ଭୁବନେଶ୍ୱର : ରାଜ୍ୟରେ ଏବେ ନିଷିଦ୍ଧ ଇ-ସିଗାରେଟ ହାଉଜାଉ । ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ସ୍ଥାନରେ ଧରପଗଡ ଦ୍ୱାରା ୭୦୦ ଇ-ସିଗାରେଟ୍ ଜବତ ହୋଇ ସାରିଲାଣି ।
୨୦୧୯ ମସିହାରୁ କେନ୍ଦ୍ର ସରକାର ଇ-ସିଗାରେଟ୍ ଉପରେ କଡା କଟଣା ଲଗାଇଛନ୍ତି । ଏହାର ଆମଦାନୀ, ଉତ୍ପାଦନ, ବିକ୍ରୟ ଓ ସେବନ ଆଇନତଃ ନିଷିଦ୍ଧ । ତେବେ ଯୁବ ବର୍ଗଙ୍କ ମଧ୍ୟରେ ଇ-ସିଗାରେଟ୍ ପ୍ରତି ଅତ୍ୟଧିକ ଦୁର୍ବଳତା ଥିବାରୁ ସେମାନେ ଲୁଚାଛପାରେ ଏହାକୁ କିଣି ବ୍ୟବହାର କରୁଛନ୍ତି । ଓଡିଶାରେ ଏହାର ଉତ୍ପାଦନ ନଥିବାରୁ ସାଧାରଣତଃ ଏହା ରାଜ୍ୟ ବାହାରୁ ଆସୁଛି ଏବଂ ବ୍ୟବସାୟୀମାନେ ଏହାକୁ ଭାରତ ବାହାରୁ ଆମଦାନୀ କରୁଛନ୍ତି ।
ଓଡିଶାରୁ ଜବତ ହୋଇଥିବା ଇ-ସିଗାରେଟର ଦାମ ୧୩ହଜାର ଟଙ୍କା ବୋଲି ସରକାରୀ ଭାବେ ଉଲ୍ଲେଖ କରାଯାଉଛି । ଏହି ଜବତ ଘଟଣାରେ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ସମଗ୍ର ଦେଶରେ ଏହିବର୍ଷ ୫ହଜାରରୁ ଅଧିକ ଇ-ସିଗାରେଟ ଜବତ ହୋଇଛି ଯାହାର ମୂଲ୍ୟ ୧.୧୭ କୋଟି ଟଙ୍କାରୁ ଅଧିକ ରହିଛି । ସେହିଭଳି ଏହି ଘଟଣାରେ ୧୫୬ଟି ମାମଲା ରୁଜୁ ହୋଇଛି । କର୍ଣ୍ଣାଟକ, ହରିଆନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରୁ ବହୁ ପରିମାଣରେ ଇ-ସିଗାରେଟ ଜବତ ହୋଇଛି ।
କେବଳ ଇ-ସିଗାରେଟ୍ ନୁହେଁ ସାଧାରଣ ସିଗାରେଟ୍ ଉପରେ ମଧ୍ୟ ଓଡିଶା ସରକାର ୨୦୧୩ ମସିହାରୁ କଡା କଟକଣା ଲଗାଇଛନ୍ତି । ସିଗାରେଟ ସେବନ ଉପରେ ସରକାରୀ କଟକଣା ରହିଛି । ଏପରିକି ସର୍ବସାଧାରଣ ସ୍ଥାନରେ ସିଗାରେଟ ସେବନ କରୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପୁଲିସ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । ହେଲେ ଇ-ସିଗାରେଟ ଭଳି ସାଧାରଣ ସିଗାରେଟର ମଧ୍ୟ ଅବାଧ କାରବାର ଓ ସେବନ ହେଉଛି । ସିଗାରେଟ ସେବନକାରୀମାନେ ନିଜେ ମାରାତ୍ମକ କର୍କଟ ଓ ଅନ୍ୟାନ୍ୟ ରୋଗର ଶିକାର ହେବା ସହିତ ଆଖପାଖର ଲୋକଙ୍କୁ ମଧ୍ୟ ରୋଗାକ୍ରାନ୍ତ କରୁଛନ୍ତି । ହେଲେ ସେମାନଙ୍କ ବିରୁଦ୍ଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ହେବାକଥା ତାହା ହେଉନାହିଁ ।
କେବଳ ଇ-ସିଗାରେଟ କିମ୍ବା ସିଗାରେଟ, ବିଡି ଆଦି ନୁହେଁ ରାଜ୍ୟ ସରକାର ଗୁଟ୍ଖା, ପାନମସଲା ଆଦିର ଉତ୍ପାଦନ, ବିପ୍ପଣନ ଓ ସେବନ ଉପରେ କଟକଣା ଲଗାଇଛନ୍ତି । ଏଥିଯୋଗୁଁ ରାଜ୍ୟ ସରକାର ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ହେଲେ ରାଜ୍ୟରେ ଏବେ ପୂର୍ବାପେକ୍ଷା ଅଧିକ ପରିମାଣରେ ଗୁଟ୍ଖା ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି ନିୟମ ବର୍ହିଭୂତ ଭାବେ ଶିକ୍ଷାନୁଷ୍ଠାନ ଆଖପାଖରେ ଏହା ଖୋଲାଖୋଲି ଭାବେ ବିକ୍ରି ହେଉଛି । ଏଥିଯୋଗୁଁ ବୟସ୍କଙ୍କ ସହିତ ଛୋଟ ଛୋଟ ସ୍କୁଲ ପିଲା ବି ଗୁଟ୍ଖା ଚୋବାଇବାରେ ଲାଗିଛନ୍ତି ।
ନିଷିଦ୍ଧ ହୋଇଥିବା ଇ-ସିଗାରେଟ୍, ସର୍ବସାଧାରଣ ସ୍ଥାନରେ ସେବନ କଟକଣା ଥିବା ସିଗାରେଟ ଏବଂ ଗୁଟ୍ଖା ଉପରେ ଯେଭଳି ପୂର୍ଣ୍ଣ କଟକଣା ରହିଛି ତାହା ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବା ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । କୋଟ୍ପା ଆଇନ ରାଜ୍ୟରେ ଏକ ପ୍ରକାର ଅଚଳ ହୋଇଥିବାବଳେ ମଝିରେ ମଝିରେ କେବଳ ଧର୍ମକୁ ଆଖିଠାର ମାରିବା ଭଳି ଚଢାଉ ଓ ଜବତ ହେଉଛି ବୋଲି ସେମାନେ କହୁଛନ୍ତି । (ତଥ୍ୟ)