ଭୁବନେଶ୍ୱର : ରାସନ କାର୍ଡର ଇ-କେୱାଇସି ଯାଞ୍ଚ ସାରିବାପାଇଁ ହାତରେ ଆଉ ପ୍ରାୟ ମାସଟିଏ ସମୟ ଥିବାବେଳେ ଯାଞ୍ଚ ବାହାରେ ଥିବା ୩୨ଲକ୍ଷରୁ ଉର୍ଦ୍ଧ୍ୱ କାର୍ଡଧାରୀଙ୍କ ମଧ୍ୟରୁ କେତେଜଣ ଅର୍ନ୍ତଭୁକ୍ତ ହେବେ ତାହାକୁ ନେଇ ଅଙ୍କକଷା ଚାଲିଛି । ଗୋଟିଏ ପଟେ ଆୟକର ସୀମାକୁ ନେଇ ଲୋକେ ଦ୍ୱନ୍ଦରେ ଥିବାବେଳେ ଅନ୍ୟପଟେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏଥିରେ ବଡ ବାଧକ ସାଜିଛି ।
ରାଜ୍ୟ ସରକାର ଇ-କେୱାଇସି ଯାଞ୍ଚ ଅବଧିକୁ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ଭିତରେ ସମସ୍ତ ଯୋଗ୍ୟ ଅଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଫେବୃୟାରୀ ୧୫ତାରିଖ ସୁଦ୍ଧା ୩୨ଲକ୍ଷର ୫୬ହଜାର ହିତାଧିକାରୀ ଯାଞ୍ଚରେ ସାମିଲ ହୋଇପାରି ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏହାର ଅବଧି ବଢାଇଛନ୍ତି ।
ନିଜର ଇ-କେୱାଇସି ଯାଞ୍ଚ କରିନଥିବା ହିତାଧିକାରୀଙ୍କ ମଧ୍ୟରେ ସର୍ବାଧିକ ୨ଲକ୍ଷ ୭୧ହଜାରରୁ ଅଧିକ ରହିଛନ୍ତି ଗଞ୍ଜାମ ଜିଲ୍ଲାରେ । ଏହା ପଛକୁ ମୟୁରଭଞ୍ଜ ଜିଲ୍ଲାରେ ୨ଲକ୍ଷ ୭ହଜାର ଥିବାବେଳେ ବାଲେଶ୍ୱରରେ ପାଖାପାଖି ୨ଲକ୍ଷ ହିତାଧିକାରୀ ରହିଛନ୍ତି । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ୧ଲକ୍ଷ ୭୫ହଜାରରୁ ଅଧିକ କରି ହିତାଧିକାରୀ ଏହି ତାଲିକାରେ ଥିବାବେଳେ କୋରାପୁଟରେ ୧ଲକ୍ଷ ୬୧ହଜାରରୁ ଅଧିକ ରହିଛନ୍ତି । ଯାଜପୁର ଜିଲ୍ଲାରେ ୧ଲକ୍ଷ ୫୦ହଜାରରୁ ଅଧିକ ହିତାଧିକାରୀ ରହିଥିବାବେଳେ ବରଗଡ, ଭଦ୍ରକ, ବଲାଙ୍ଗିର, କଟକ, କେନ୍ଦ୍ରାପଡା, କେନ୍ଦୁଝର, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୧ଲକ୍ଷ ଉପରେ ରହିଛି ।
ତେବେ ଅନେକ ସ୍ଥାନରେ ଏବେ ଲୋକଙ୍କ ନିକଟକୁ ଆସୁଥିବା ନୋଟିସରେ ସେମାନଙ୍କର ରାସନ କାର୍ଡ କାହିଁକି କଟାନଯିବ ସେଥିପାଇଁ କାରଣ ଦର୍ଶାଇବାକୁ କୁହାଯାଉଛି । ଏହାକୁ ନେଇ ବହୁ ଲୋକେ ଏବେ ଅଡୁଆରେ ପଡିଛନ୍ତି । ଯେଉଁମାନେ ଋଣଟିଏ ପାଇବା କିମ୍ବା ବ୍ୟାଙ୍କ୍ ଖାତା ଖୋଲିବାପାଇଁ ପାନ୍ କାର୍ଡ ବାହାର କରିଛନ୍ତି ଓ ଶୂନ ଆୟକର ଦାଖଲ କରିଛନ୍ତି ସେମାନଙ୍କ ନିକଟକୁ ଏଭଳି କାରଣଦର୍ଶାଅ ନୋଟିସ୍ ଆସିଛି । ବର୍ତ୍ତମାନ ବିଭାଗୀୟ ମନ୍ତ୍ରୀ ଶୂନ ଆୟକର ଦାଖଲ କରିଥିବା ବ୍ୟକ୍ତି ତାଲିକାରେ ରହିବେ ବୋଲି କହିବାପରେ ନୋଟିସ୍ ପାଇଥିବା ଲୋକେ ଦ୍ୱନ୍ଦରେ ରହିଛନ୍ତି । ଏପରିକି ସେମାନେ ଶୂନ ଆୟକର ଦାଖଲରେ ଯେତିକି ଆୟ ଦେଖାଇଛନ୍ତି ତାହା ନୋଟିସ୍ର ଉତ୍ତରରେ ଦର୍ଶାଇବେ କି ନାହିଁ ସେଥିନେଇ ଚିନ୍ତାରେ ପଡିଛନ୍ତି ।
ସେହିଭଳି ବର୍ଷ ବର୍ଷ ଧରି ମାଗଣା ଚାଉଳ ଖାଇ ଦୁର୍ବଳ ବର୍ଗରୁ ସ୍ୱଚ୍ଛଳ ବର୍ଗ ପାଲଟିଥିବା ଏବଂ ଏକାଧିକ କୋଠାଘର ଓ ଯାନବାହାନର ମାଲିକ ହୋଇଥିବା ବହୁ ଲୋକେ ଭବିଷ୍ୟତରେ ସରକାରୀ କାର୍ଯ୍ୟାନୁଷ୍ଠାନ ଭୟରେ ନିଜ ଆଡୁ ଆଉ ଇ-କେୱାଇସି ଯାଞ୍ଚ କରୁନାହାନ୍ତି । ହେଲେ ଆଦିବାସୀ ବହୁଳ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଏବେ ଇଣ୍ଟରନେଟ୍ ଅଭାବ କିମ୍ବା ଧିମା ଗତି ଯୋଗୁଁ ଚାହିଁଲେ ମଧ୍ୟ ଇ-କେୱାଇସି ଅପଡେଟ୍ କରିବାରେ ସକ୍ଷମ ହେଉନାହାନ୍ତି ।
ହାତରେ ଥିବା ମାସକ ମଧ୍ୟରେ ସରକାର ଏହି ବର୍ଗର ଲୋକଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା କରିବେ ଏବଂ ଆୟକର ସୀମା ନେଇ କି ପ୍ରକାର ସରକାରୀ ନିର୍ଦ୍ଦେଶନାମା ଜାରି କରିବେ ତାହାକୁ ଏବେ ଲୋକେ ଚାହିଁ ବସିଛନ୍ତି । ଅନ୍ୟ ପକ୍ଷରେ ସରକାରୀ ଚାକିରିଆ ଓ ବହୁ ସ୍ୱଚ୍ଛଳବର୍ଗର ଲୋକେ ମଧ୍ୟ ରାସକାର୍ଡ ଫେରାଇବାରେ ଲାଗିଛନ୍ତି । ତେଣୁ ସମ୍ପ୍ରସାରିତ ଅବଧି ମଧ୍ୟରେ ୩୨,୫୬,୪୬୫ ଜଣଙ୍କ ମଧ୍ୟରୁ କେତେ ଯୋଡି ହେବେ ଓ କେତେ ବାଦ୍ ପଡିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । (ତଥ୍ୟ)