Home Education ଉଚ୍ଚଶିକ୍ଷା ପ୍ରତି ନିଚ୍ଚ ଦୃଷ୍ଟି ଅକ୍ଷମଣୀୟ

ଉଚ୍ଚଶିକ୍ଷା ପ୍ରତି ନିଚ୍ଚ ଦୃଷ୍ଟି ଅକ୍ଷମଣୀୟ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପ୍ରତି ନିଚ୍ଚ ଦୃଷ୍ଟି ଅକ୍ଷମଣୀୟ । ଆଜି ଆହୁତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରା ।

ଶ୍ରୀ ବେହେରା ରାଜ୍ୟର ଉଚ୍ଚଶିକ୍ଷାର ସ୍ଥିତି ଓ ଗତି ସଂପର୍କରେ ଆଲୋକପାତ କରି ଦର୍ଶାଇଥିଲେ ଯେ କୌଣସି ଗୋଟିଏ ହେଲେ ସରକାରୀ ବା ବେସରକାରୀ କଲେଜରେ ଅଧ୍ୟକ୍ଷ ନଥିବାବେଳେ ଆସନ୍ତା କାଲି ସେପ୍ଟେମ୍ବର ୧୩ ରେ ରାଜ୍ୟ ସରକାର ଅଧ୍ୟକ୍ଷ ସମ୍ମିଳନୀ ଡାକୁଛନ୍ତି ବୋଲି ଦମ୍ଭୋକ୍ତି କରିବା କେତେ ଦୂର ସମିଚୀନ ତାହା ପୁଣି ଏତେ ଡେରିରେ! ରାଜ୍ୟରେ ମହାବିଦ୍ୟାଳୟ ମାନଙ୍କରେ ନାମଲେଖା କ୍ଷେତ୍ରରେ ଓଡ଼ିଶା ରାଜ୍ୟ ମାନଙ୍କ ମଧ୍ୟରେ ୨୧ ତମ ସ୍ଥାନରେ ।

ସର୍ବୋଚ୍ଚ ସ୍ତରରେ ମହାବିଦ୍ୟାଳୟ ମାନଙ୍କରେ ସାମଗ୍ରୀକ ନାମ ଲେଖା ଅନୁପାତ (ଜି.ଇ.ଆର) ୨୭.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୨୦.୭ ପ୍ରତିଶତ । ଗୁଣାତ୍ମକ ଶିକ୍ଷାର ହ୍ରାସ ଉଦ୍‌ବେଗ ଜନକ ବୋଲି ବର୍ଣ୍ଣନା କରି ଉତ୍କଳ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ । ଓଡ଼ିଶାର ସବୁଠାରୁ ଏହି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଭାରତର ୧୦୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ୯୩ ତମ ସ୍ଥାନରେ ଅଛି । ନାକ୍ ଗ୍ରେଡ଼ିଙ୍ଗରେ ଏ + ରୁ ଏ କୁ ଖସି ଆସିଛି ।

ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟର ସଂଶୋଧନ ଆଇନ ପ୍ରଣୟନ କରି ବିଶ୍ୱ ବିଦ୍ୟାଳୟମାନଙ୍କର ସ୍ୱତନ୍ତ୍ରତା ଅପହରଣ କରି ନେଇଛନ୍ତି । କଂଗ୍ରେସର ବିରୋଧ ସତ୍ୱେ ସରକାର ଜିଦ୍‌ଖୋର ମନୋଭାବରେ ଏହି ଆଇନ ପ୍ରଣୟନ କରି ବିଶ୍ୱବିଦ୍ୟାଳୟମାନଙ୍କୁ ନିଜର ଅଧସ୍ତନ ଆଜ୍ଞାବହ ଅନୁଷ୍ଠାନରେ ପରିଣତ କରୁଛନ୍ତି । ଆମର ସୌଭାଗ୍ୟ ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସ୍ତଗିତା ଦେଶ ଜାରିକରି ଏହି ଆଇନ୍‌କୁ ଅଚଳ କରିଛନ୍ତି ।

ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରିବାରେ ସରକାର ବ୍ୟର୍ଥ ହୋଇଛନ୍ତି । ସରକାରୀ ତଥ୍ୟ ମୁତାବକ ୧୨ ଟି ବିଶ୍ୱବିଦ୍ୟାଳୟରେ ୫୬.୯୩ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ୫୮.୧୨ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ନିର୍ଦ୍ଧାରିତ ଶିକ୍ଷକ ଛାତ୍ର ଅନୁପାତ ବଜାୟ ନ ରହିବା ଫଳରେ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ପ୍ରଭୂତ ଭାବରେ ପ୍ରଭାବିତ ହେଉଛି ।

ଶ୍ରୀ ବେହେରା ଦର୍ଶାଇଥିଲେ ଯେ କଲେଜ ମାନଙ୍କରେ ଏକାଡେମିକ୍ ଅଡ଼ିଟ୍ ହେଉନାହିଁ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଓ ଆଂଚଳିକ ନିର୍ଦ୍ଦେଶକ ପଦବୀରେ କୌଣସି ପ୍ରବିଣ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ଦିଆଯାଉନାହିଁ । କୋଠାରୀ କମିଶନ ୧୯୬୪ ମସିହାରୁ ଜାତୀୟ ଶିକ୍ଷା ନିତୀ ୧୯୮୬ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ସୁପାରିଶ ସତ୍ୱେ +୨ ଅନୁଷ୍ଠାନ ଗୁଡ଼ିକୁ +୩ ଅନୁଷ୍ଠାନରୁ ପୃଥକୀକରଣ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳତଃ ଉଭୟ +୨ ଏବଂ +୩ ଶିକ୍ଷାଦାନ କ୍ଷେତ୍ରରେ ଅଭାବନୀୟ ସମସ୍ୟା ସୃଷ୍ଟି ହେଉଛି ।

ଆନ୍ଦୋଳନରତ କଲେଜ ଅଧ୍ୟାପକ ମାନଙ୍କ ସମସ୍ୟା ବିଷୟରେ ବର୍ଣ୍ଣନା କରି ସେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଡ ଶିକ୍ଷକ ମାନଙ୍କ ପାଇଁ କୌଣସି ଅବସରକାଳୀନ ସୁବିଧା କରୁନାହାନ୍ତି । ଏହା ଅତ୍ୟନ୍ତ ଅମାନବୀୟ । ସେହିପରି ୨୦୦୮ ମସିହା ପରଠାରୁ ପ୍ରତିଷ୍ଠିତ କଲେଜ ଗୁଡ଼ିକ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଅନୁଦାନ ମିଳୁନାହିଁ । ଶିକ୍ଷକ ସମାଜ ପ୍ରତି ଏହାଠାରୁ ବଡ଼ ଅବିଚାର କିଛି ନାହିଁ ।

ଶ୍ରୀ ବେହେରା ଦାବି କରିଥିଲେ ଯେ ଗୋଟିଏ ରାଜ୍ୟ ଗୋଟିଏ ବ୍ୟବସ୍ଥା ନିତୀ ପ୍ରଣୟନ କରାଯାଉ । ଭେଦ ବିଚାରର ପୁର୍ଣ୍ଣଚ୍ଛେଦ ପଡ଼ୁ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକମାନଙ୍କୁ ପାଖକୁ ଯିବ ବୋଲି ସେ ଚେତାଇ ଦେଇଥିଲେ । ପିସିସିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଓ ଯୁବ ନେତା ତଥା ପିସିସି ମୁଖପାତ୍ର କୃଷ୍ଣଚନ୍ଦ୍ର ପତୀ ଉପସ୍ଥିତ ଥିଲେ ।