Home General ଇ-ଡେସ୍‍ପାଚ୍‍ର ସ୍ଥିତି ସୁଧୁରୁନି

ଇ-ଡେସ୍‍ପାଚ୍‍ର ସ୍ଥିତି ସୁଧୁରୁନି

ଭୁବନେଶ୍ୱର : ହାତଗଣତି କେତୋଟି ବିଭାଗକୁ ବାଦ୍‍ ଦେଲେ ସରକାରଙ୍କର ଅନ୍ୟ ବିଭାଗଗୁଡିକ ଇ-ଡେସ୍‍ପାଚରେ ସେମାନଙ୍କ ଚିଠି ନିୟମିତ ଭାବେ ଅପଲୋଡ କରୁନାହାନ୍ତି । ରାଜ୍ୟ ଜନସଂଖ୍ୟା ଠାରୁ ଅଧିକ ଲୋକ ଇ-ଡେସପାଚ୍‍ ଖୋଲୁଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନାହିଁ ।

ସରକାର ଦର୍ଶାଉଛନ୍ତି ଯେ ୨୦୧୧ରୁ ବର୍ତ୍ତମାନ ସୁଦ୍ଧା ୪.୭୨ କୋଟି ଲୋକ ଇ-ଡେସପାଚ୍‍ ଦେଖି ସାରିଲେଣି । ହେଲେ ଉଚ୍ଚଶିକ୍ଷା, ଗୃହ, ଆଇନ୍‍, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଜଳସମ୍ପଦ ଭଳି ହାତଗଣତି କେତୋଟି ବିଭାଗକୁ ବାଦ୍‍ଦେଲେ ଅନ୍ୟ ବିଭାଗଗୁଡିକ ଏଥିରେ ନିୟମିତ ଭାବେ ବିଭାଗର ଚିଠି ଅପଲୋଡ କରୁନାହାନ୍ତି । ଫଳରେ ପୂବଭଳି ଲୋକେ ଆଉ ଇ-ଡେସପାଚ୍‍ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି କି ସରକାରଙ୍କ ତଥ୍ୟ ସଂକ୍ରାନ୍ତରେ ଅବଗତ ହେଉନାହାନ୍ତି ।

ସାଧାରଣ ଲୋକେ ଯେଭଳି ସରକାରଙ୍କର ଦୈନନ୍ଦିନ କାର୍ଯ୍ୟ ସଂକ୍ରାନ୍ତରେ ଅବଗତ ହୋଇପାରିବେ ସେଥିପାଇଁ ଆଇଟି ବିଭାଗ ସହାୟତାରେ ଇ-ଡେସପାଚ୍‍ ତିଆରି ହୋଇଥିଲା । ଏଥିରେ ସରକାରୀ ଚିଠି ଅଲୋଡ୍‍ କରିବାପାଇଁ ବିଭାଗର କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାପକ ଅର୍ଥ ବ୍ୟୟରେ ତାଲିମ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ସମସ୍ତ ଚିଠି ତାଲିକାରୁ ଗୋନୀୟ ଚିଠିକୁ ବାଦ୍‍ ଦିଆଯାଇଥିଲା । ହେଲେ ଥିରେ ଧିରେ ଅଧିକାଂଶ ବିଭାଗ ଏହାକୁ ଆଳକରି ଆଉ ଚିଠି ଅପଲୋଡ୍‍ କଲେ ନାହିଁ କି ସରକାର ମଧ୍ୟ ଏ ସଂକ୍ରାନ୍ତରେ ସେମାନଙ୍କୁ ତାଗିଦା କଲେନାହିଁ ।

ରାଜ୍ୟରେ ନୂଆ ସରକାର ଆସିବାପରେ ମଧ୍ୟ ଏହି ଧାରା ବଳବତ୍ତର ରହିଛି । ଅଫିସରମାନେ ପୂର୍ବଭଳି ଚିଠି ଅପଲୋଡ କରିବାକୁ ଅମଙ୍ଗ । ଖୋଦ ରାଜ୍ୟପାଳଙ୍କ ସଚିବାଳୟ ଗତବର୍ଷ ମାର୍ଚ୍ଚ ୧୮ ତାରିଖରେ ଶେଷ ଚିଠି ଅପଲୋଡ କରିଥିଲା । ସେହିଭଳି କୃଷି ବିଭାଗ ଗତବର୍ଷ ଅକ୍ଟୋବର ମାସରେ ଶେଷ ଚିଠି ପକାଇଥିବାେଳେ ସମବାୟ ବିଭାଗ ଗତବର୍ଷ ଫେବୃୟାରୀ ମାସରେ, ଶକ୍ତି ବିଭାଗ ଗତବର୍ଷ ଅଗଷ୍ଟ ମାସରେ, ଅବକାରୀ ବିଭାଗ ୨୦୧୮ ମସିହାରେ ଡିସେମ୍ବରରେ, ପଶୁ ସମ୍ପଦ ନିର୍ଦ୍ଦେଶାଳୟ ୨୦୧୮ ଡିସେମ୍ବରରେ, ଜଙ୍ଗଲ ଓ ପରିବଶେ ବିଭାଗ ୨୦୨୩ ମାର୍ଚ୍ଚ ମାସରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୨୨ ଅଗଷ୍ଟ ମାସରେ ଶେଷଥର ପାଇଁ ଇ-ଡେସପାଚ୍‍ରେ ଚିଠି ଅପଲୋଡ କରିଥିଲେ । ଏହି ତାଲିକାରେ ଅନେକ ବିଭାଗ ରହିଛନ୍ତି ।

ତେବେ ଖୋଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଗୋଟିଏ ହେଲେ ଚିଠି ଇ-ଡେସ୍‍ପାଚ୍‍ରେ ମିଳୁନଥିବାବେଳେ ଲୋକସେବାଭବନରେ ଥିବା ଆଇଟି ସେଲ୍‍ର ବି ସମାନ ଅବସ୍ଥା । ଶିଳ୍ପ ବିଭାଗ, ମିଶନ ଶକ୍ତି ବିଭାଗର ବି ଇ-ଡେସପାଚ୍‍ରେ ଗୋଟିଏ ହେଲେ ଚିଠି ନାହିଁ । ଇ-ଡେସ୍‍ପାଚର ସଫଳତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହିତ ଅନ୍ୟ ରାଜ୍ୟକୁ ଏହି ସଫ୍ଟୱର ବିକ୍ରି କରିଥିବା ଓଡିଶାରେ ଆଜି ଏହି ବ୍ୟବସ୍ଥାଟି ଏକପ୍ରକାର ଅଚଳ । ନୂଆ ସରକାର ଆସିବାପରେ ଇ-ଡେସ୍‍ପାଚ ସ୍ଥିତିରେ ସୁଧାର ଆସିବ ବୋଲି ଅନେକ ଆଶା କରିଥିବାବେଳେ ତାହା ବି ମଉଳି ଗଲାଣି । (ତଥ୍ୟ)