ଭୁବନେଶ୍ୱର : ବିଧାୟକଙ୍କଠାରୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି ଆଦିଙ୍କ ବେତନ ଓ ଭତ୍ତା ବୃଦ୍ଧି ସହିତ ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ ଓ ଭତ୍ତା ବଢ଼ାଇବା ଲାଗି ରାଜ୍ୟ ବିଧାନସଭାରେ ସର୍ବସମ୍ମତକ୍ରମେ ପାରିତ ବିଧେୟକ ଏଯାବତ୍ ଆଇନ୍ର ରୂପ ନେଇନଥିବାରୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏ ପରିପ୍ରେକ୍ଷୀରେ ଗୃହୀତ ବିଧେୟକରେ କିଛି ସଂଶୋଧନ ଆଣିବା ଲାଗି ସରକାରୀ ସ୍ତରରେ ବିଚାର ବିମର୍ଷ ଚାଲିଛି ।
ବିଧାୟକ ଓ ମନ୍ତ୍ରୀ ଆଦିଙ୍କ ବେତନ-ଭତ୍ତା ଆଦି ବୃଦ୍ଧି ସଂକ୍ରାନ୍ତରେ ଗତ ସରକାର ସମୟରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିସ କରିଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏହି କମିଟିର ମଧ୍ୟ ସଦସ୍ୟ ଥିଲେ । ତେବେ ବିଜେଡି ସରକାର ଅମଳରେ ଏହି ସୁପାରିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
ତେବେ ରାଜ୍ୟରେ ବିଜେପି ସରକାର ଗଢ଼ାଯିବା ପରେ ଅନ୍ୟତମ ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇଙ୍କ ଅଧ୍ୟକ୍ଷତାରେ ଆଉ ଏକ କମିଟି ଏ ସଂକ୍ରାନ୍ତରେ ଗଠନ କରାଯାଇଥିଲା । ଏହି କମିଟି ଯେଉଁ ସୁପାରିସ କରିଥିଲେ ତାହା ପୂର୍ବ କମିଟିଙ୍କ ସୁପାରିସଠାରୁ ଅଧିକ ଥିଲା । ତେବେ ରାଜ୍ୟ ସରକାର କମିଟିର ସୁପାରିସକୁ ଗ୍ରହଣ କରିବା ସହ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ବେତନ, ଭତ୍ତା, ପେନ୍ସନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଏକ ଅର୍ଥ ବିଲ୍ ହୋଇଥିବାରୁ ଏହା ଉପରେ ମଧ୍ୟ ରାଜ୍ୟପାଳଙ୍କ ସ୍ୱୀକୃତି ନିଆଯାଇଥିଲା । ପରବର୍ତ୍ତୀ ସମୟରେ ବିଧାନସଭାରେ ତାହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା ।
ଗୃହୀତ ବିଧେୟକରେ ଯାହା ବ୍ୟବସ୍ଥା ରହିଛି ସେଥିରେ ଓଡ଼ିଶାର ବିଧାୟକମାନଙ୍କ ବେତନ, ଭତ୍ତା ଆଦି ସାରା ଦେଶରେ ସର୍ବୋଚ୍ଚ ବୋଲି କୁହାଯାଉଛି । ଏ ସଂକ୍ରାନ୍ତରେ ସର୍ବସାଧାରଣରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏମିତିକି ବିଧାନସଭାରେ ଏହି ବିଲ୍କୁ ବିରୋଧ କରିନଥିଲେ ମଧ୍ୟ ବିରୋଧୀ ଦଳ ନେତା ସରକାରଙ୍କୁ ଚିଠି ଲେଖି ସେ ବର୍ଦ୍ଧିତ ବେତନ ଓ ଭତ୍ତା ନେବେ ନାହିଁ ବୋଲି ସୂଚାଇଥିଲେ ।
ଗୁଜରାଟ, କେରଳ ଓ ମଣିପୁର ଭଳି ରାଜ୍ୟରେ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଅନ୍ୟ ପଦାଧିକାରୀମାନଙ୍କୁ ଯେତେ ପରିମାଣର ବେତନ, ଭତ୍ତା ଓ ପେନ୍ସନ୍ ଦିଆଯିବାର ବ୍ୟବସ୍ଥା ଅଛି ତାହାର ହାରାହାରି ହିସାବ ଅନୁଯାୟୀ ଓଡ଼ିଶା ପାଇଁ ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ମଧ୍ୟ ବ୍ୟାପକ ବିତର୍କ ହୋଇଛି । ଏମିତିକି ଏହି କମିଟିର ସଦସ୍ୟ ଥିବା ସିପିଏମ୍ ବିଧାୟକ ମଧ୍ୟ ଏହା ବିରୋଧ କରିଛନ୍ତି ।
ବିଧିବ୍ୟବସ୍ଥା ମୁତାବକ ବିଧାନସଭାରେ ପାରିତ ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ଆଇନ୍ରେ ପରିଣତ ହୁଏ । ଏଯାବତ୍ ଏହା ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିନଥିବାରୁ ପ୍ରଚଳିତ ଆଇନ୍ର ସଂଶୋଧନ ହୋଇପାରୁ ନାହିଁ କିମ୍ବା ବିଧେୟକରେ ଥିବା ବ୍ୟବସ୍ଥା ମୁତାବକ ୨୦୨୪ରୁ ପିଛିଲା ଭାବେ ଏହା ଲାଗୁ କରାଯାଇପାରୁ ନାହିଁ । ତେବେ ଗଣମାଧ୍ୟମରେ ଦଳମତ ନିର୍ବିଶେଷରେ ବହୁ ବିଧାୟକ ସେମାନଙ୍କ ବେତନ, ଭତ୍ତା ଓ ପେନ୍ସନ୍ ବୃଦ୍ଧି ସଂପର୍କରେ ବାରମ୍ବାର ବକ୍ତବ୍ୟ ରଖିଆସୁଛନ୍ତି ।
ବିଧାନସଭାର ଚଳିତ ବଜେଟ୍ ଅଧିବେଶନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ପାରିତ ବିଧେୟକରେ ଥିବା ବ୍ୟବସ୍ଥାରେ ସଂଶୋଧନ ଆଣି ପୁଣିଥରେ ତାହାକୁ କ୍ୟାବିନେଟ୍ ଓ ବିଧାନସଭାରେ ଉପସ୍ଥାପନ କରିବା ଲାଗି ତତ୍ପରତା ପ୍ରକାଶ ପାଉଛି । ଏଥିରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଜଡ଼ିତ ଥିବାରୁ ଆଇନ୍ ବିଭାଗ ଓ ଆଡଭୋକେଟ୍ ଜେନେରାଲଙ୍କ ମତାମତ ନିଆଗଲେ ଭବିଷ୍ୟତରେ ଆଇନ୍ଗତ ସମସ୍ୟା ଉପୁଜିବ ନାହିଁ ବୋଲି ବିଧି ବିଶାରଦମାନେ ମତବ୍ୟକ୍ତ କରୁଥିବାବେଳେ ଏ ପ୍ରସଂଗରେ ରାଜ୍ୟ ସରକାର କି ପ୍ରକାର ଭୂମିକା ଗ୍ରହଣ କରୁଛନ୍ତି ଏବଂ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ ବେତନ, ଭତ୍ତା ଓ ପେନ୍ସନ୍ ବୃଦ୍ଧି ପ୍ରସଂଗରେ କ’ଣ ମତ ରଖୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।(ତଥ୍ୟ)

