ଭୁବନେଶ୍ୱର : ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାବେଳେ ଇ-କେୱାଇସି ଯାଞ୍ଚ ପରେ ଏମାନଙ୍କ ମଧ୍ୟରୁ କେତେ ବାଦ ପଡିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି ଯାଞ୍ଚରେ ସାମିଲ ହୋଇନଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଦ୍ପଡିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ବାଦ୍ ପଡିବାକୁ ଥିବା କାର୍ଡଧାରୀଙ୍କ ସ୍ଥାନରେ ଅପେକ୍ଷାରତ ଆବେଦନକାରୀମାନେ ସାମିଲ ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ଲକ୍ଷ ୬୬ହଜାର ୪୯୧ ପରିବାର ସାମିଲ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯେଜାନାରେ ୩,୧୫,୨୩୭ ପରିବାର ରହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କ ମଧ୍ୟରେ ୧୨,୫୨,୫୮୧ ପରିବାର ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ଅଛନ୍ତି ।
ମାଗଣା ଚାଉଳା ପାଉଥିବା ଏହି ସମସ୍ତ ରାସନକାର୍ଡଧାରୀଙ୍କ ପାଇଁ ଏବେ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ଏଥିରେ ରାସନକାର୍ଡରେ ଥିବା ପ୍ରତ୍ୟେକ ହିତାଧିକାରୀଙ୍କ ଆଧାର ଲିଙ୍କ୍ କରାଯାଉଛି । ଥରେ ଇ-କେୱାଇସି ଅପଡେଟ୍ ହୋଇଗଲେ ହିତାଧିକାରୀଙ୍କ ସମସ୍ତ ସୂଚନା ବିଶେଷକରି ଆୟ, ଜମିଜମା ଆଦିର ସୂଚନା ସରକାରଙ୍କ ପାଖରେ ପହଞ୍ଚିଯିବ । ଇ-କେୱାଇସି ନହେଲେ ରାସନକାର୍ଡ ଅଚଳ ହେବାକୁ ଥିବାରୁ ଗାଁଠୁ ସହରଯାଏ ଏବେ ଲୋକେ ଧାଁ ଦଉଡ କରୁଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୩ଲକ୍ଷ ରାସନକାର୍ଡଧାରୀ ଇ-କେୱାଇସି ଠାରୁ ଦୂରରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ନିଜଆଡୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ମାଗଣା ଚାଉଳ ଖାଉଥିବା ବହୁ ହିତାଧିକାରୀ ଇତି ମଧ୍ୟରେ ସୁଉଚ୍ଚ କୋଠାର ମାଲିକ ହେବା ସହିତ ସେମାନଙ୍କ ଘରେ ମଧ୍ୟ ଏକାଧିକ ଚାରିଚକିଆ ଯାନ ରହିଛି । ସେହିଭଳି କିଛି ମାଗଣା ଚାଉଳ ପାଉଥିବା ଲୋକେ ଇତି ମଧ୍ୟରେ ଆୟକରଦାତା ତାଲିକାରେ ସାମିଲ ହୋଇଗଲେଣି ।
ତେବେ ପୂର୍ବରୁ ଆଧାର ଲିଙ୍କ୍ ନଥିବା ଏବଂ ଇ-କେୱାଇସି ବ୍ୟବସ୍ଥା ନଥିବାରୁ ଏମାନେ ନିୟମିତ ଭାବେ ମାଗଣା ଚାଉଳ ଓ ଗହମ ଉଠାଇ ଚାଲିଥିଲେ ଏବଂ ସରକାରୀ ମାନଦଣ୍ଡ ଆଧାରରେ ନିଜକୁ ବାଦ୍ ଦେଉନଥିଲେ କିମ୍ବା ଏମାନଙ୍କ ବାଦ୍ ଦେବାପାଇଁ କେହି ପଦକ୍ଷେପ ଗ୍ରହଣ କରୁନଥିଲେ । ଏବେ ଇ-କେୱାଇସି ପୂରଣ କରିବାପରେ ଏମାନଙ୍କ ରାସନକାର୍ଡ କଟିବ ଏବଂ ଆଖପାଖ ଲୋକେ ଏମାନଙ୍କ ସମ୍ପତ୍ତିର ସୂଚନା ପାଇବେ ସେହି ଆଶଙ୍କାରେ ଲକ୍ଷାଧିକ ହିତାଧିକାରୀ ଏଥିରୁ ଦୂରେଇ ରହୁଛନ୍ତି ।
ଗୋଟିଏ ପଟେ ରାସନକାର୍ଡଧାରୀମାନେ ଇ-କେୱାଇସିରୁ ଦୂରେଇ ରହୁଥିବାବେଳେ ଅନ୍ୟପଟେ ପ୍ରତ୍ୟେକ ଜିଲ୍ଲାରେ ରାସନକାର୍ଡଟିଏ ପାଇବାପାଇଁ ଲେକେ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ତେଣୁ ବାଦ୍ ପଡୁଥିବା ହିତାଧିକାରୀମାନଙ୍କ ସ୍ଥାନରେ ସେମାନଙ୍କୁ ସାମିଲ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଆପାତତଃ ଆସନ୍ତା ନୂଆବର୍ଷରୁ ଅନେକ ଆବେଦନକାରୀ ରାସନକାର୍ଡ ପାଇବାର ସମ୍ଭାବନା ଉପୁଜିଛି । (ତଥ୍ୟ)