Home Agriculture ଇ-ନାମ ପୋର୍ଟାଲରେ ଓଡିଶାର ୫୪ ମଣ୍ଡି

ଇ-ନାମ ପୋର୍ଟାଲରେ ଓଡିଶାର ୫୪ ମଣ୍ଡି

ଭୁବନେଶ୍ୱର : ଜାତୀୟ କୃଷି ବଜାର (ଇ-ନାମ) ପୋର୍ଟାଲରେ ଓଡିଶାର ୫୪ଟି ମଣ୍ଡି ସାମିଲ ହୋଇଛି । କୃଷି ବଜାର ସଂସ୍କାର କ୍ଷେତ୍ରରେ ଓଡିଶା ଅନ୍ୟତମ ଅଗ୍ରଣୀ ରାଜ୍ୟଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଉଚିତ୍‍ ଦର ଦୋପାଇଁ ଏହାର ଅନ୍‍ଲାଇନ୍‍ ବଜାର ବିକ୍ରିବଟା ଲାଗି ବିଭିନ୍ନ ରାଜ୍ୟର ହୋଲସେଲ ମଣ୍ଡି, ବଜାର ଆଦିକୁ ଅନଲାଇନ୍‍ରେ ଯୋଡିବାପାଇଁ ଇ-ନାମ୍‍ ହେଉଛି ଏକ ଭର୍ଚୁଆଲ ପ୍ଲାଟଫର୍ମ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଣ୍ଡିଗୁଡିକୁ ଇ-ନାମ ପ୍ଲାଟଫର୍ମରେ ଯୋଡିବାପାଇଁ ଥିବା କୃଷି ଉତ୍ପାଦନ ବଜାର କମିଟି (ଏପିଏମ୍‍ସି)ରେ ତିନିଟି ସଂସ୍କାର ଆବଶ୍ୟକ ।

ପ୍ରଥମେ ସେମାନଙ୍କର ନିକଟରେ ଇ-ବ୍ୟବସାୟ ପାଇଁ ଭିତ୍ତିଭୂମି ଥିବା ଆବଶ୍ୟକ । ଦ୍ୱିତୀୟରେ ବଜାର ଫି ପାଇଁ ଗୋଟିଏ ସ୍ଥାନରେ ଲେଭି ଆଦାୟ ବ୍ୟବସ୍ଥା ଏବଂ ରାଜ୍ୟ ପାଇଁ ଏକକ ବ୍ୟବସାୟ ଲାଇସେନ୍ସ ଜରୁରୀ । ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଆଧାରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମିଳିଥିବା ପ୍ରସ୍ତାବକୁ ଇ-ନାମ୍‍ରେ ଯୋଡିବାପାଇଁ କେନ୍ଦ୍ର ସରକାର ବିଚାରକୁ ନେଇଛନ୍ତି ।

ଓଡିଶାରୁ ମିଳିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିବା ସହିତ ୫୪ଟି ମଣ୍ଡିକୁ ଇ-ନାମ୍‍ ପୋର୍ଟାଲରେ ସାମିଲ କରିଛନ୍ତି । ଏହାବାଦ୍‍ ଇ-ନାମ୍‍ରେ କୃଷି ଉତ୍ପାଦନକାରୀ ସଂଗଠନ (ଏଫ୍‍ପିଓ)କୁ ସାମିଲ ପ୍ରକ୍ରିୟା ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୧୭୭ଟି ଏଫ୍‍ପିଓ ଇ-ନାମ୍‍ରେ ଯୋଡିହେବା ପାଇଁ ନିଜକୁ ପଞ୍ଜିକୃତ କରିଥିବା ଅଧିକାରୀ ସୂତ୍ରରୁ ଜଣାପଡିଛି । (ତଥ୍ୟ)