ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ବସ୍ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି ।
ଦେଶରେ ପରିବେଶ ଅନୁକୂଳ ଏହି ଇ-ବସ୍ ଚଳାଇବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଶେଷକରି ସହରାଞ୍ଚଳରେ ଇ-ବସ୍ ଚଳାଚଳକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ପିଏମ୍-ଇ ବସ୍ ସେବା ଏବଂ ପିଏମ୍-ଇ-ଡ୍ରାଇଭ୍ ଭଳି ଯୋଜନା ଚଳାଯାଉଛି । ଏହି ଯୋଜନାରେ ଇ-ବସ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।
ଏହି ଯୋଜନାରେ ସାମିଲ ହେବାପାଇଁ ରାଜ୍ୟ ପରିବହନ ନିଗମଗୁଡିକ ସେମାନଙ୍କ ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଇଲେ ଏହା ଉପରେ କେନ୍ଦ୍ର ବିଚାର କରିବ । ସେହିଭଳି ବିଭିନ୍ନ ରାଜ୍ୟର ନଗର ଉନ୍ନୟନ ବିଭାଗ ମଧ୍ୟ ଏଥିପାଇଁ କେନ୍ଦ୍ର ନିକଟରେ ପ୍ରସ୍ତାବ ଦେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ୧୪,୩୨୯ଟି ଇ-ବସ୍ ଯୋଗାଇ ଦିଆଥିବାବେଳେ ଦିଲ୍ଲୀରେ ସର୍ବାଧିକ ୩୫୬୪ଟି ଚଳାଚଳ କରୁଛି । ଏହା ପଛକୁ ରହିଛି ମହାରାଷ୍ଟ୍ର । ସେହି ରାଜ୍ୟରେ ୩୨୯୬ଟି ବସ୍ ଚଳାଚଳ କରୁଥିବାବେଳେ କର୍ଣ୍ଣାଟକରେ ୨୨୩୬ଟି, ଉତ୍ତରପ୍ରଦେଶରେ ୮୫୦ଟି ଓ ଏହା ପଛକୁ ଓଡିଶାକୁ ୪୫୦ଟି ଇ-ବସ୍ ମିଳିଛିି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଇ-ବସ୍ ସଂଖ୍ୟା ୨୩୮ଟି ଥିବାବେଳେ ଛତିଶଗଡରେ ୨୧୫, ଝାଡଖଣ୍ଡରେ୪୬ ଓ ପଶ୍ଚିମବଙ୍ଗରେ ୩୯୧ଟି ଇ-ବସ୍ ମିଳିଛି ।
ନୀତି ଆୟୋଗ ପକ୍ଷରୁ ସମଗ୍ର ଦେଶରେ ଏହି ପରିବେଶ ଅନୁକୂଳ ଇ-ବସ୍ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ହେଉଥିବା ୫୦ହଜାର ଇ-ବସ୍ ଲକ୍ଷ୍ୟ ପୂରଣ ପାଇଁ କନଭରଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ (ସିଇସିଏଲ୍)କୁ ୨୦୨୨ ମସିହାରେ କୁହାଯାଇଥିଲା । ତେବେ କେନ୍ଦ୍ରୀୟ ଅନୁଦାନ ସହିତ ପଞ୍ଜିକରଣ ଓ ଟିକସ ଆଦି ଛାଡ ବ୍ୟବସ୍ଥା ଥିବା ଓଡିଶା ସମେତ ଅନ୍ୟ ବହୁ ରାଜ୍ୟ ଇ-ବସ୍କୁ ଆପଣେଇବାରେ ଲାଗିଛନ୍ତି ।
ଓଡିଶାକୁ ମିଳିଥିବା ଇ-ବସ୍ ଚଳାଚଳ ପାଇଁ କ୍ରୁଟ୍ ଗଠନ ହୋଇଥିବାବେଳେ ଏହି ବସ୍ଗୁଡିକ ମୁଖ୍ୟତଃ ଭୁବନେଶ୍ୱର, ପୁରୀ ଓ ଏହାର ଆଖପାଖରେ ଚଳାଚଳ କରୁଛି । ରାଜ୍ୟ ସରକାର ଏବେ ଇ-ବସ୍ ଚଳାଚଳକୁ ଅନ୍ୟ ସହରଗୁଡିକୁ ସମ୍ପ୍ରସାରିତ କରୁଥିବାବେଳେ ଧିରେ ଧିରେ ଅଧିକରୁ ଅଧିକ ଇ-ବସ୍ ସାମିଲ ପାଇଁ ଯୋଜନା କରୁଛନ୍ତି । ତେବେ ସହରାଞ୍ଚଳରେ ଶୀତତାପନିୟନ୍ତ୍ରିତ ଏହି ବସ୍ଗୁଡିକରେ ଯାତ୍ରା ଶସ୍ତା ଓ ସହଜ ହୋଇଥିବାରୁ ଲୋକେ ଅନ୍ୟାନ୍ୟ ପରିବହନ ବଦଳରେ ଏଥିରେ ଯିବାକୁ ଅଧିକ ସଂଖ୍ୟାରେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । (ତଥ୍ୟ)