ଭୁବନେଶ୍ୱର : ମହାବିଦ୍ୟାଳୟଗୁଡିକରେ ଯୁକ୍ତ ତିନି ସ୍ତରରେ ଥିବା ଆସନ ମଧ୍ୟରୁ ୬୮ହଜାରରୁ ଅଧିକ ଖାଲି ପଡିଛି । ଏଥିରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ନାହାନ୍ତି । ସେହିଭଳି ସ୍ନାତକତ୍ତୋର (ପିଜି) ଶ୍ରେଣୀରେ ମଧ୍ୟ ସମସ୍ତ ଆସନ ପୂରଣ ହୋଇନାହିଁ । ବିଏଡ୍, ଏମଏଡ୍, ବିଏଚ୍ଏଡ୍ରେ ବି ଆସନ ଖାଲି ପଡିଥିବା ସାମ୍ନାକୁ ଆସିଛି ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ୨୦୨୪-୨୫ର କାର୍ଯ୍ୟାବଳୀ ବିବରଣୀରେ ଏହା ଉଲ୍ଲେଖ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଯୁକ୍ତ ତିନ ସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ମୋଟ୍ ୨,୭୪,୫୨୩ଟି ଆସନ ଥିବାବେଳେ ଏଥିରେ ୨,୦୬,୧୨୮ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଫଳରେ ୬୮,୩୯୫ ଟି ଆସନ ଖାଲିପଡିଛି । ସେହଭଳି ପିଜି ଶ୍ରେଣୀ ପାଇଁ ୨୯ହଜାର ଆସନ ଥିବାବେଳେ ଏଥିରେ ୨୨,୮୯୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
ଭବିଷ୍ୟତର ଶିକ୍ଷକ ପ୍ରସ୍ତୁତ କରିବାପାଇଁ ପ୍ରଚଳିତ ହେଉଥିବା ବିଏଡ୍, ଏମଏଡ୍ ଓ ବିଏଚଏଡ୍ ଶ୍ରେଣୀରେ ମଧ୍ୟ ଯେତିକି ଆସନ ରହିଛି ତାହା ବି ପୂରଣ ହେଉନାହିଁ । ଏହିସବୁ ପାଠ୍ୟକ୍ରମ ପାଇଁ ରାଜ୍ୟରେ ୨୭୫୦ଟି ଆସନ ଥିବାବେଳେ ଏଥିରୁ ବି ୨୬ଆସନ ଖାଲି ପଡିଛି ।
ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ମେଧାବୃତ୍ତି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କ’ଣ ପାଇଁ ଆସନ ସବୁ ଖାଲିପଡୁଛି ତାହା ଏବେ ଶିକ୍ଷାବିତ୍ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆଦି କାର୍ଯ୍ୟକାରୀ କରୁଛନ୍ତି । ଏ ବାବଦରେ ୮୭ କୋଟିରୁ ଅଧିକ ଟଙ୍କା ପ୍ରଦାନର ବ୍ୟବସ୍ଥା ବି ରହିଛି ।
ତେବେ ଶିକ୍ଷାବିତ୍ମାନେ ଆସନ ଖାଲି ପଡୁଥିବାକୁ ନେଇ ଭିନ୍ନମତ ପୋଷଣ କରୁଛନ୍ତି । ସେମାନଙ୍କ ମତରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକ ଅଭାବରୁ ଶିକ୍ଷାଦାନର ମାନ ହ୍ରାସ ପାଉଛି । ଫଳରେ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ସ୍ତରରେ ବିଭିନ୍ନ ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ ହେବା ସହିତ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଉଛନ୍ତି ।
ଉଲ୍ଲେଖନୀୟ ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ପିଲାଙ୍କୁ ପାଠ ପଢାଇବାପାଇଁ ପ୍ରଫେସର, ସହକାରୀ ପ୍ରଫେସର, ରିଡର ଆଦି ପଦବୀ ବହୁ ସଂଖ୍ୟାରେ ଖାଲି ପଡିଛି । ନିୟମିତ ଭାବେ ଶିକ୍ଷକ ନିଯୁକ୍ତି ନହେବା ଏବଂ ଆଇନଗତ ଲଢେଇ ଯୋଗୁଁ ପଦବୀ ପୂରଣ ହୋଇପାରୁ ନାହିଁ । ଏହାର ପ୍ରଭାବ ମଧ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଉପରେ ପଡୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)