Home Health ଇ-ପଂଜୀକରଣ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

ଇ-ପଂଜୀକରଣ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ତଥା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମ୍‌ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡ୍‌ଭାନ୍ସଡ୍‌ କମ୍ପୁ୍ୟଟିଙ୍ଗ୍‌ ସି-ଡାକ୍‌ ସହ ଏକ ଚୁକ୍ତି ହୋଇଥିଲା ।

ଏହାର ଫଳ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ କଟକ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ଭୁବନେଶ୍ୱର, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ), କଟକଠାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ।

ଏବେ ରାଜ୍ୟର ୩୧ ଡିଏଚ୍‌ଏଚ୍‌ଏସ୍‌, ୧୧ ଏମ୍‌ସିଏଚ୍‌ଏସ୍‌୍‌ ଓ ୧୦୬ ୟୁପିଏଚ୍‌ସିଏସ୍‌ଠାରେ ଏହି କଷ୍ଟୋମାଇଜଡ୍‌ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମ୍‌ ଲାଗୁ କରାଯିବ । ଆଜି ଏଥି ପାଇଁ ରାଜ୍ୟ ସରକାର ଓ ସି-ଡାକ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ଓ ସି-ଡାକ୍‌ ପକ୍ଷରୁ ରାଜୀବ ଯାଦବ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଏହା ଦ୍ୱାରା ରାଜ୍ୟର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଉପକୃତ ହୋଇପାରିବେ । ଏହା ମାଧ୍ୟମରେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ସହ ଓପିଡ଼ି ପାଇଁ ରେଜିଷ୍ଟ୍ରେସନ୍‌ କରାଯାଇପାରିବ । ସାଧାରଣ ଲୋକଟିଏ ଆଉ ଧାଡ଼ିରେ ଠିଅ ନହୋଇ ଘରେ ବସି ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଡାକ୍ତରଙ୍କଠାରୁ ଆପଏଣ୍ଟମେଣ୍ଟ ନେଇପାରିବ । ଏହା ମାଧ୍ୟମରେ ଇଲେକ୍‌ଟ୍ରୋନିକ୍‌ ହେଲ¬ ରେକର୍ଡ ସାଇତି ରଖାଯାଇପାରିବା ସହ ବିଭିନ୍ନ ନିଦାନର ରିପୋର୍ଟ ମଧ୍ୟ ମିଳିପାରିବ । ସି-ଡାକ୍‌ ପକ୍ଷରୁ ସଫଫେୱୟାର ଯୋଗାଇ ଦିଆଯିବାବେଳେ ଓକାକ୍‌ ପକ୍ଷରୁ ହାଡ୍‌ୱୟାର ବ୍ୟବସ୍ଥା କରାଯିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଓ ଓକାକ୍‌ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।