Home General ଇ-ଯାନ ସବସିଡ୍‍ ଅର୍ଥ ମିଳିବ କେବେ ?

ଇ-ଯାନ ସବସିଡ୍‍ ଅର୍ଥ ମିଳିବ କେବେ ?

ଭୁବନେଶ୍ୱର : ବୈଦ୍ୟୁତିକ ଯାନ ଖରିଦ କରୁଥିବା ଗ୍ରାହକଙ୍କୁ ରାଜ୍ୟ ସରକାରଙ୍କ ରିହାତି ଅର୍ଥ ମିଳିବା ନେଇ ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଅବସ୍ଥା ଉପୁଜିଛି । ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଇ-ଯାନ ନୀତି ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଗାଡି ଖରିଦ କରୁଥିବା ଲୋକଙ୍କୁ ଅର୍ଥ ମିଳିପାରି ନାହିଁ ।

ରାଜ୍ୟ ଇ-ଯାନ ନୀତି ଅନୁଯାୟୀ ଦୁଇ ଚକିଆ ଯାନ ଖରିଦ କରୁଥିବା ବ୍ୟକ୍ତିଙ୍କୁ ସରକାର ୫୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡ୍‍ ଅର୍ଥ ଯୋଗାଇଦେବାକୁ ଘୋଷଣା କରିଛନ୍ତି । ସେହିଭଳି ତିନି ଚକିଆ ଯାନ ପାଇଁ ୧୫ହଜାର ଓ ଚାରଚକିଆ ଯାନ ପାଇଁ ୫୦ହଜାର ଟଙ୍କାର ରିହାତି ଅର୍ଥ ମିଳିବ । ଏହାଛଡା ସରକାରୀ କର୍ମଚାରୀଙ୍କୁ ବୈଦ୍ୟୁତିକ ଯାନ ଖରିଦ ପାଇଁ ବିନା ସୁଧରେ ଋଣ ଓ ଅନ୍ୟ ବ୍ୟକ୍ତିଙ୍କୁ ଏହି ଯାନ ଖରିଦ ପାଇଁ କରିଥିବା ଋଣର ସୁଧ ଉପରେ ୩ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ପ୍ରାୟ ୫ମାସ ପରେ ଗତ ଜାନୁୟାରୀ ୩୧ ତାରିଖରେ ସରକାର ଆଉ ଏକ ବିଜ୍ଞପ୍ତି ଜାରି କରି ବୈଦ୍ୟୁତିକ ଯାନ ଖରିଦ କରୁଥିବା ଲୋକଙ୍କୁ ସେପ୍ଟେମ୍ବର ପହିଲାରୁ ସବ୍‍ସିଡ୍‍ ଅର୍ଥ ମିଳିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ଓକାକ ଓ କେନ୍ଦ୍ର ସରକାରଙ୍କ ଏନ୍‍ଆଇସି ମିଳିତ ଭାବେ ଇ-ପ୍ଲାଟଫର୍ମ ପ୍ରସ୍ତୁତ କରିବେ । ଆଞ୍ଚଳିକ ପରିବହନ ଅଧିକାରୀମାନେ ପିଛିଲା ତାରିଖରୁ ହିତାଧିକାରୀଙ୍କ ବ୍ୟାଙ୍କ୍‍ଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରିବେ ।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ଲାଟଫର୍ମ ପ୍ରସ୍ତୁତ ପାଇଁ ପ୍ରସ୍ତୁତିପର୍ବ ବି ଆରମ୍ଭ ହୋଇନାହିଁ । ଅନ୍ୟ ପକ୍ଷରେ ବୈଦ୍ୟୁତିକ ଯାନ ବିଶେଷକରି ଦୁଇ ଚକିଆ ଇ-ଯାନ ଖରିଦ କରୁଥିବା ସମସ୍ତ ଗ୍ରାହକଙ୍କର ସୂଚନା ବି ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କ ନିକଟରେ ନାହିଁ । କାରଣ ବହୁ ସଂଖ୍ୟକ ଦୁଇ ଚକିଆ ଯାନର ପଞ୍ଜିକରଣ ଆବଶ୍ୟକ ହେଉନାହିଁ । ଯେଉଁସବୁ ଦୁଇ ଚକିଆ ଯାନ ପଞ୍ଜିକୃତ ହେଉଛି ସେହିସବୁ ଗ୍ରାହକଙ୍କ ମୋବାଇଲ୍‍ ନମ୍ବର ଓ ଠିକଣା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ରହୁଛି । ହେଲେ ଏହା ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ୍‍ ଖାତାକୁ ଅର୍ଥ ପଠାଇବା ସମ୍ଭବ ନୁହେଁ ।

ସରକାରଙ୍କ ଘୋଷଣା ମୁତାବକ ଯଦି ଇ-ପ୍ଲାଟଫର୍ମ ପ୍ରସ୍ତୁତ ହୁଏ ତେବେ ସବସିଡ୍‍ ଅର୍ଥ କିଭଳି ଦିଆଯିବ ସେଥିନେଇ ପରିବହନ ଅଧିକାରୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । କାରଣ ହିତାଧିକାରୀମାନଙ୍କ ଫୋନ୍‍ ନମ୍ବର ଓ ଠିକଣା ଥିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟର କୌଣସି ସୂଚନା ନାହିଁ । ଜଣେ ପରିବହନ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଦୈନିକ ଯେଉଁ ହାରରେ ବୈଦ୍ୟୁତିକ ଗାଡି ବିକ୍ରି ଓ ପଞ୍ଜିକୃତ ହେଉଛି ସେହିସବୁ ହିତାଧିକାରୀଙ୍କୁ ଖୋଜି ପିଛିଲା ତାରିଖରୁ ସବ୍‍ସିଡ୍‍ ଅର୍ଥ ପ୍ରଦାନ କରିବାପାଇଁ ମାସ ମାସ ସମୟ ଲାଗିଯିବ ।

ଅନ୍ୟ ପକ୍ଷରେ ରାଜ୍ୟରେ ବିକ୍ରି ହେଉଥିବା ବୈଦ୍ୟୁତିକ ଯାନର ବିକ୍ରି କାଗଜରେ କେନ୍ଦ୍ର ସରକାର ପ୍ରତ୍ୟେକ ଯାନ ଉପରେ କେତେ ଟଙ୍କାର ରିହାତି ଦେଉଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ ରହୁଥିବାବେଳେ ରାଜ୍ୟ ସରକାରଙ୍କ ସବସିଡ୍‍ ଦର୍ଶାଯାଉ ନାହିଁ । ରାଜ୍ୟ ସରକାର କେବଳ ଗାଡିର ପଞ୍ଜିକରଣ ଓ ଟିକସ ଫି ଛାଡ କରିଛନ୍ତି । ତେବେ କେତେକ ଗାଡି ବିକ୍ରେତା ଲୋକଙ୍କୁ ଭୂତାଇ ପଞ୍ଜିକରଣ, ନମ୍ବରପ୍ଲେଟ ପ୍ରସ୍ତୁତି ଆଦି ନାଁରେ ଗ୍ରାହକଙ୍କ ଠାରୁ ଦୁଇ ରୁ ତିନି ହଜାର ଟଙ୍କା ଆଦାୟ କରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)