Home Finance ଇଭି କିଣୁ ନାହାନ୍ତି ସରକାରୀ ବିଭାଗ

ଇଭି କିଣୁ ନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର : ରାଜ୍ୟ ସରକାର ଲୋକମାନଙ୍କୁ ବୈଦ୍ୟୁତିକ ଯାନ (ଇଭି) ଖରିଦ କରି ପରିବେଶ ସୁରକ୍ଷାପାଇଁ ପ୍ରବର୍ତ୍ତାଉଥିବାବେଳେ ସରକାରୀ ବିଭାଗଗୁଡିକ କିନ୍ତୁ ଏହି ପରିବେଶ ଅନୁକୂଳ ଯାନ କିଣୁ ନାହାନ୍ତି । ଏଥିପାଇଁ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଉନଥିବାବେଳେ ନୂଆ ସରକାର ବି ହାତବାନ୍ଧି ବସିଛନ୍ତି ।

ଇଭି ଯାନଗୁଡିକ ପରିବେଶ ଅନୁକୂଳ ହେଉଥିବାରୁ ସାଧାରଣ ଲୋକେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଯାନ କିଣିବେ ସେଥିପାଇଁ ରାଜ୍ୟ ସରକାର ରିହାତି ପ୍ରଦାନ କରୁଛନ୍ତି । ଏଥିପାଇଁ ଦୁଇ ଚକିଆଯାନ ପାଇଁ ବ୍ୟାଟେରୀ କ୍ଷମତାଅନୁଯାୟୀ କିଲୋୱାଟ ପିଛା ୫ହଜାର ଟଙ୍କାକରି ରିହାତି ଦିଆଯାଉଥିବାବେଳେ ଚାରିଚକିଆ ଯାନ ପାଇଁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଅର୍ଥ ପ୍ରଦାନ କରାଯାଉଛି । ଏଥି ସହିତ ଇଭି ଯାନର ପଞ୍ଜିକରଣ, ସଡକ ଟିକସ ଆଦି ରାଜ୍ୟ ସରକାର ଛାଡ କରିଛନ୍ତି । ସରକାରଙ୍କ ଏହି ରିହାତି ବ୍ୟବସ୍ଥାରେ ଆକର୍ଷିତ ହୋଇ ଗ୍ରାହକମାନେ ବହୁଳ ଭାବେ ଇଭି ଯାନ ଖରିଦ କରିବାରେ ଲାଗିଛନ୍ତି ।

ହେଲେ ରାଜ୍ୟ ସରକାରଙ୍କ ବିଭାଗମାନେ କିନ୍ତୁ ଇଭି ଯାନ ଖରିଦ କରୁନାହାନ୍ତି । ଆଇଟି, ଶିଳ୍ପ ଓ ପରିବହନ ବିଭାଗ ହାତ ଗଣତି ତିନି ଚାରିଟି ଇଭି ଯାନ ଖରିଦ କରିଥିବାବେଳେ ଅନ୍ୟ ବିଭାଗଗୁଡିକରେ ଏହି ଯାନ ନାହିଁ । ଏହି ଯାନ ଖରିଦ ପାଇଁ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଉନଥିବାରୁ ଯାନ କିଣାଯ।।ଇ ପାରୁନଥିବା ଜଣାଯାଇଛି ।

ସେହିଭଳି ବହୁ ସରକାରୀ ବିଭାଗ ଭଡାରେ ଚାରିଚକିଆ ଯାନ ଆଣି ନିଜ ନିଜ ଅଧିକାରୀମାନଙ୍କୁ ଯୋଗାଇଥିବାବେଳେ ସେମାନେ ବି ଇଭିଯାନ ଭଡାରେ ଆଣିବାକୁ ରାଜି ହେଉନାହାନ୍ତି । ତେବେ ଏ କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ସାଜୁଥିବା କୁହାଯାଉଛି । କିନ୍ତୁ ପରିବେଶ ଅନୁକୂଳ ପାଇଁ ସରକାର କାହିଁକି ଏ କ୍ଷେତ୍ରରେ ପଛଘୁଞ୍ଚା ଦେଉଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି ।

ରାଜ୍ୟରେ ନୂଆ ସରକାର ଆସିବାପରେ ଇତି ମଧ୍ୟରେ ନଗର ଉନ୍ନୟନ ବିଭାଗ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଇଭି ବସ୍‍ ଚଳାଇବାରେ ଲାଗିଛି । କିନ୍ତୁ ଖୋଦ୍‍ ବିଭାଗୀୟ ଅଧିକାରୀମାନେ ଡିଜେଲ ଓ ପେଟ୍ରୋଲ ଚାଳିତ ଚାରିଚକିଆ ଯାନ ବ୍ୟବହାର କରୁଛନ୍ତି । ରାଜ୍ୟର ସହରାଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବଢି ଚାଲିଥିବାବେଳେ ଏହାର ନିରାକରଣ ପାଇଁ ଇଭିଯାନ ଏକ ବିକଳ୍ପ ହୋଇଥିବାବେଳେ ସରକାରୀ ବିଭାଗଗୁଡିକ କିନ୍ତୁ ଏଥିପ୍ରତି ବିଶେଷ ଧ୍ୟାନ ଦେଉ ନାହାନ୍ତି । ଦୁଇ ଓ ଚାରିଚକିଆ ଯାନ ଖରିଦ ପାଇଁ ବିନା ସୁଧରେ ସରକାରୀ କର୍ମଚାରୀମାନଙ୍କୁ ଋଣ ଯୋଗାଇ ଦିଆଯାଉଥିବାବେଳେ ସରକାରୀ ବିଭାଗ ଇଭି ଯାନ ଖରିଦ ନକରିବା ଏବେ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)