ଭୁବନେଶ୍ୱର : ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ସମ୍ମୁଖୀନ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭେଟି ସେମାନଙ୍କ ଚିକିତ୍ସା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ସହିତ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ମଧ୍ୟ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଛନ୍ତି ।
ଉଲ୍ଲେଖନୀୟ ଯେ ଗତକାଲି ପୁରୀରୁ ପଶ୍ଚିମବଙ୍ଗଳ ହଳଦିଆକୁ ଯାଉଥିବା କାଳିଆ ନନା ନାମ୍ନି ବସ୍ଟି ଯାଜପୁର ଜିଲ୍ଲାର ବାରବାଟୀ ଛକ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତକୁ ଖସି ପଡିଥିଲା । ଏଥିରେ ମୋଟ୍ ୪୬ଜଣ ଆହତ ହୋଇଥିବାବେଳେ ୫ଜଣ ମୃତ୍ୟୁବରଣ କରିଛନ୍ତି ।
ଦୁର୍ଘଟଣା ପରେ ରାଜ୍ୟ ସରାକର ତୁରନ୍ତ ପଦକ୍ଷେପ ନେଇ ଘଟଣାସ୍ଥଳକୁ ଅଧିକାରୀଙ୍କ ସହିତ ଆମ୍ବୁଲାନ୍ସ ପଠାଇଥିଲେ । ଗୁରୁତର ଆହତମାନଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଆହତମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଆଇସିୟୁରେ ଥିବାବେଳେ କିଛି ଆହତଙ୍କୁ ଅସ୍ଥିଶଲ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କ ମଧ୍ୟରୁ କେତେକଙ୍କର ଅସ୍ତ୍ରପଚାର କରାଯିବ । ଇତି ମଧ୍ୟରେ ସାମାନ୍ୟ ଆହତ ହୋଇଥିବା ୨୭ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡି ଦିଆଯାଇଛି ।
ତେବେ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ଗଣମାଧ୍ୟମକୁ କହିଛନ୍ତି ଯେ ଡ୍ରାଇଭରର ବେପରୁଆ ଗାଡିଚାଳନା ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏହି ବସ୍ଟି ୨୦୨୦ ମସିହାରେ ପଞ୍ଜିକୃତ ହୋଇଥିବାବେଳେ ଗତ ମାସରେ ତାହାକୁ ଫିଟ୍ନେସ୍ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
ଦୁର୍ଘଟଣା ସ୍ଥଳରେ ରାସ୍ତା ବେଶ୍ ପ୍ରଶସ୍ତ ଥିବାବେଳେ ରାସ୍ତା କଡରେ ଥିବା ବ୍ୟାରିକେଡ୍ରେ ରିଫ୍ଲେକ୍ଟର ଷ୍ଟିକର ଲାଗିଛି । ତେଣୁ ଦ୍ରୁତ ଗତିରେ ବସ୍ ଚଳାଇବା କିମ୍ବା ଡ୍ରାଇଭର ମୋବାଇଲ୍ରେ କଥା ହେବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଏହି ଘଟଣାରେ ପରିବହନ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।
ତେବେ ଇତି ମଧ୍ୟରେ ମୃତାହତଙ୍କୁ ଚିହ୍ନଟ ସହିତ ସେମାନଙ୍କ ସହାୟତା ପାଇଁ ପଶ୍ଚିମବଙ୍ଗରୁ ଆମ୍ବୁଲାନ୍ସ ସହିତ ଡାକ୍ତରୀ ଟିମ୍ ଆସି କଟକରେ ପହଞ୍ଚିବା ସହିତ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଆଲୋଚନା ଚଳାଇଥିବା ଜଣାଯାଇଛି ।
ଏହି ଦୁର୍ଘଟଣାରେ ମୃତୁୃ୍ୟବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ଲକ୍ଷ ଟଙ୍କା କରି ପ୍ରଦାନ ଲାଗି ରାଜ୍ୟ ସରକାର ଘୋଷଣା କରିବା ସହିତ ସମସ୍ତ ଆହତଙ୍କ ମାଗଣା ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।