Home General ଇ-ଡେସ୍‍ପାଚ୍‍ର ନବକଳେବର

ଇ-ଡେସ୍‍ପାଚ୍‍ର ନବକଳେବର

ଭୁବନେଶ୍ୱର : କିଛି ଦିନ ଧରି ଏକ ପ୍ରକାର ଅଚଳ ହୋଇ ପଡିଥିବା ରାଜ୍ୟ ସରକାରଙ୍କ ଇ-ଡେସ୍‍ପାଚ୍‍ର ଏବେ ନବକଳେବର ହେବାକୁ ଯାଉଛି । ଏଥିରେ କୃତ୍ରିମ ବୁଦ୍ଧିମତା (ଏଆଇ) ସଂଯୁକ୍ତ କରିବା ସହିତ ତାହାର ପୂର୍ବାବସ୍ଥା ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

୨୦୦୮-୦୯ ମସିହାରେ ଓଡିଶା ସରକାର ଆରମ୍ଭ କରିଥିଲେ ଇ-ଡେସ୍‍ପାଚ୍‍ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପୋର୍ଟାଲରେ ଥିବା ଏହି ବ୍ୟବସ୍ଥାରେ ସମସ୍ତ ସରକାରୀ ଚିଠି ଅପଲୋଡ୍‍ କରାଯାଉଥିଲା । ଫଳରେ ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗାଁ ଗହଳର ସାଧାରଣ ଲୋକେ ବି ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ପାଇପାରୁଥିଲେ ।

ପ୍ରାରମ୍ଭିକ ଅବସ୍ଥାରେ ଏଥିରୁ ବେଶ୍‍ ସୁଫଳ ମିଳିଥିଲା । ଏଥିପାଇଁ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । କିଭଳି ସରକାରୀ ଚିଠିକୁ ଅପଲୋଡ୍‍ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଓଡିଶା ସରକାରଙ୍କ ଇ-ଡେସ୍‍ପାଚ୍‍ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହିତ କେତେକ ରାଜ୍ୟ ଓଡିଶା ସରକାରଙ୍କ ଠାରୁ ଏହି ସଫ୍ଟୱେରକୁ ଖରିଦ କରିଥିଲେ ।

ହେଲେ ପରବର୍ତ୍ତୀ ସମୟରେ ଇ-ଡେସ୍‍ପାଚ୍‍ ଉପରେ କଟକଣା ଲାଗିବା ଆରମ୍ଭ ହୋଇଥିଲା । କେଉଁ ଚିଠି ଏଥିରେ ଅପ୍‍ଲୋଡ୍‍ କରାଯିବ ଓ କେଉଁ ଚିଠି କରାଯିବ ନାହିଁ ତାହା ଉପରେ ତର୍ଜମା ହେବା ସହିତ ସରକାରୀ ଗୋପନୀୟତାର ଆଳ ଦେଖାଯାଇ ବହୁ ଚିଠିକୁ ଆଉ ଇ-ଡେସ୍‍ପାଚ୍‍ରେ ଅପଲୋଡ୍‍ କରାଗଲା ନାହିଁ । ଧିରେ ଧିରେ ଇ-ଡେସ୍‍ପାଚ୍‍ ଏକ ପ୍ରକାର ଅଚଳ ହୋଇଥିଲା । ବିଭାଗମାନେ ବର୍ଷ ବର୍ଷ ଧରି ଏଥିରେ ଆଉ ଚିଠି ଅପଲୋଡ୍‍ କଲେନାହିଁ । ଏପରିକି ଏହାର ପ୍ରସ୍ତୁତକର୍ତ୍ତା ଓ ପରିଚାଳନା ଦାୟିତ୍ୱରେ ଥିବା ଆଇଟି ବିଭାଗର ଚିଠିଟିଏ ମଧ୍ୟ ଏଥିରେ ଦେଖିବାକୁ ମିଳିଲା ନାହିଁ ।

ଏ ନେଇ ବାରମ୍ବାର ଅଭିଯୋଗ ହେବାପରେ ବି କେହି ଆଉ ଏଥିପ୍ରତି କର୍ଣ୍ଣପାତ କଲେନାହିଁ । ଫଳରେ ଏକଦା ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ଇ-ଡେସ୍‍ପାଚ୍‍ ତାହାର ସ୍ୱତନ୍ତ୍ରତା ହରାଇ ବସିଲା । ବର୍ତ୍ତମାନ ରାଜ୍ୟରେ ସରକାର ବଦଳିବା ପରେ ପୁଣିଥରେ ଇ-ଡେସ୍‍ପାଚ୍‍କୁ ତାହାର ପୂର୍ବାବସ୍ଥାକୁ ଫେରାଇ ଆଣିବାପାଇଁ ଯୋଜନା ହେଉଥିବାର ସୂଚନା ମିଳୁଛି ।

ଖୁବ୍‍ଶୀଘ୍ର ଇ-ଡେସ୍‍ପାଚ୍‍ରେ ଚେନ୍‍ ଏଆଇ ବ୍ୟବସ୍ଥାକୁ ସାମିଲ କରାଯିବ । ଫଳରେ ଯେକୌଣସି ବିଷୟର ପୁରୁଣା ଚିଠିକୁ ଖୋଜିବାର କେଇ କ୍ଷଣ ମଧ୍ୟରେ କର୍ତ୍ତୃପକ୍ଷ ତାହାକୁ ପାଇଯିବେ । ଏଥିଯୋଗୁଁ ସରକାରୀ କାର୍ଯ୍ୟ ସହଜ ହେବା ସହିତ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଜାରି ହୋଇଥିବା ଚିଠିକୁ ଆଉ ପୂର୍ବଭଳି ଦିନ ଦିନ ଧରି ଖୋଜିବାକୁ ପଡିବ ନାହିଁ । ଏ ଦିଗରେ ବର୍ତ୍ତମାନ ପଦକ୍ଷେପ ଆରମ୍ଭ ହୋଇଥିବାବେଳେ ଅଳ୍ପଦିନ ମଧ୍ୟରେ ଏହା ବାସ୍ତବ ରୂପ ନେବବୋଲି ସୂଚନା ମିଳିଛି । (ତଥ୍ୟ)