Home News in Odia ଇଭି ଯାନ କମ୍ପାନୀ ଲୁଟୁଛନ୍ତି

ଇଭି ଯାନ କମ୍ପାନୀ ଲୁଟୁଛନ୍ତି

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‍ ଚାଳିତ ଦୁଇ ଚକିଆ ଯାନର ଚାହିଦା ବୃଦ୍ଧି ପାଉଥିବାବେଳେ ବିକ୍ରେତାମାନେ ମନ ଇଚ୍ଛା ଦର କଷୁଛନ୍ତି । ରାଜ୍ୟ ସରକାରଙ୍କ ସବସିଡ୍‍କୁ ନଜରରେ ରଖି ସେମାନେ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଲକ୍ଷ୍ୟ କରାଯାଉଛି ।

ଓଡିଶା ବଜାରରେ ଏବେ ଏକାଧିକ ବିଦ୍ୟୁତ୍‍ ଚାଳିତ ଯାନ ନିର୍ମାତା ସେମାନଙ୍କ ପସରା ମେଲାଇଛନ୍ତି । ପ୍ରାୟ ପ୍ରତ୍ୟେକ ଯାନ ନିର୍ମାତା ସେମାନଙ୍କ ଗାଡିର ସବିଶେଷ ବିବରଣୀ ସହିତ ଏହାର ଦର ୱେବସାଇଟ୍‍ରେ ଉଲ୍ଲେଖ କରୁଛନ୍ତି । ହେଲେ ଗ୍ରାହକ ୱେବସାଇଟ୍‍ରୁ ଦର ଦେଖି କମ୍ପାନୀର ବିକ୍ରୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଆଉ ୮/୧୦ ହଜାର ପର୍ଯ୍ୟନ୍ତ ଅଧିକ ଟଙ୍କା ଦେବାକୁ କୁହାଯାଉଛି । ଏଥି ମଧ୍ୟରେ ଆରଟିଓ ଖର୍ଚ୍ଚ ୨ ରୁ ୩ହଜାର ଟଙ୍କା ଦର୍ଶାଯାଇ ଆଦାୟ ହେଉଛି । ଏଥି ସହିତ ରାସ୍ତାପାଶ୍ୱର୍ ସହାୟତା ଆଦି ବି ରହିଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ବିଦ୍ୟୁତ୍‍ ଚାଳିତ ଯାନର ବିକ୍ରି ବୃଦ୍ଧି ପାଇଁ ରାଜ୍ୟ ସରକାର ଏହାର ପଞ୍ଜିକରଣ ଫି ଛାଡ କରିଛନ୍ତି । ଏଥି ସହିତ ଦୁଇ ଚକିଆ ଠାରୁ ଚାରି ଚକିଆ ଯାନ ଉପରେ ସବସିଡ୍‍ ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ପଞ୍ଜିକରଣ ବାବଦରେ ଅର୍ଥ ନେଉନଥିବାବେଳେ ଗାଡି କମ୍ପାନୀମାନେ କିନ୍ତୁ ନମ୍ବର ପ୍ଲେଟ ଲଗାଇବା ପାଇଁ ଆରଟିଓରେ ଅର୍ଥ ଖର୍ଚ୍ଚ ହେଉଥିବା ଦର୍ଶାଇ ୨/୩ ହଜାର ଟଙ୍କା ଆଦାୟ କରୁଛନ୍ତି ।

ରାଜ୍ୟ ସରକାର ନିଜସ୍ୱ ଇଭି ନୀତି ପ୍ରଣୟନ ସହିତ ବିଦ୍ୟୁତ୍‍ ଚାଳିତ ଯାନ କ୍ରେତାମାନଙ୍କୁ ସବସିଡ୍‍ ପ୍ରଦାନ କରି ନିଜର କାର୍ଯ୍ୟ ସାରି ଦେଉଛନ୍ତି । ଓଡିଶା ବଜାରରେ ଇଭି ଯାନ ବିକ୍ରି କରୁଥିବା କମ୍ପାନୀମାନେ କେଉଁ ହାରରେ ଗ୍ରାହକଙ୍କ ଠାରୁ କେତେ ଅର୍ଥ ଆଦାୟ କରୁଛନ୍ତି ତାହାର ତଦାରଖ କରାଯାଉନାହିଁ । ଫଳରେ କିଛି କମ୍ପାନୀ ବିଭିନ୍ନ ବାହାନା ଦେଖାଇ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି । ଯେଉଁ ଗ୍ରାହକମାନେ ଏହାର ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସରକାର ପ୍ରଦାନ କରୁଥିବା ସବସିଡ୍‍ ଅର୍ଥର ହିସାବ ଦେଖାଇ ଦିଆଯାଉଛି । ସଂଖ୍ୟାଧିକ ଗ୍ରାହକ ବି ଏ ସଂକ୍ରାନ୍ତରେ ବିଶେଷ କିଛି ଖୋଳତାଡ କରୁନାହାନ୍ତି ।

ଗ୍ରାହକଙ୍କ ଠାରୁ ଆରଟିଓ ଓ ଅନ୍ୟାନ୍ୟ ବାହାନା ଦେଖାଇ ଅର୍ଥ ଆଦାୟ ହେଉଥିବାବେଳେ ସରକାର କିନ୍ତୁ ଇଭି ନୀତି ସଂକ୍ରାନ୍ତରେ ଯେଉଁ ହାରରେ ସଚେତନ କରିବାକଥା ତାହା କରୁନାହାନ୍ତି । ୨୦୨୧ରେ ରାଜ୍ୟରେ ନୂଆ ଇଭି ନୀତି ଲାଗୁ ହେବା ପରଠାରୁ ୫୮,୫୬୩ ଟି ଦୁଇ ଚକିଆ, ୬୩୪୮ଟି ତିନି ଚକିଆ, ୧୪୫୪ ଟି କାର୍‍ ଏବଂ ୫୧ଟି କରି ବସ୍‍ ଓ ମାଲବାହୀ ଗାଡି ବିକ୍ରି ହୋଇ ସାରିଲାଣି । ବର୍ତ୍ତମାନ ଆରଟିଓ ନିକଟରେ ପଞ୍ଜିକୃତ ହେଉଥିବା ଯାନକୁ ସରକାର କିଲୋୱାଟ ଅନୁଯାୟୀ ସବସିଡ୍‍ ପ୍ରଦାନ କରୁଛନ୍ତି । ଏ ବାବଦରେ ୪କୋଟି ୩୧ଲକ୍ଷ ଟଙ୍କାରୁ ଅଧିକ ଦିଆ ସରିଲାଣି ।

ହେଲେ ଗ୍ରାହକ ସଚେତନତାର ଅଭାବ ଓ ଇଭି କମ୍ପାନୀଗୁଡିକର ମେଳି ଯୋଗୁଁ ଏବେ ସରକାରଙ୍କ ସବସିଡ୍‍ର ସିଂହଭାଗ ଗାଡି ବିକ୍ରେତାଙ୍କ ପକେଟକୁ ଚାଲିଯାଉଛି । ଅନ୍ୟାନ୍ୟ ଯୋଜନା ସଂକ୍ରାନ୍ତରେ ସରକାରଙ୍କ ବିଭାଗଗୁଡିକ ଯେଭଳି ନିମୟିତ ବ୍ୟବଧାନରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରୁଛନ୍ତି ଅନୁରୂପ ଭାବେ ଇଭି ନୀତି ସଂକ୍ରାନ୍ତରେ ସଚେତନ କରାଗଲେ ଗ୍ରାହକମାନେ ଲାଭବାନ୍‍ ହେବା ସହିତ ରାଜ୍ୟରେ ଏହି ପରିବେଶ ଅନୁକୂଳ ଯାନ ପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଇବ ବୋଲି କୁହାଯାଉଛି । (ତଥ୍ୟ)