Home General ଇ- ଯାନ ପାଇଁ ପ୍ରବଳ ଆଗ୍ରହ

ଇ- ଯାନ ପାଇଁ ପ୍ରବଳ ଆଗ୍ରହ

ଭୁବନେଶ୍ୱର : ବିଦ୍ୟୁତ ଚାଳିତ ଯାନ ବା ଇ-ଯାନ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଚଳିତ ବର୍ଷ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ବିଦ୍ୟୁତ ଚାଳିତ ଯାନ ବିକ୍ରି ହୋଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦,୩୩୬ଟି ବିଦ୍ୟୁତ୍‍ ଚାଳିତ ଦୁଇ ଚକିଆ ଯାନ ବିକ୍ରି ହୋଇଥିବାବେଳେ ୩୫୮୦ଟି ତିନି ଚକିଆ ଓ ୪୫୪ ଟି ଚାରିଚକିଆ ଯାନ ବିକ୍ରି ହୋଇଛି ।

ତେବେ ଉଲ୍ଲେଖନୀୟ କଥା ହେଉଛି କେବଳ ଚଳିତବର୍ଷରେ ୨୨,୭୪୫ ଟି ଦୁଇ ଚକିଆ ବିଦ୍ୟୁତ ଚାଳିତ ଯାନ ବିକ୍ରି ହୋଇଛି । ୨୦୧୬ରେ ରାଜ୍ୟରେ ମାତ୍ର ୨୩ଟି ଏହି ଧରଣର ଯାନ ବିକ୍ରି ହୋଇଥିଲା । ସେହିଭଳି ଚଳିତବର୍ଷ ରାଜ୍ୟରେ ୧୮୯୪ ତିନି ଚକିଆ ବିଦ୍ୟୁତ୍‍ ଚାଳିତ ଯାନ ବିକ୍ରି ହୋଇଛି । ଗତବର୍ଷ ଏହି କିସମର ଯାନ ସଂଖ୍ୟା ଥିଲା ୬୨୩ ।

ସେହିଭଳି ଚଳିତ ବର୍ଷ ଏବେ ସୁଦ୍ଧା ୩୬୬ଟି ଚାରିଚକିଆ ଯାନ ବିକ୍ରି ହୋଇଛି । ଗତ ବର୍ଷ ରାଜ୍ୟରେ ୧୨ଟି ଚାରିଚକିଆ ବିଦ୍ୟୁତ ଚାଳିତ ଯାନ ବିକ୍ରି ହୋଇଥିବାବେଳେ ୨୦୨୦ ରେ ୧୨ଟି ଓ ୨୦୧୯ରେ ମାତ୍ର ଗୋଟିଏ ଯାନ ବିକ୍ରି ହୋଇଥିଲା । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରାକର ବ୍ୟାଟେରୀ ଚାଳିତ ଯାନ ଖରିଦ କ୍ଷେତ୍ରରେ ସବସିଡ୍‍ ପ୍ରଦାନକରୁଛନ୍ତି ଏବଂ ତାହା ଜାରି ରହିଛି । (ତଥ୍ୟ)