Home Environment ଇଲେକଟ୍ରିକ ଗାଡି ପାଇଁ ସବ୍‍ସିଡ୍‍

ଇଲେକଟ୍ରିକ ଗାଡି ପାଇଁ ସବ୍‍ସିଡ୍‍

ଭୁବନେଶ୍ୱର : ଇଲେକଟ୍ରିକ ଯାନ ବାହାନ ଖରିଦ ଲାଗି ରାଜ୍ୟ ସରକାର ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ୍‍ ପ୍ରଦାନ କରିବେ । ଓଡିଶା ଇଲେକଟ୍ରିକ ଯାନବାହାନ ନୀତି ୨୦୨୧ ର ଚିଠା ପ୍ରସ୍ତାବରେ ଏହା ଉଲ୍ଲେଖ କରିବା ସହିତ ଏହା ଉପରେ ଜନସାଧାରଣଙ୍କ ମତାମତ ଲୋଡାଯାଇଛି ।

ବିଦ୍ୟୁତ ଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ନୂତନ ନୀତି ଆଣୁଥିବାବେଳେ ଏ ସଂକ୍ରାନ୍ତୀୟ ଚିଠା ପ୍ରସ୍ତାବ ଜାରି କରିଛନ୍ତି । ତଦନୁଯାୟୀ ୪ଚକିଆ ଇଲେକଟ୍ରିକ ଯାନ ପାଇଁ ସର୍ବାଧିକ ଏକ ଲକ୍ଷ ଟଙ୍କାର ସବ୍‍ସିଡ୍‍ ଦେବାକୁ ପ୍ରସ୍ତାବ ଥିବାବେଳେ ୩ଚକିଆ ଯାନ ପାଇଁ ସର୍ବାଧିକ ୧୨ହଜାର ଓ ୨ଚକିଆ ଯାନପାଇଁ ସର୍ବାଧିକ ୫ହଜାର ଟଙ୍କା ରହିଛି ।

ଏଥିରେ ଦର୍ଶାଯାଇଛି ଯେ ରାଜ୍ୟରେ ଯେତେ ଗାଡିମୋଟର ରହିଛି ତାହାର ୮୨ପ୍ରତିଶତ ହେଉଛି ଦୁଇ ଚକିଆ ଏବଂ ଏଗୁଡିକର ବାୟୁ ପ୍ରଦୂଷଣରେ ପ୍ରମୁଖ ଭୂମିକା ରହୁଛି । ସେହିଭଳି ମୋଟ୍‍ ଯାନବାହାନର ୩.୦୬ ପ୍ରତିଶତ ତିନି ଚକିଆ ଏବଂ ୭.୦୪ ପ୍ରତିଶତ କାର ପଞ୍ଜିକୃତ ହୋଇଛି । ଏହିସବୁ ଗାଡି ବଦଳରେ ଲୋକେ କିଭଳି ପ୍ରଦୂଷଣ ମୁକ୍ତ ବିଦ୍ୟୁତ୍‍ଚାଳିତ ଗାଡି ବ୍ୟବହାର କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଚିଠା ପ୍ରସ୍ତାବରେ ଥିବା ଅନ୍ୟ ବ୍ୟବସ୍ଥା ମଧ୍ୟରେ ଏହି ସବୁ ଗାଡି ପାଇଁ ଖରିଦ ପ୍ରୋତ୍ସାହନ, ସ୍କ୍ରାପିଙ୍ଗ୍‍ ପ୍ରୋତ୍ସାହନ ଏବଂ ଋଣର ସୁଧ ଉପରେ ରିହାତି ପ୍ରଦାନ କରାଯିବ । ସେହିଭଳି ବିଦ୍ୟୁତଚାଳିତ ଯାନବାହାନ ପାଇଁ ସଡକ ଟିକସ ଓ ପଞ୍ଜିକରଣ ଫି ଛାଡ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଏଥି ସହିତ ବିଦ୍ୟୁତ୍‍ଚାଳିତ ଗାଡିର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ ଓ ବ୍ୟାଟେରୀ ପରିବର୍ତ୍ତନ କେନ୍ଦ୍ର ରହିବ । ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଥିବାରୁ ତଦନୁଯାୟୀ ତାଲିମ ପ୍ରଦାନ କରାଯିବ ।

ସେହିଭଳି ୨୦୨୫ ସୁଦ୍ଧା ପଞ୍ଜିକୃତ ହେବାକୁ ଥିବା ଯାନବାହାନ ମଧ୍ୟରୁ ୨୦ ପ୍ରତିଶତ ଯେଭଳି ଇଲେକଟ୍ରିକ ଯାନ ରହିବ ସେଥିପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିପାଇଁ ରାଜ୍ୟ ଭିତରେ ଇଲେକଟ୍ରିକଚାଳିତ ଗାଡି ସହିତ ଏଥିରେ ବ୍ୟବହୃତ ହେଉଥିବା ବ୍ୟାଟେରୀ କିଭଳି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଦ୍ୟୁତ୍‍ ଚାଳିତ ଯାନ ଓ ବ୍ୟାଟେରୀ ଉପରେ ଅଧିକ ଗବେଷଣା ଲାଗି ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ । ଏଥି ସହିତ ବିଦ୍ୟୁତ୍‍ ଚାଳିତ ଯାନରୁ ବାହାରିବାକୁ ଥିବା ବ୍ୟାଟେରୀଗୁଡିକ କିଭଳି ପୁନଃ ବ୍ୟବହାରଯୋଗ୍ୟ ହୋଇପାରିବ ସେଥିନେଇ ଚିଠା ପ୍ରସ୍ତାବରେ ଯୋଜନା ରହିଛି ।

ସେହିଭଳି ପ୍ରଦୂଷଣକାରୀ ଯାନ ବାହାନରୁ ଅତିରିକ୍ତ ଭାବେ ଆଦାୟ ହେବାକୁ ଥିବା ଟିକସ, ଫି, ସେସ୍‍ ଆଦିରେ ‘ରାଜ୍ୟ ଇଲେକଟ୍ରିକ ଭେଇକିଲ୍‍ (ଇଭି) ପାଣ୍ଠି’ ଗଠନ ହେବ । ଏହି ପାଣ୍ଠି ଅର୍ଥରେ ବିଦ୍ୟୁତ୍‍ ଚାଳିତ ଯାନବାହାନକୁ ପ୍ରୋତ୍ସାହନ ମିଳିବ । ନୂତନ ଇଲେକଟ୍ରିକ ଯାନବାହାନ ନୀତି ପାଇଁ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଏହି କମିଟିରେ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ, ଶିଳ୍ପ, ଅର୍ଥ, ଗୃହ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶକ୍ତି, ଜଙ୍ଗଲ ଓ ପରିବେଶ ଆଦି ବିଭାଗର ସଚିବ ସଦସ୍ୟ ରହିବେ । ସେହିଭଳି ଟାସ୍କଫୋର୍ସ ନିଷ୍ପତ୍ତି କାର୍ଯ୍ୟକାରୀ ଲାଗି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଗଠନ ଲାଗି ପ୍ରସ୍ତାବ ଅଛି ।