ଭୁବନେଶ୍ୱର : ଇଲେକ୍ଟ୍ରି ଡ୍ୟୁଟି ବାବଦରେ ବର୍ଷକୁ ପାଖପାଖି ୮୦୦ କୋଟି ଟଙ୍କା ଆଦାୟ କରୁଥିବା ବିଦ୍ୟୁତ୍ ବିତରଣ କମ୍ପାନୀ ଏବେ ପୁଣି ସିକ୍ୟୁରିଟୀ ଡିପୋଜିଟ ବୋଝ ଲଦିବା ଆରମ୍ଭ କରିଛି । ତେବେ ଏହି ସିକ୍ୟୁରିଟି ଡିପୋଜିଟ ଅର୍ଥ କେଉଁ ବାବଦରେ ବ୍ୟୟ ହେବ ଏବଂ ଗ୍ରାହକମାନଙ୍କ କେଉଁ କାମରେ ଲାଗିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ ।
ରାଜ୍ୟରେ ଏବେ ୮୫ଲକ୍ଷ ୨୯ହଜାର ଘରୋଇ ବିଦ୍ୟୁତ୍ ଗ୍ରାହକ ରହିଥିବାବେଳେ ସେମାନଙ୍କ ଠାରୁ ପ୍ରତି ମାସରେ ମିଟର ରିଡିଂ ଅନୁଯାୟୀ ବିଜୁଳି ବିଲ୍ ଆଦାୟ ହେଉଥିବାବେଳେ ଇଲେକ୍ଟ୍ରି ଡ୍ୟୁଟି ବାବଦରେ ମିଟର ଦେୟର ୪ ପ୍ରତିଶତ ଅର୍ଥ ଆଦାୟ ହେଉଛି । ଏ ବାବଦରେ ୨୦୨୩-୨୪ ବର୍ଷରେ ୭୭୪କୋଟି ୪୨ଲକ୍ଷ ଆଦାୟ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ ଏହି ଅର୍ଥ ଆଦାୟ ପରିମାଣ ୨୭୧କୋଟି ଟଙ୍କାକୁ ଟପିଥିଲା । ଫଳରେ ଚଳିତ ଆର୍ଥିକ ବର୍ଷରେ ଏ ବାବଦୀୟ ଅର୍ଥ ଆଦାୟ ୮୦୦ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି ।
ଇଲେକ୍ଟ୍ରି ଡ୍ୟୁଟି ବାବଦରେ ଆଦାୟ ହେଉଥିବା ଅର୍ଥ ଗ୍ରାହକମାନଙ୍କ ପାଇଁ ପ୍ରତ୍ୟେକ୍ଷ ଓ ପରୋଧ ଭାବରେ ବ୍ୟୟ କରାଯାଉଛି ବୋଲି ଶକ୍ତି ବିଭାଗ ଦର୍ଶାଉଥିବାବେଳେ ଏବେ ପୁଣି ସିକ୍ୟୁରିଟି ବୋଝ ଗ୍ରାହକଙ୍କ ମୁଣ୍ଡରେ ଲଦା ହେଲାଣି । ଓଇଆରସି ନିୟମର ଦ୍ୱାହି ଦେଇ ବିତରଣ କମ୍ପାନୀ ଟାଟା ପାୱାର ଗ୍ରାହକମାନଙ୍କୁ ସିକ୍ୟୁରିଟି ବାବଦୀୟ ଅର୍ଥ ପଇଠ ପାଇଁ ନୋଟିସ୍ ଧରାଇବାରେ ଲାଗିଛି । ଯେଉଁମାନେ ଅର୍ଥ ପ୍ରଦାନ ନକରିବେ ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବବୋଲି ଧମକ ବି ଦେଉଛି ।
ତେବେ ଗ୍ରାହକମାନେ ବିଜୁଳି ସଂଯୋଗ ନେଇଥିବାବେଳେ ସିକ୍ୟୁରିଟି ଡିପୋଜିଟ ଅର୍ଥ ପ୍ରଦାନ କରିଥିବାବେଳେ ଏବେ ପୁଣିଥରେ କ’ଣ ପାଇଁ ପ୍ରଶ୍ନ କଲେ ବିତରଣ କମ୍ପାନୀ ଓଇଆରସି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ହେଲେ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଗଠନ ହୋଇଥିବା ଓଇଆରସି କିନ୍ତୁ ଏ ନେଇ କୌଣସି ବିଧିବଦ୍ଧ ସୂଚନା ପ୍ରଦାନ କରୁନାହିଁ ।
ତେବେ ଟାଟା ପାୱାର ଗ୍ରାହକସେବା କେନ୍ଦ୍ର ପକ୍ଷରୁ କୁହାଯାଉଛି ଯେ ଆଦାୟ ହେଉଥିବା ଏହି ବର୍ଦ୍ଧିତ ଅର୍ଥ ଗ୍ରାହକମାନଙ୍କର ଦୁଇ ବର୍ଷର ବିଜୁଳି ବ୍ୟବହାରକୁ ହିସାବକୁ ନିଆଯାଇ ସ୍ଥିର ହୋଇଛି । ହେଲେ କେଉଁ ଆଧାରରେ ହିସାବ ହୋଇଛି ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରିପାରୁ ନାହାନ୍ତି । ସେହିଭଳି ଗ୍ରାହକ ଦେବାକୁ ଥିବା ଏହି ଅର୍ଥ ବ୍ୟାଙ୍କ୍ରେ ଜମା କରାଯିବ ଏବଂ ଏ ବାବଦୀୟ ସୁଧ ଅର୍ଥ ଗ୍ରାହକ ପାଇବେ ବୋଲି ବିତରଣ କମ୍ପାନୀ କହୁଥିବାବେଳେ କେଉଁ ହାରରେ ସୁଧ ମିଳିବ ଓ କେତେଦିନ ପାଇଁ ମିଳିବ ତାହାର ଉତ୍ତର ମଧ୍ୟ ଗ୍ରାହକମାନଙ୍କୁ ସ୍ପଷ୍ଟଭାବେ ମିଳୁନାହିଁ ।
ଇତି ମଧ୍ୟରେ ବିଦ୍ୟୁତ୍ ଉପଭୋକ୍ତା ସଂଘ ପକ୍ଷରୁ ଏଭଳି ସିକ୍ୟୁରିଟି ଡିପୋଜିଟ୍ ଆଦାୟକୁ ଦୃଢ ଭାବେ ବିରୋଧ କରାଯାଇଥିବାବେଳେ ତୁରନ୍ତ ଏହା ପ୍ରତ୍ୟାହାର ପାଇଁ ଦାବି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଶକ୍ତି ବିଭାଗ କିମ୍ବା ଓଇଆରସି କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ସ୍ପଷ୍ଟତା ଆଣୁନଥିବାରୁ ନୋଟିସ୍ ପାଇବା ସତ୍ୱେ ବହୁ ଗ୍ରାହକ ଅର୍ଥ ପଇଠ କରୁନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)