Home Environment ଇଥାନେଲ ମିଶ୍ରଣ ବଢୁଛି

ଇଥାନେଲ ମିଶ୍ରଣ ବଢୁଛି

ଭୁବନେଶ୍ୱର : ଦଶ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲର ବ୍ୟବହାର ୬୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲରେ ଇଥାନେଲର ମିଶ୍ରଣ ୮.୧୭ ପ୍ରତିଶତରେ ପହଞ୍ଚିଛି । ୨୦୨୦-୨୧ ବର୍ଷରେ ୩୦୨ କୋଟି ଲିଟର ଇଥାନେଲ ପେଟ୍ରୋଲରେ ମିଶିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ।

ଆଜି ଲୋକସଭାରେ ପଚରାଯାଇଥିବା ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୩-୧୪ରେ ୩୮ କୋଟି ଲିଟର ଇଥାନେଲ ପେଟ୍ରୋଲରେ ମିଶ୍ରଣ ହୋଇଥିବାବେଳେ ୨୦୨୦-୨୧ ରେ ମିଶ୍ରଣ ହୋଇଥିବା ଇଥାନେଲର ପରିମାଣ ୩୦୨ କୋଟି ଲିଟରରେ ପହଞ୍ଚିଥିଲା । ଅର୍ଥାତ୍‍ ଏହି ସମୟ ମଧ୍ୟରେ ଇଥାନେଲ ମିଶ୍ରଣ ପରମାଣ ୧.୫୩ ପ୍ରତିଶତରୁ ବୃଦ୍ଧି ପାଇ ୮.୧୭ ପ୍ରତିଶତରେ ପହଞ୍ଚିଥିଲା ।

ମନ୍ତ୍ରୀ କହିଛନ୍ତି ଯେ ଏହି ଦଶ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲର ବ୍ୟବହାର ୬୪ ପ୍ରତିଶତ ବୃଦ୍ଧି ପାଇଛି । ତେବେ ୨୦୧୩-୧୪ ର ୨୦୨୦-୨୧ ବର୍ଷ ମଧ୍ୟରେ ଉନ୍ନତମାନର ଇଥାନେଲ ଉତ୍ପାଦନ ସହିତ ତୈଳକମ୍ପାନୀମାନଙ୍କୁ ଏହାର ଯୋଗାଣ ୭ଗୁଣରୁ ଅଧିକ ବୃଦ୍ଧି ହୋଇଛି । ଏହାକୁ ଦୃଷ୍ଟିରେ ରଖି ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନେଲର ମିଶ୍ରଣ ୨୦ ପ୍ରତିଶତ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେହିଭଳି ତୈଳକମ୍ପାନୀଗୁଡିକ ୨୦୨୨ ଜୁନ୍‍ ମାସରେ ତୈଳ କମ୍ପାନୀଗୁଡିକ ୧୦ ପ୍ରତିଶତ ଇଥାନେଲ ମିଶ୍ରଣ ପାଇଁ ଲକ୍ଷ୍ୟ ରଖିଥିଲେ । ତେବେ ଧାର୍ଯ୍ୟ ଲକ୍ଷ୍ୟର ପାଞ୍ଚମାସ ପୂର୍ବରୁ ଏହା ପୂରଣ ହୋଇଥିଲା । ତେବେ ୨୦୨୨-୨୩ ବର୍ଷରେ ପେଟ୍ରୋଲରେ ଇଥାନେଲର ମିଶ୍ର ୫୦୦ କୋଟି ଲିଟରରେ ପହଞ୍ଚିବା ସହିତ ଏହାର ମିଶ୍ରଣ ପରିମାଣ ୧୨.୦୬ ପ୍ରତିଶତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପେଟ୍ରୋଲରେ ଇଥାନେଲର ମିଶ୍ରଣ ପରିମାଣ ୧୩ ପ୍ରତିଶତକୁ ଅତିକ୍ରମ କରିଯାଇଛି ।

୨୦୨୫-୨୬ ସୁଦ୍ଧା ୨୦ ପ୍ରତିଶତ ଇଥାନେଲ ମିଶ୍ରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଉତ୍ପାଦିତ ଇଥାନେଲ ପାଇଁ ଉପଯୁକ୍ତ ପ୍ରାପ୍ୟ ଦେବା ସହିତ ଏହା ଉପରେ ସର୍ବନିମ୍ନ ୫ ପ୍ରତିଶତ ଜିଏସ୍‍ଟି ଧାର୍ଯ୍ୟ ହୋଇଛି । ପେଟ୍ରୋଲରେ ଇଥାନେଲ ମିଶ୍ର ପାଇଁ ରାଜ୍ୟ ଭିତରେ ଏହାର ଟିକସମୁକ୍ତ ଚଳାଚଳ ପାଇଁ ଶିଳ୍ପ ଆଇନ୍‍ରେ ପରିବର୍ତ୍ତନ ହୋଇଛି । ସେହିଭଳି ଇଥାନେଲ ଖରିଦ ପାଇଁ ତୈଳକମ୍ପାନୀଗୁଡିକ ନିୟମିତ ଭାବେ ଟେଣ୍ଡର ଜାରି କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଆଖୁରସ , ଚିନି, ଆଖୁ ଛେଦା, ଅବ୍ୟବହୃତ କୃଷିଜାତ ସାମଗ୍ରୀ ଯେମିତିକି କୁଣ୍ଡା, ମକା ଗଛ, ନଡା ଆଦିରୁ ଚିନି ଅଂଶ ଥିବା ବିଭିନ୍ନ ସାମଗ୍ରୀ, ନଷ୍ଟ ହୋଇଯାଇଥିବା ଖାଦ୍ୟ ସାମଗ୍ରୀ ଯଥା ଭଙ୍ଗା ଚାଉଳ, ଡାଲି ଆଦିରୁ ଇଥାନେଲ ଉତ୍ପାଦନ କରାଯାଉଛି । (ତଥ୍ୟ)