Home General ଇଭି ପାଇଁ ନାହିଁ ଚାର୍ଜିଂ ଷ୍ଟେସନ

ଇଭି ପାଇଁ ନାହିଁ ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର : ରାଜ୍ୟରେ ବୈଦ୍ୟୁତିକ ଯାନ(ଇଭି)ର ବ୍ୟବହାର ହୁ ହୁ ହୋଇ ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ହେଉନଥିବାରୁ ଚାଳକମାନେ ସମସ୍ୟାରେ ପଡୁଛନ୍ତି । ଏପରକି ଦୂର ସ୍ଥାନକୁ ଇଭିରେ ଯିବା ବଦଳରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିରେ ଯା’ ଆସ କରୁଛନ୍ତି ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଇଭି ଉପରେ ସବସିଡ୍‍ ପ୍ରଦାନ ସହିତ ପଞ୍ଜିକରଣ ଫି ଛାଡ କରିଛନ୍ତି । ଏଥି ସହିତ ପେଟ୍ରୋଲ ଓ ଡିଜେଲ ଯାନ ତୁଳନାରେ ଏଥିରେ ଖର୍ଚ୍ଚ କମ୍‍ ହେଉଥିବାରୁ ଲୋକେ ଇଭି ମୁହାଁ ହୋଇଛନ୍ତି । କବେଳ ଦୁଇ ଚକିଆ ଯାନ ନୁହେଁ, ତିନି ଓ ଚାରି ଚକିଆ ବିକ୍ରିରେ ମଧ୍ୟ ବେଶ୍‍ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ରାଜ୍ୟରେ ଏବେ ଇଭି ବଜାରରେ ଉତ୍ସାହକୁ ଦେଖି ଏକାଧିକ ଦୁଇ ଚକିଆ ଯାନ ନିର୍ମାତା ଏଠାରେ ବିକ୍ରୟକେନ୍ଦ୍ର ଖୋଲିବାରେ ଲାଗିଛନ୍ତି ।

ତେବେ ସରକାରଙ୍କ ନୀତି ଅନୁଯାୟୀ ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥା ସହିତ ରାଜ୍ୟ ସରକାରଙ୍କ ସଂସ୍ଥା ଇଭି ଚାର୍ଜିଂ ଷ୍ଟେସନ ଖୋଲିବାର ପ୍ରସ୍ତାବ ରହିଛି । ତେବେ ଏହା ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବାରୁ ହାତ ଗଣତି କେତୋଟି ସ୍ଥାନରେ ଏଭଳି ଚାର୍ଜିଂ ଷ୍ଟେସନ ରହିଛି । ହେଲେ ସେଠାରେ କେତେ ଅର୍ଥ ଦେବାକୁ ପଡିବ ତାହା ନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । କେତେକ ଇଭି ଚାର୍ଜିଂ ଷ୍ଟେସନରେ କେବଳ ଚାରି ଚକିଆ ଯାନ ଚାର୍ଜିଂ କରି ହେଉଛି ।

ସହରାଞ୍ଚଳରେ ଦୁଇ ଚକିଆ ଇଭିର ବିକ୍ରି ହୁ ହୁ ହୋଇ ବଢୁଥିବାବେଳେ ସେହି ଅନୁପାତରେ ଚାର୍ଜିଂ ଷ୍ଟେସନ ଖୋଲୁନାହିଁ । ଫଳରେ ଲୋକେ ନିଜ ନିଜ ଘରେଏହାକୁ ଚାର୍ଜ କରୁଛନ୍ତି । ତେବେ ଚାର୍ଜିଂ ଷ୍ଟେସନରେ ୧୫/୨୦ମିନିଟ୍‍ରେ ଚାର୍ଜିଂ ହେଉଥିବାବେଳେ ଘରେ ଏଥିପାଇଁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଛି । ରାଜଧାନୀରେ ପୌରସଂସ୍ଥା ପକ୍ଷରୁ କେତେକ ସ୍ଥାନରେ ଚାର୍ଜିଂ ଷ୍ଟେସନଖୋଲିବାର ପ୍ରସ୍ତାବ ଥିଲେ ମଧ୍ୟ ତାହା ନାଲିଫିତା ତଳେ ରହିଯାଇଛି । ତେବେ ରାଷ୍ଟ୍ରାୟତ ତୈଳ କମ୍ପାନୀମାନଙ୍କୁ ଏଭଳି ଚାର୍ଜିଂ ଷ୍ଟେସନ ଖୋଲିବାପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିଲେ ମଧ୍ୟ ସେମାନେ ସେଥିପ୍ରତି ସେତେଟା ଆଗ୍ରହ ଦେଖାଉ ନାହାନ୍ତି ।

ଯେଉଁମାନଙ୍କର ଦୁଇ ଓ ଚାରି ଚକିଆ ଇଭି ରହିଛି ସେମାନେ ଦୂର ସ୍ଥାନକୁ ତାହାକୁ ନେଇ ଯିବାକୁ ଡରୁଛନ୍ତି । କାରଣ ବାଟରେ ଚାର୍ଜିଂ ଷ୍ଟେସନ ନଥିବାରୁ ସେମାନେ ଅଟକି ଯିବାର ସମ୍ଭାବନା ରହିଛି । ଦିଲ୍ଲୀରେ ସେଠାକାର ରାଜ୍ୟ ସରକାର ଇଭିକୁ ପ୍ରୋତ୍ସାହନ ଦେବା ସହିତ ତିନି ଶହରୁ ଅଧିକ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିଥିବାବେଳେ ଆମ ରାଜ୍ୟରେ କିନ୍ତୁ ଏହା ଆଗେଇ ପାରୁନାହିଁ । ଫଳରେ ପରିବେଶ ଅନୁକୂଳ ଇଭିର ବହୁଳ ବ୍ୟବହାର କ୍ଷେତ୍ରରେ ଏହା ଏକ ପ୍ରକାର ବାଧକ ସାଜିଛି । ସରକାର ଯେଉଁଭଳି ଭାବେ ସବ୍‍ସିଡ୍‍ ପ୍ରଦାନ କରୁଛନ୍ତି ଅନୁରୂପ ଭାବେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠାକୁ ଗୁରୁତ୍ୱ ଦେବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)