ଭୁବନେଶ୍ୱର : ଇଭି ଯାନ ଖରିଦ ପାଇଁ ସରକାର ଯେତେ ପ୍ରକାର ପ୍ରୋତ୍ସାହନ ଦେଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଇଭି ଯାନ ବିକ୍ରି ସେତେଟା ଉତ୍ସାହଜନକ ହେଉନାହିଁ । ସମଗ୍ର ରାଜ୍ୟରେ ବିଭିନ୍ନ କିସମର ଅଢେଇ ଲକ୍ଷରୁ ଅଧିକ ଇଭି ପଞ୍ଜିକରଣ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ଏହା ୨ଶହ ଛୁଇଁ ପାରିନାହିଁ । କେବଳ ଦେବଗଡ ନୁହେଁ, ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବି ସମାନ ସ୍ଥିତି ।
ପରିବେଶ ଅନୁକୂଳ ଇଭି ଯାନର ବ୍ୟବହାରକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ଓଡିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ୨୦୨୩ ମସିହାରେ ସଂଶୋଧିତ କରାଯାଇଥିଲା । ତଦନୁଯାୟୀ ଦୁଇ ଚକିଆ ଇଭି ଯାନ ପାଇଁ ପ୍ରତି କିଲୋୱାଟ ପିଛା ୫୦୦୦ ଟଙ୍କା ଓ ସର୍ବାଧିକ ୨୦ହଜାର ଟଙ୍କାର ସବସିଡ୍ ପ୍ରଦାନ କରାଯାଉଛି । ସେହିଭଳି ପ୍ରତ୍ୟେକ ତିନି ଚକିଆ ଯାନପାଇଁ ୩୦ହଜାର ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ କିଲୋୱାଟ ପିଛା ୧୦ହଜାର ଏବଂ ସର୍ବାଧିକ ଦେଢ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏଥି ସହିତ ବ୍ୟାଟେରୀଚାଳିତ ଯାନ ପାଇଁ ମୋଟରଯାନ ଟିକସ ଓ ପଞ୍ଜିକରଣ ଫି ଛାଡ କରାଯାଇଛି ।
ସରକାରୀ ପ୍ରୋତ୍ସାହନ ପାଇବା ସହିତ ରାଜ୍ୟର ଉପକୂଳ ଜିଲ୍ଲାଗୁଡିକରେ ଇଭି ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି । କେବଳ ଭୁବନେଶ୍ୱରର ଦୁଇଟି ଆରଟିଓ ଦପ୍ତରରେ ୫୩ ହଜାରରୁ ଅଧିକ ଦୁଇ ଚକିଆ ଯାନ ପଞ୍ଜିକୃତ ହୋଇଛି । ସେହିଭଳି କଟକ ପରିବହନ ଅଧିକାରୀଙ୍କ ନିକଟରେ ୨୮ହଜାରରୁ ଅଧିକ ଦୁଇ ଚକିଆ ଇଭି ପଞ୍ଜିକୃତ ହୋଇଥିବାବେଳେ ବାଲେଶ୍ୱରରେ ୧୪ହଜାରରୁ ଅଧିକ, ଗଞ୍ଜାମରେ ୧୨ ହଜାରରୁ ଅଧିକ ପଞ୍ଜିକରଣ ହୋଇଛି ।
ତେବେ ଏହି ସମୟ ମଧ୍ୟରେ ଦୁଇ ଚକିଆ ଇଭି ଯାନ ପଞ୍ଜିକରଣ ସଂଖ୍ୟା ଦେବଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରେ ମାତ୍ର ୧୭୧ ହୋଇଥିବାବେଳେ ଗଜପତିରେ ୨୩୩, ମାଲକାନଗିରିରେ ୨୬୧, ଫୁଲବାଣୀରେ ୨୮୩ଟି ଦୁଇ ଚକିଆ ପଞ୍ଜିକୃତ ହୋଇଥିବା ଜଣାଯାଇଛି ।
ସଚେତନତା ଅଭାବ ସହିତ ଏହିସବୁ ଜିଲ୍ଲାରେ ଚାର୍ଜିଂ ଷ୍ଟେସନର ଅଭାବ, ବାରମ୍ବାର ବିଦ୍ୟୁତ୍ କାଟ୍ ମଧ୍ୟ ଇଭି ଯାନ ପ୍ରତି ଲୋକଙ୍କୁ ବିମୁଖ କରିବାରେ ଲାଗିଛି । ଯଦିଓ ଉପକୂଳ ଜିଲ୍ଲାଗୁଡିକରେ ଲୋକେ ଇଭି ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି, କିନ୍ତୁ ସାର୍ବଜନୀନ ଚାର୍ଜିଂ ଷ୍ଟେସନ ସଂଖ୍ୟା ଅତି ନଗଣ୍ୟ ଥିବାରୁ ଲୋକେ ଏଥି ପ୍ରତି ପଛଉଛନ୍ତି । ବିଶେଷକରି ଦୂର ଦୂରାନ୍ତ ସ୍ଥାନକୁ ଇଭି ଯାନ ନେଇ ଯିବାକୁ ଲୋକେ ଡରୁଛନ୍ତି ।
ତେବେ ରାଜ୍ୟ ସରକାର ଇତି ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ କେନ୍ଦ୍ରୀୟ ଯୋଜନାରେ ଆଉ ୫୧୨ଟି ଇଜି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଭାରତ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି । ତେବେ ରାଜ୍ୟରେ ପ୍ରେଟେଲ ପମ୍ପ ଭଳି ଇଭି ଚାର୍ଜିଂ ସୁବିଧା ହୋଇପାରିଲେ ରାଜ୍ୟରେ ଲୋକେ ଉଭୟ ଦୁଇ, ତିନି ଓ ଚାରିଚକିଆ ଇଭି କିଣିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)

