ଭୁବନେଶ୍ୱର : ଓଡିଶାର ଖଣିଜ ସମ୍ପଦରେ ଆକର୍ଷିତ ହୋଇ ରାଜ୍ୟକୁ ଇସ୍ପାତ କମ୍ପାନୀମାନଙ୍କର ଧାଡି ଲାଗୁଥିବାବେଳେ ଏମାନଙ୍କୁ ଜଳ ଯୋଗାଣ ବଡ ଆହ୍ୱାନ ହେଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ଟି ଛୋଟ ବଡ ଇସ୍ପାତ କମ୍ପାନୀ ଥିବାବେଳେ ଏମାନଙ୍କୁ ପାଖାପାଖି ୬୦୦ କ୍ୟୁସେକ ଜଳଯୋଗାଣ ପାଇଁ ଅନୁମତି ମିଳିଛି । ଆହୁରି ଅଧିକ ଇସ୍ପାତ କାରଖାନା ଆସିବାକୁ ଥିବାରୁ ଏମାନଙ୍କୁ କିଭଳି କେଉଁଠାରୁ ଜଳ ଯୋଗାଯିବ ତାହା କର୍ତ୍ତୃପକ୍ଷ ପାଇଁ ଚିନ୍ତାର କାରଣ ପାଲଟିଲାଣି ।
ରାଜ୍ୟରେ ଥିବା ୫୪ଟି ଇସ୍ପାତ କାରଖାନା କଟକ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଜଗତ୍ସିଂହପୁର ଆଦି ଜିଲ୍ଲାରେ ଗଢି ଉଠିଛନ୍ତି । ଏମାନେ ସାଧାରଣତଃ ଜଳ ପାଇଁ ମହାନଦୀ, କୋଏଲ, ହୀରାକୁଦ ଜଳଭଣ୍ଡାର, ଇବ୍, ବ୍ରାହ୍ମଣୀ, ସମଲ ବ୍ୟାରେଜ, କାରୋ, ତାଳଦଣ୍ଡା କେନାଲ, ଆରଡେଇ ନଦୀ, କିସିନ୍ଦା ନାଳ, ଗମ୍ଭୀରା ନାଳ, ସମଲ ବ୍ୟାରେଜ, ସୋନା ନଦୀ, ଖରସୁଆଁ, ଶଙ୍ଖ, ଖୁନାପାଲି ନାଳ ଓ କୁନ୍ଦୁରା ଆଦି ନାଳ ଉପରେ ନିର୍ଭର କରୁଛନ୍ତି ।
ଇସ୍ପାତ କାରଖାନା ମଧ୍ୟରେ ସର୍ବାଧିକ ୧୧୨.୮୧ କ୍ୟୁସେକ ଜଳ ନେବାପାଇଁ ଅନୁମତି ମିଳିଛି ରାଉରକେଲା ଇସ୍ପାତକାରଖାନାକୁ । ସୁନ୍ଦରଗଡ ଜିଲ୍ଲାର କୁଲୁଙ୍ଗା ଠାରେ ଥିବା ଏହି ବୃହତ୍ ଇସ୍ପାତ କାରଖାନା କୋଏଲ ଓ ବ୍ରାହ୍ମଣୀ ନଦୀରୁ ପାଣି ଟାଣୁଛି । ଏହା ପଛକୁ ରହିଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର । ଅନୁଗୁଳରେ ଅବସ୍ଥିତ ଏହି କାରଖାନା ସମଲ ବ୍ୟାରେଜରୁ ୫୦ କ୍ୟୁସେକ ପାଣି ନେଉଥିବାବେଳେ ସମ୍ବଲପୁର ଠାରେ ଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ହୀରାକୁଦ ଜଳଭଣ୍ଡାରରୁ ୪୫ କ୍ୟୁସେକ ପାଣି ନେଉଛି ।
ଯାଜପୁରର ଡୁବୁରୀ ଠାରେ ଥିବା ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍ ବ୍ରାହ୍ମଣୀରୁ ୧୪.୪ କ୍ୟୁସେକ ପାଣି ଟାଣୁଥିବାବେଳେ ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ବ୍ରାହ୍ମଣୀରୁ ୨୯ କ୍ୟୁସେକ ପାଣି ନେଉଥିବାବେଳେ ସୁନ୍ଦରଗଡରେ ଥିବା ରୁଙ୍ଗ୍ଟା ମାଇନ୍ସ କାରୋନୀ ନଦୀ ଓ କୁରାରୀ ନଦୀରୁ ୧୪.୩୫ କ୍ୟୁସେକ ଜଳ ନେଉଛି । ସେହିଭଳି କଳିଙ୍ଗନଗରରେ ଟାଟା ଇସ୍ପାତ ନେଇଥିବା ପୂର୍ବର ନୀଳାଚଳ ଇସ୍ପାତ କାରଖାନା ଖରସୁଆଁରୁ ପ୍ରାୟ ୧୩ କ୍ୟୁସେକ ଜଳ ଟାଣିବାକୁ ଅନୁମତି ପାଇଛି ।
ସଂଖ୍ୟାଧିକ ଇସ୍ପାତ କାରଖାନା ମହାନଦୀ ଜଳଭଣ୍ଡାର, ମହାନଦୀ ଓ ବ୍ରାହ୍ମଣୀ ଉପରେ ନିର୍ଭରଶୀଳ ଥିବାବେଳେ ଆଗାମୀ ଦିନରେ ଆଉ ୨୦ଟି ଛୋଟ ବଡ ଇସ୍ପାତ କାରଖାନା ସ୍ଥାପନକୁ ଅନୁମୋଦନ ମିଳିଛି । ତେଣୁ ଏହିସବୁ ଇସ୍ପାତ କାରଖାନା ଓଡିଶାରେ ସେମାନଙ୍କ କାରଖାନା ସ୍ଥାପନ କଲେ ଅଧିକରୁ ଅଧିକ ପରିମାଣର ଜଳ ଆବଶ୍ୟକ କରିବେ ।
ଛତିଶଗଡ କର୍ତ୍ତୃପକ୍ଷ ହୀରାକୁଦର ଉପରମୁଣ୍ଡରେ ଏକାଧିକ ବନ୍ଧ ବାନ୍ଧି ଜଳକୁ ଅଟକାଇଥିବାବେଳେ ଗ୍ରୀଷ୍ମ ଋତୁ ଆରମ୍ଭରୁ ମହାନଦୀ ସମେତ ରାଜ୍ୟର ପ୍ରମୁଖ ନଦୀ ଶଯ୍ୟା ବିଭିନ୍ନ ସ୍ଥାନରେ ଶୁଖିଗଲାଣି । ପାନୀୟଜଳ, କୃଷିକୁ ଜଳ ଯୋଗାଣ ପ୍ରାଥମିକତା ହୋଇଥିବାବେଳେ ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ଜଳଭଣ୍ଡାରଗୁଡିକୁ ନିୟନ୍ତ୍ରଣ କରାଯାଉଛି । ଏଭଳି ସ୍ଥିତିରେ ଇସ୍ପାତ କାରଖାନା ସମେତ ଅନ୍ୟାନ୍ୟ ଖଣିଖାଦାନ ଓ କାରଖାନାଗୁଡିକୁ କିଭଳି ଜଳ ଯୋଗାଣ କରାଯିବ ତାହା ବଡ ଆହ୍ୱାନ ହେଲାଣି । (ତଥ୍ୟ)