Home General ଇଦ୍‍ଗା ପଡିଆକୁ ଐତିହ୍ୟ ସ୍ମାରକୀ ଦାବି

ଇଦ୍‍ଗା ପଡିଆକୁ ଐତିହ୍ୟ ସ୍ମାରକୀ ଦାବି

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ହୋଇଥିବା କଟକ ମହାନଗରର ଇଦ୍‍ଗା ପଡିଆକୁ ଓଡିଆ ଜାତିର ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଲଗାତାର ଦାବି ହୋଇଆସୁଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୦୩ ଡିସେମ୍ବର ମାସରେ ଉତ୍କଳ ଗୌରବ ମଦୁସୂଦନଙ୍କ ଉଦ୍ୟମ କ୍ରମେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଏହି ପଡିଆରେ ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଇଦ୍‍ଗା ପଡିଆ କ୍ରମଶଃ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଥିବାବେଳେ ଏଠାରେ ରାତିରେ ମଦୁଆଙ୍କ ସମେତ ଅନ୍ୟ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢୁଛି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଏହି ମଞ୍ଚରୁ ଓଡିଆଜାତିକୁ ଆହ୍ୱାନ ଦିଆଯାଇଥିବା ପରିପ୍ରେକ୍ଷୀରେ ଓଡିଶାର ଇତିହାସରେ ଇଦ୍‍ଗା ପଡିଆ ସ୍ୱତନ୍ତ୍ର ଗୌରବ ବହନ କରେ । ଏହି ପଡିଆକୁ ସଂରକ୍ଷିତ ରଖିବା ସହ ବିକଶିତ କରି ଏଠାରେ ଭବ୍ୟ ସଂଗ୍ରହାଳୟ ନିର୍ମାଣ ପାଇଁ ଅତୀତରେ ବାରମ୍ବାର ଦାବି ହୋଇଆସୁଥିବାବେଳେ ତାହା ଏଯାବତ୍‍ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନାହିଁ ।

୧୯୦୩ରେ ଉତ୍କଳ ସମ୍ମିଳନୀ ଆରମ୍ଭ ପୂର୍ବରୁ ବସ୍ତୁତଃ ଏହାର ମୂଳଦୂଆ ପଡିଥିଲା ଚିଲିକା ତଟବର୍ତ୍ତୀ ଖଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ରମ୍ଭା ରାଜବାଟୀରେ । ତାଙ୍କ ପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱିତୀୟ ଜନ୍ମବାର୍ଷିକୀ ଉପଲକ୍ଷେ ଏଠାରେ ଯେଉଁ ସମାବେଶ ହୋଇଥିଲା ସେଥିରେ ମୟୁରଭଞ୍ଜ ମହାରାଜାଙ୍କ ସମେତ ଓଡିଶାର ବହୁ ରାଜା, ଜମିଦାର, ଉତ୍କଳଗୌରବ ମଧୁସୂଦନ, ବ୍ୟାସକବି ଫକୀରମୋହନ, ଗୋପାଳ ପ୍ରହରାଜ, ନିଳମଣି ବିଦ୍ୟାରତ୍ନ ଆଦି ଯୋଗ ଦେଇଥିଲେ । ଏହି ସମାବେଶରେ ମଧୁବାବୁ ଗଞ୍ଜାମ ଜାତୀୟ ସମ୍ମିଳନୀପାଇଁ ଦେଇଥିବା ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାଥିଲା ଉତ୍କଳ ସମ୍ମିଳନୀର ମୂଳ ପିଣ୍ଡ ।

୧୯୨୭ମସିହାରେ ଖଦି ଗସ୍ତ ବେଳେ ଜାତିର ଜନକ ମହାତ୍ମା ଗାନ୍ଦୀ ଗଞ୍ଜାମ ଗସ୍ତପରେ ରମ୍ଭା ରାଜବାଟୀରେ ବିଶ୍ରାମ ନେବା ସହ ଚିଲିକା ହ୍ରଦରେ ମଧ୍ୟ ନୌକାରେ ବୁଲିଥିଲେ । ଉତ୍କଳ ସମ୍ମିଳନୀ ଓ ଗାନ୍ଧୀଙ୍କ ସ୍ମୃତି ବହୁବର୍ଷ ଧରି ଏହି ରାଜବାଟୀରେ ସାଇତା ହୋଇ ରହିଥିଲା । ଏବେ ଏଠାରେ ଏକ ବିଳାସପୂର୍ଣ୍ଣ ହୋଟେଲ ଚାଲୁଛି । ତେବେ ପୂର୍ବରୁ ଏଠାରେ ସାଇତାହୋଇ ରହିଥିବା ଐତିହାସିକ ସ୍ମୃତି ସାଧାରଣ ଲୋକେ ଦେଖିବାରୁ ବଞ୍ଚିତ ହେଉଛନ୍ତି । ଇଦ୍‍ଗା ପଡିଆ ଭଳି ରମ୍ଭା ରାଜବାଟୀର ଇତିହାସକୁ ମଧ୍ୟ ରାଜ୍ୟ ସରକାର ଉଜ୍ଜିବିତ କରି ରଖିବାପାଇଁ ବିଭିନ୍ନ ସଂଗଠନପକ୍ଷରୁ ମତପ୍ରକାଶ ପାଉଛି ।

ଏହାଛଡା ଉତ୍କଳ ଗୌରବ ମଧୁସୂଦନଙ୍କ କଟକସ୍ଥିତ ବାସଭବନକୁ ସରକାର ସଂରକ୍ଷିତ ରଖି ସେହି ପରିସରରେ ଏକ ସଂଗ୍ରହାଳୟ ଚଳାଇଛନ୍ତି । ଏଠାରେ ବି ଶୈଳବାଳା ସ୍ୱୟଂଶାସିତ ମହିଳା କଲେଜ ଚାଲୁଛି । ତେବେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ଥିବା ତାଙ୍କ ଏନ୍ତୁଡିଶାଳ ଗୃହକୁ କସ୍ତୁରବାଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧି ରମାଦେବୀଙ୍କ ସମୟରୁ ସଂରକ୍ଷିତ କରି ରଖିଛି । ସତ୍ୟଭାମାପୁରରେ ମଧୁବାବୁଙ୍କ ଅନେକ ସ୍ମୃତି ରହିଥିବାବେଳେ ତାହାକୁ ରାଜ୍ୟ ସରକାର ଯେଭଳି ଭାବେ ବିକଶିତ କରିବାକଥା ତାହା ଏଯାବତ୍‍ କରିନାହାନ୍ତି । ଏହାଛଡା ମଧୁବାବୁଙ୍କ ପୈତୃକ ଜମିରୁ ପାଖାପାଖି ୨୦ଏକର ଏପର୍ଯ୍ୟନ୍ତ ବି ଜବରଦଖଲକାରୀଙ୍କ କବଜାରେ ରହିଛି । ଏହାକୁ ଉଦ୍ଧାର କରି ସତ୍ୟଭାମାପୁରକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବାପାଇଁ ମଧ୍ୟ ଦାବି ଜୋର ଧରୁଛି । ଏବର୍ଷ ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡିଶା ଦିବସ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାଳିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯେଉଁ ବରପୁତ୍ରମାନଙ୍କର ଅବଦାନ ରହିଛି ସେସବୁକୁ ଏକତ୍ରିତ କରି ମଧୁବାବୁଙ୍କ ଜନ୍ମପୀଠରେ ଏକ ଆକର୍ଷଣୀୟ ସଂଗ୍ରହାଳୟ ପ୍ରତିଷ୍ଠାପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମତ୍ରପକାଶ ପାଉଛି । (ତଥ୍ୟ)