Home News in Odia ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନା

ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନା

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରୁଥିବାବେଳେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଥିବା ବିଜେଡି ପକ୍ଷରୁ କୁହାଯାଇଛି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ତିନି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ, ଶ୍ରୀ ଗୌତମବୁଦ୍ଧ ଦାସ ଏବଂ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ବିଜେପି ଷଡଯନ୍ତ୍ରର ସବୁଠାରୁ ବଡ ଉଦାହରଣ ହେଉଛି ଉଜ୍ୱଳା ଯୋଜନା । ଏହି ଯୋଜନାରେ ଓଡିଶାର ମହିଳାମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ସାହାଯ୍ୟ କରାଯିବ ବୋଲି ପ୍ରଚାର ହେଲା । ଆଜି ଉଜ୍ୱଳା ଅନ୍ଧାର ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ଏକ ନିଷ୍ଠୁର ପରିହାସ ହୋଇଛି ।

ଏଲପିଜି ସିଲିଣ୍ଡର ମୂଲ୍ୟ ବଢୁଛି, ରିଫିଲ ପରିମାଣ ହ୍ରାସ ପାଉଛି, ହିତାଧିକାରୀମାନେ ବ୍ୟବହାର ହ୍ରାସ କରୁଛନ୍ତି ଏବଂ ଓଡିଶାର ମହିଳାଙ୍କ ଦ୍ୱାରା ଏହାର ବ୍ୟବହାର ହ୍ରାସ ପାଉଛି । ବେଡି ଉପରେ କୋରଡା ମାଡ ଭଳି ଇନ୍ଧନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ମୂଲ୍ୟ ବୃଦ୍ଧି ଯାହା କି ରୋଷେଇ ଘର ତଥା ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଯଦିଓ ବିଜୁ ଜନତା ଦଳ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତଥାପି ଓଡିଶାର ବିଜେପି ନେତାମାନେ ନିରବ ରହିଛନ୍ତି ଏବଂ ଏହି ଲକ୍ଷ ଲକ୍ଷ ପ୍ରଭାବିତ ମହିଳାଙ୍କ କଲ୍ୟାଣ ପାଇଁ ପଦୁଟିଏ ହେଲେ କହୁ ନାହାନ୍ତି ।

ଓଡିଶା ବିରୋଧି ଷଡଯନ୍ତ୍ରର ଦ୍ୱିତୀୟ ଉଦାହରଣ ହେଉଛି ରାଜ୍ୟରେ ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥା । ଗତ ନଅ ବର୍ଷ ଧରି ସମ୍ବଲପୁର-କଟକ ଜାତୀୟ ରାଜପଥ ଅବସ୍ଥା ସଙ୍କଟାପନ୍ନ ରହିଛି । କାର୍ଯ୍ୟ ସମାପ୍ତ ହେଉନାହିଁ । ଗତ ନଅ ବର୍ଷ ମଧ୍ୟରେ ଏହି ରାଜପଥ ପ୍ରକଳ୍ପର କାର୍ଯ୍ୟ ସରୁନଥିବାରୁ ଶହ ଶହ ଦୁର୍ଘଟଣା ଘଟିଛି ଏବଂ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଛି । ଏଥିପାଇଁ ବିଜେଡି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରୁଛି, କିନ୍ତୁ ଓଡିଶା ବିଜେପି ନେତାମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି ।

ସେହିଭଳି ଆଉ ଦୁଇଟି ବଡ ଷଡଯନ୍ତ୍ର ହେଉଛି ଓଡ଼ିଶାରେ ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ୍ ସେବା ଅତ୍ୟନ୍ତ ଖରାପ । ଯଦିଓ ଗତ ନଅ ବର୍ଷ ଧରି ବିଜେଡି ଏହି ଅବହେଳା ଉପରେ ସ୍ୱର ଉତ୍ତୋଳନ କରୁଛି, ତଥାପି ଓଡିଶାର ବିଜେପି ନେତାମାନେ ଏକ ପ୍ରକାର ନିରବତା ବଜାୟ ରଖିଛନ୍ତି । ବ୍ୟାଙ୍କିଙ୍ଗ ସଂଯୋଗର ଅଭାବ ଯୋଗୁଁ ମିଶନ ଶକ୍ତି ଅଧିନରେ ଥିବା ୬ ଲକ୍ଷ ମହିଳା ଏସଏଚଜି ଗୋଷ୍ଠୀର ୭୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାମାନେ ବିନା ସୁଧରେ ୫ ଲକ୍ଷ ଋଣ ପାଇବା କଷ୍ଟକର ହୋଇପଡୁଛି ଯାହା ସେମାନଙ୍କୁ ଓଡ଼ିଶା ସରକାର ଯୋଗାଇ ଦେଉଛନ୍ତି । ଏହା ବ୍ୟତୀତ ସାଧାରଣ ଲୋକେ ମଧ୍ୟ ଖରାପ ବ୍ୟାଙ୍କିଂ ନେଟୱାର୍କ ହେତୁ ସେମାନଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବିଜେଡି ମୁଖପାତ୍ରମାନେ କହିଛନ୍ତି ଯେ ପ୍ରଥମେ ଓଡିଶା ବିଜେପି ନେତାମାନେ କ୍ରମାଗତ ଭାବରେ ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହୁଥିଲେ । ତା’ପରେ ସେମାନେ କ୍ରମାଗତ ଭାବରେ ଓଡିଶାର ମହିଳା ଏସଏଚଜି ସଦସ୍ୟମାନଙ୍କୁ ଅପମାନିତ ଏବଂ ଅସମ୍ମାନ କଲେ । ଏହା ସେମାନଙ୍କର ଓଡିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି ।

ଏହି ସମସ୍ତ ପ୍ରୟାସ ମାଧ୍ୟମରେ ଓଡିଶା ବିଜେପି ନେତାମାନେ ଓଡିଶାର ବିକାଶକୁ ରୋକିବାପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସେମାନେ ବିଫଳ ହେବେ । ଓଡିଶାବାସୀଙ୍କ ସାମୂହିକ ଇଚ୍ଛା ଏବଂ ବିଜୁ ଜନତା ଦଳର ବିକାଶମୂଳକ ଏଜେଣ୍ଡା ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ହେବାକୁ ଆଗେଇ ନେବ । ତେବେ ଓଡିଶାର ସ୍ୱାର୍ଥ ବିରୁଦ୍ଧରେ ତଥା ଓଡିଶାର ୪.୫ କୋଟି ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡିଶାର ବିଜେପି ନେତାମାନେ ଯେଭଳି ଷଡଯନ୍ତ୍ର କରୁଛନ୍ତି ସେଥିପାଇଁ କୋଟି କୋଟି ଓଡିଶାବାସୀ ତାଙ୍କୁ ସବୁବେଳେ ମନେ ରଖିବେ ବୋଲି ବିଜେଡି ମୁଖପାତ୍ରମାନେ କହିଛନ୍ତି ।