Home General ଇଭି ସବସିଡ୍‍ ୧୫୮କୋଟିରୁ ଅଧିକ

ଇଭି ସବସିଡ୍‍ ୧୫୮କୋଟିରୁ ଅଧିକ

ଭୁବନେଶ୍ୱର : ବୈଦ୍ୟୁତିକ ଯାନ ବା ଇଭି ଖରିଦ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ସବସିଡ୍‍ ବାବଦରେ ୧୫୮ କୋଟି ଟଙ୍କାରୁ ଅଧିକ ସବସିଡ୍‍ ଅର୍ଥ ପ୍ରଦାନ କରିଛନ୍ତି । ଚାରି ଚକିଆ ଇଭି ଯାନ ମାଲିକମାନେ ଅଧିକ ପରିମାଣରେ ସବସିଡ୍‍ ନେବାରେ ଲାଗିଥିବା ଜଣାଯାଇଛି ।

ଓଡିଶା ବୈଦ୍ୟୁତିକ ଯାନ ନୀତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରର ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଏହି ନୀତି ୨୦୨୧ ମସିହା ସେପ୍ଟେମ୍ବର ମାସରୁ ଲାଗୁ କରାଯାଇଛି । ସେହି ଦିନ ଠାରୁ କିଣାଯାଇ ପଞ୍ଜିକୃତ ହୋଇଥବବା ବୈଦ୍ୟୁତିକ ଯାନଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଏହି ପ୍ରୋତ୍ସାହନ ରାଶି ବାବଦରେ ଦୁଇ ଚକିଆ ଯାନକୁ ବ୍ୟାଟେରୀ କିଲୋୱାଟ ପିଛା ୫୦୦୦ ଟଙ୍କା ଓ ସର୍ବାଧିକ ୨୦ହଜାର ଟଙ୍କା ପ୍ରଦାନ କରାଯାଉଥିବାବେଳେ ତିନି ଚକିଆ ଯାନ କ୍ଷେତ୍ରରେ ସର୍ବାଧିକ ୩୦ହଜାର ଟଙ୍କା ପ୍ରଦାନ କରାଯାଉଛି । ସେହିଭଳି ଚାଚକିଅ ଇଭି ଯାନ କ୍ଷେତ୍ରରେ ଗୋଟିଏ କିଲୋୱାଟ ବ୍ୟାଟେରୀ ପାଇଁ ୧୦ ହଜାର ଟଙ୍କା ଓ ଗାଡି ପିଛା ସର୍ବାଧିକ ଦେଢ ଲକ୍ଷ ଟଙ୍କା ଦିଆଯାଉଛି ।

ସବସିଡ୍‍ ବାବଦରେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୫୮ କୋଟି ୨୭ଲକ୍ଷ ୮୫ ହଜାର ୧୩୫ ଟଙ୍କା ଯୋଗାଇ ସାରିଲେଣି । ୨୦୨୨-୨୩ ବର୍ଷରେ ଏ ବାବଦରେ ଗାଡି ମାଲିକମାନଙ୍କୁ ୮କୋଟି ୮୩ଲକ୍ଷ ୪୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିବର୍ଷ ରାଜ୍ୟରେ ୧୨,୯୩୪ ଟି ଦୁଇଚକିଆ ଇଭି ମାଲିକ ସବସିଡ୍‍ ଅର୍ଥ ପାଇଥିବାବେଳେ ୯୬୬ ଜଣ ତିନି ଚକିଆ ଓ ୨୮୨ଜଣ ଚାରିଚକିଆ ଯାନ ମାଲିକ ସବସିଡ୍‍ ଅର୍ଥ ପାଇଥିଲେ ।

ତେବେ ୨୦୨୩-୨୪ ବର୍ଷରେ ଦୁଇ ଚକିଆ ଇଭି ଯାନ ବିକ୍ରିରେ ଅହେତୁକ ବୃଦ୍ଧି ହୋଇଥିଲା । ସେହିଭଳି ୩୧,୫୦୦ ଜଣ ଦୁଇ ଚକିଆ ମାଲିକ ସବସିଡ୍‍ ଅର୍ଥରାଶି ପାଇଥିବାବେଳେ ୩୯୬୬ ତିନି ଚକିଆ ଓ ୧୦୫୨ ଚାରିଚକିଆ ମାଲିକ ସରକାରଙ୍କ ପ୍ରଦାନ କରୁଥିବା ସବସିଡ ରାଶି ପାଇଥିଲେ ।

ଏହା ପରଠାରୁ ଅର୍ଥାତ୍‍ ଚଳିତ ଆର୍ଥକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ ୩୩,୬୩୨ ଜଣ ଦୁଇଚକିଆ ମାଲିକ, ୩୫୮୧ ଜଣ ତିନି ଚକିଆ ଇଭି ମାଲିକ ଓ ୧୫୫୩ଜଣ ଚାରି ଚକିଆ ଇଭିଯାନ ମାଲିକ ସରକାର ଯୋଗାଉଥିବା ସବସିଡ୍‍ ଅର୍ଥ ପାଇଛନ୍ତି । ଚଳିତ ଆର୍ଥିକ ବର୍ଷର ପାଞ୍ଚ ମାସରେ ଏ ବାବଦରେ ୯୨କୋଟି ୨୩ଲକ୍ଷ ୨୨ହଜାର ଟଙ୍କା ସରକାର ଯୋଗାଇ ଦେଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)