Home Assembly ଇଭି ସବସିଡ୍‍ ୨୩୨ କୋଟି ଟପିଲାଣି

ଇଭି ସବସିଡ୍‍ ୨୩୨ କୋଟି ଟପିଲାଣି

ଭୁବନେଶ୍ୱର : ରାଜ୍ୟରେ ଇଭି ଯାନ କିଣିଥିବା ହିତାଧିକାରୀମାନେ ସବସିଡ୍‍ ବାବଦରେ ୨୩୨ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇ ସାରିଲେଣି । ଏହି ଅର୍ଥ ପାଇବାରେ ଦୁଇ ଚକିଆ ଇଭି ମାଲିକମାନେ ଆଗରେ ରହିଛନ୍ତି ।

ଇଭିଯାନ ସବସିଡ୍‍ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍‍ ୧,୨୨,୫୭୮ଟି ଯାନ ପାଇଁ ୨୩୨, ୪୫, ୪୪, ୫୩୮ ଟଙ୍କାର ସବସିଡ୍‍ ପ୍ରଦାନ କରାଯାଇ ସାରିଲାଣି । ୧,୦୬,୭୬୭ ଜଣ ଦୁଇ ଚକିଆ ଯାନ ହିତାଧିକାରୀମାନେ ପ୍ରାୟ ୧୪୪ କୋଟି ଟଙ୍କାର ସବସିଡ୍‍ ନେଇଥିବାବେଳେ ୧୧,୪୫୫ ତିନି ଚକିଆ ଯାନ ପାଇଁ ୨୯,୩୧,୫୫,୦୦୦ ଏବଂ ୪୩୫୬ ଚାରିଚକିଆ ଯାନ ପାଇଁ ୫୯,୧୪,୧୫,୦୬୪ ଟଙ୍କାର ସବସିଡ୍‍ ପ୍ରଦାନ କରାଯାଇଛି ।

ତେବେ ରାଜ୍ୟରେ ୨ଚକିଆ ଇଭି ଯାନର ପଞ୍ଜିକରଣ ହୁ ହୁ ହୋଇ ବଢୁଥିବା ଉତ୍ତରରୁ ଜଣାଯାଇଛି । ୨୦୨୧ ମସିହାରେ ରାଜ୍ୟରେ ୪୯୪୪ ଟି ଦୁଇ ଚକିଆ ଇଭି ପଞ୍ଜିକରଣ ହୋଇଥିବାବେଳେ ୨୦୨୪ ରେ ତାହା ୫୬ ହଜାରକୁ ଅତିକ୍ରମ କରିଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୬ତାରିଖ ସୁଦ୍ଧା ରାଜ୍ୟରେ ୮୬୮୧ଟି ଦୁଇ ଚକିଆ ଯାନ ପଞ୍ଜିକୃତହୋଇଛି ।

ସେହିଭଳି ୨୦୨୧ ମସିହାରେ ରାଜ୍ୟରେ ମାତ୍ର ୬୨୩ଟି ତିନି ଚକିଆ ଇଭି ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ତାହା ୬୨୧୮ରେ ପହଞ୍ଚିଛି ଏବଂ ଚଳିତ ବର୍ଷ ମାର୍ଚ୍ଚ ୬ତାରିଖ ସୁଦ୍ଧା ୯୬୫ଟି ତିନି ଚକିଆ ଇଭି ପଞ୍ଜିକୃତ ହୋଇସାରିଥିବା ଜଣାଯାଇଛି ।

ଦୁଇ ଚକିଆ ଓ ତିନି ଚକିଆ ଇଭି ଭଳି ଚାରି ଚକିଆ ଇଭିର ମଧ୍ୟ ପଞ୍ଜିକରଣ ବଢିବାରେ ଲାଗିଛି । ୨୦୨୧ ମସିହାରେ ରାଜ୍ୟୋର ମାତ୍ର ୫୬ଟି ଚାରିଚକିଆ ଇଭି ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ଏହି ଧରଣର ଯାନ ପଞ୍ଜିକରଣ ୩୨୦୭ରେ ପହଞ୍ଚିଛି । ଚଳିତବର୍ଷ ମାର୍ଚ୍ଚ ୬ତାରିଖ ସୁଦ୍ଧା ରାଜ୍ୟରେ ୮୫୪ଟି ଚାରିଚକିଆ ଇଭି ପଞ୍ଜିକରଣ ହୋଇ ସାରିଲାଣି ।

ସେହିଭଳି ୨୦୨୧ ମସିହାରେ ରାଜ୍ୟରେ ମାତ୍ର ୩ଟି ଇଭି ବସ୍‍ ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ତାହା ୨୪୯ରେ ପହଞ୍ଚିଥିଲା । ଚଳିତ ବର୍ଷ ମାର୍ଚ୍ଚ ୬ତାରିଖ ସୁଦ୍ଧା ରାଜ୍ୟରେ ୭୩ଟି ଇଭି ବସ୍‍ ପଞ୍ଜିକୃତ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । (ତଥ୍ୟ)