ଭୁବନେଶ୍ୱର : ଆହାର ଯୋଜନା ପାଇଁ ଓଡିଶା ଖଣି ନିଗମ (ଓଏମ୍ସି) ବର୍ତ୍ତମାନ ସୁଦ୍ଧା ୧୪୦କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରି ସାରିଲାଣି । ଏଥି ସହିତ ବିଭିନ୍ନ କ୍ରୀଡା ପାଇଁ ବି ରାଜ୍ୟ ସରକାରଙ୍କର ଏହି ନିଗମ ୩୨୮ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛି ।
ବିଧାୟକ ନବ ଚରଣ ମାଝି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଡିଶା ଖଣି ନିଗମ ଆହାର ଯୋଜନା ନିମନ୍ତେ ଆଜି ସୁଦ୍ଧା ୧୪୬ କୋଟି ୬ଲକ୍ଷ ୭୧ ହଜାର ୧୫୬ ଟଙ୍କା ବ୍ୟୟ କରିସାରିଲେଣି ।
୨୦୧୪-୧୫ ମସିହାରେ ଆହାର ଯୋଜନା ପାଇଁ ଖଣି ନିଗମ ୨କୋଟି ୩୭ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରିଥିବାବେଳେ ୨୦୧୯-୨୦ ବର୍ଷ ଠାରୁ ଏହି ଯୋଜନା ପାଇଁ ବର୍ଷକୁ ୨୦ କୋଟି ଟଙ୍କା କରି ଯୋଗାଉଛନ୍ତି ।
ସେହିଭଳି ରାଜ୍ୟରେ ବିଭିନ୍ନ ପ୍ରକାର କୀଡା ପାଇଁ ଖଣି ନିଗମ ୨୦୧୪-୧୫ରୁ ଆଜି ସୁଦ୍ଧା ମୋଟ୍ ୩୨୮ କୋଟି ୮୮ଲକ୍ଷ ୭୨ହଜାର ୬୨୩ ଟଙ୍କା ବ୍ୟୟ କରିଛନ୍ତି । ଓଡିଶା ଖଣି ନିଗମ ୨୦୧୮ ହକି ବିଶ୍ୱକପ୍ ପାଇଁ ୪୫ କୋଟି ୪୭ଲକ୍ଷ ୨୫ହଜାର ୩୮ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୩ ହକି ବିଶ୍ୱକପ୍ ପାଇଁ ୧୮କୋଟି ଟଙ୍କା ଯୋଗାଇ ଦେଇଛି ।
ଆଗାମୀ ୧୦ବର୍ଷ ଅର୍ଥାତ୍ ୨୦୨୩-୨୪ ରୁ ୨୦୩୨-୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ର ପ୍ରାୟୋଜ ଭାବେ ଓଡିଶା ଖଣି ନିଗମ ମୋଟ୍ ୪୩୪ କୋଟି ୧୨ଲକ୍ଷ ୧୫ହଜାର ୩୧୬ ଟଙ୍କା ବ୍ୟୟ କରିବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)