Home Industry ଇଡକୋ ହାତରେ ୧୪ହଜାର ଏକର ଜମି

ଇଡକୋ ହାତରେ ୧୪ହଜାର ଏକର ଜମି

ଭୁବନେଶ୍ୱର : ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆଗେଇ ଆସୁଥିବା ଶିଳ୍ପପତିମାନଙ୍କ ପାଇଁ ଇଡକୋ ନିକଟରେ ଏବେ ୧୪ହଜାର ଏକରରୁ ଅଧିକ ଜମି ରହିଛି । ରାଜ୍ୟ ସରକରଙ୍କ ସହିତ ଶିଳ୍ପ ପ୍ରତିଷ୍ଠାପାଇଁ ରାଜିନାମା ସ୍ୱାକ୍ଷର କରୁଥିବା ଶିଳ୍ପସଂସ୍ଥାଗୁଡିକୁ ଏହା ଯୋଗାଇ ଦିଆଯିବ ।

କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ୨୮ ଜିଲ୍ଲାରେ ଇଡକୋ ଜମି ଅଧିଗ୍ରହଣ କରିଛି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାରେ ସବୁଠାରୁ ଅଧିକ ୪୬୧୩ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରେ ୧୫୮୪ ଏକର, ଝାରସୁଗୁଡାରେ ୧୧୪୧ ଏକର, କଟକରେ ୮୦୦ ଏକର, ସମ୍ବଲପୁରରେ ୬୭୨ଏକର, ବୌଦରେ ୫୬୮ ଏକର ଜମି ଅଧିଗ୍ରହଣ କରାଯାଇଛି । ସବୁଠାରୁ କମ୍‍ ମାତ୍ର ୧୦ଏକର ଜମି କେନ୍ଦ୍ରାପଡାରେ ଇଡକୋ ଅଧିଗ୍ରହଣ କରିଥିବାବେଳେ ନୟାଗଡରେ ୧୫ ଓ ସୁବର୍ଣ୍ଣପୁରରେ ୧୬ଏକର ଜମି ଅଧିଗ୍ରହଣ କରିଛି ।

ରାଜ୍ୟ ସରକାର ୨୦୨୨ଶିଳ୍ପନୀତି ଜରିଆରେ ଶିଳ୍ପପତିମାନଙ୍କୁ କାରଖାନା ସ୍ଥାପନ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଶିଳ୍ପସଂସ୍ଥାଗୁଡିକ ବି ଏଥିପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଶିଳ୍ପପତିମାନେ କିଭଳି ସହଜରେ ଜମି ପାଇପାରିବେ ସେଥବପାଇଁ ଇଡ୍‍କୋ କର୍ତ୍ତୃପକ୍ଷ ଆଗୁଆ ଜମି ଅଧିଗ୍ରହଣ କରି ରଖୁଛନ୍ତି । ଉଲ୍ଲେଖନୀୟ ଯେ ପୂର୍ବରୁ ଶିଳ୍ପସଂସ୍ଥା ସହିତ ରାଜିନାମା ପରେ ଜମି ଅଧିଗ୍ରହଣ ସମୟରେ ଆନ୍ଦୋଳନ ଓ ପ୍ରତିବାଦ ଯୋଗୁଁ ଅନେକ ଶିଳ୍ପସଂସ୍ଥା ଓଡିଶା ଛାଡି ଚାଲିଯିବାର ବି ନଜିର ରହିଛି ।

ସରକାରୀ ସୂଚନା ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ୨୦୧୫ ରୁ ୨୦୨୪ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ୭୩୮ଟି ବୃହତ୍‍ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗେଇ ଆସିବା ସହିତ ୧୬ଲକ୍ଷ ୧୧ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ଏହିସବୁ ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ରାଜ୍ୟରେ ଶିଳ୍ପ ସ୍ଥାପନପାଇଁ ରାଜ୍ୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇଛି ।

ସେହିଭଳି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ବିଭିନ୍ନ ଶିଳ୍ପସଂସ୍ଥାଙ୍କ ପାଇଁ ଗତ ୧୦ବର୍ଷ ମଧ୍ୟରେ ମୋଟ୍‍ ୬୪୨୧ ଏକର ଜମି ଅଧିଗ୍ରହଣ ହୋଇଛି । ଏଥି ମଧ୍ୟରେ ୧୯୦୯ ଏକର ସରକାରୀ ଜମି ଥିବାବେଳେ ୪୫୧୧ ଏକର ବେସରକାରୀ ଜମି ରହିଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏହିସବୁ ଜମି ଅଧିଗ୍ରହଣ କରାଯାଇ ବିଭିନ୍ନ ଶିଳ୍ପସଂସ୍ଥାଙ୍କୁ ଯୋଗାଇ ଦିଆଯାଇଛି । ଏହିସବୁ ଶିଳ୍ପସଂସ୍ଥା ମଧ୍ୟରେ ଟାଟା ଷ୍ଟିଲ, ଜିନ୍ଦଲ, ଏସାର ଷ୍ଟିଲ, ଆର୍ସେଲର ମିତ୍ତଲ ସହିତ ଆଇଓସିଏଲ୍‍ ଭଳି ରାଷ୍ଟ୍ରାୟତ ସଂସ୍ଥା ରହିଛନ୍ତି । (ତଥ୍ୟ)