୀରେ ଖୋଲୁଥିବା ଉଠା ଦୋକାନ ପସରାର ଯାଞ୍ଚ ହେଉନଥିବାରୁ ଜଣ୍ଡିସ୍କୁ ନିୟନ୍ତ୍ରଣ କରିବା ସହଜ ହେବନାହିଁ ବୋଲି କୁହାଯାଉଛି ।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଉଠା ଦୋକାନୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଚାଟ୍, ଗୁପ୍ଚୁପ୍, ମୋମୋ, ଛେନା ଓ ଛଣାଛଣି ଖାଦ୍ୟର ପସରା ସଞ୍ଜହେଲେ ଖୋଲୁଛି । ସହର ସାରା ଅଣଓଡିଆ ବିକ୍ରେତାମାନେ ଗୁପ୍ଚୁପ୍, ଚାଟ୍, ଜିଲାପି ଆଦି ବହୁଳ ମାତ୍ରାରେ ବିକ୍ରି କରୁଛନ୍ତି । ଯେହେତୁ ଏହିସବୁ ବ୍ୟବସାୟୀମାନେ ସହରର ବସ୍ତି ଅଞ୍ଚଳରେ ରହୁଛନ୍ତି ତେଣୁ ସେମାନେ ବ୍ୟବହାର କରୁଥିବା ପାଣିକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ଗୁପ୍ଚୁପ୍ ପାଇଁ ବ୍ୟବହାର ହେଉଥିବା ପାଣିକୁ ଖଟା କରିବାପାଇଁ ଅଧିକାଂଶ ବ୍ୟବସାୟୀ ରସାୟନିକ ସାମଗ୍ରୀ ବ୍ୟବହାର କରୁଛନ୍ତି ।
ଉଠା ଦୋକାନରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନେ ଅତ୍ୟନ୍ତ ଅପରିଷ୍କାର ବୋତଲରେ ପାଣି ଆଣି ଲୋକଙ୍କୁ ଦେଉଛନ୍ତି । ଯେଉଁ ପ୍ଲାଷ୍ଟିକ ପାଣି ବୋତଲକୁ ଥରୁଟିଏ ବ୍ୟବହାର କରି ଫୋପାଡିବାକୁ କୁହାଯାଇଛି ଏମାନେ ତାହାକୁ ମାସ ମାସଧରି ବ୍ୟବହାର କରୁଛନ୍ତି ।
ସେହିଭଳି ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ବ୍ୟବସାୟୀମାନେ ଖାଦ୍ୟରେ ବିଭିନ୍ନ ପ୍ରକାରର ରଙ୍ଗ ବ୍ୟବହାର କରିଥାନ୍ତି । ଶସ୍ତାରେ ମିଳୁଥିବା ଏହି ରଙ୍ଗକୁ ଖାଇଲେ ବିଭିନ୍ନ ପ୍ରକାର ପେଟରୋଗ ସୃଷ୍ଟି ହେବବୋଲି ବିଶେଷଜ୍ଞମାନେ ଚେତାଇ ଦେଉଥିଲେ ମଧ୍ୟ ଯାଞ୍ଚ ହେଉନଥିବାରୁ ବ୍ୟବସାୟୀମାନେ ନିର୍ଭୟରେ ତାହାର ବ୍ୟବହାର କରୁଛନ୍ତି । ସେହିଭଳି ଖାଦ୍ୟ ପ୍ରସ୍ତୁତି ପାଇଁ ନିମ୍ନମାନର ମସଲା, ତେଲ ଆଦି ମଧ୍ୟ ବ୍ୟବହାର ହେଉଛି ।
ରାଜଧାନୀରେ ଖାଇବା ଦୋକାନ ସଂଖ୍ୟା ବଢି ଚାଲିଥିବାବେଳେ ତାହାକୁ ଯାଞ୍ଚ କରିବାପାଇଁ ମାତ୍ର ୬ଜଣ କର୍ମଚାରୀ ରହିଛନ୍ତି । ତେଣୁ ସହରରେ ପ୍ରାୟତଃ ଖାଦ୍ୟସାମଗ୍ରୀର ଯାଞ୍ଚ ଦେଖିବାକୁ ମିଳନଥାଏ । ଯେହେତୁ ଏବେ ରାଜ୍ୟରେ ହଇଜା ଓ ଜଣ୍ଡିସ ଦେଖାଦେଇଛି ତେଣୁ ରାଜଧାନୀରେ ତନଘନା ଚାଲିଛି । ହେଲେ ଏହି ଯାଞ୍ଚରେ ଉଠା ଦୋକାନୀଙ୍କ ଉପରେ ନଜର ଦିଆଯାଉନଥିବାରୁ ଜଣ୍ଡିସ ନିୟନ୍ତ୍ରଣ ନେଇ ଆଶଙ୍କା ପ୍ରକାଶ ପାଉଛି ।
କେବଳ ଉଠା ଦୋକାନୀ ନୁହେଁ, ରାଜଧାନୀରେ ମାଂସ, ମାଛ ଭଳି ଆମିଷ ସାମଗ୍ରୀ ମଧ୍ୟ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରିବଟା ଚାଲିଛି । ଡ୍ରେନ ଉପରେ ମାଛ ଓ ମାଂସ କଟା ଚାଲିଥିବାରୁ ସହରର କୌଣସି ସ୍ଥାନରେ ବି ଝାଡାବାନ୍ତି ବେକାକୁ ସ୍ଥିତିକୁ ଆସିବା ନେଇ ଲୋକେ ଆଶଙ୍କା କରୁଛନ୍ତି । ତେଣୁ କେବଳ ଛୋଟ କାଟର ହୋଟେଲରେ ଯାଞ୍ଚ ସହିତ ଉଠା ଦୋକାନୀ ଓ ଆମିଷ ବିକ୍ରି ଉପରେ ନଜର ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)