ଭୁବନେଶ୍ୱର : ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଟପିଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ପର୍ଯ୍ୟଟକ ପଶ୍ଚିମ ୟୁରୋପରୁ ଓଡିଶାକୁ ଆସିଛନ୍ତି ।
ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ କରୋନା କାଳରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୨୧ମସିହାରେ ମାତ୍ର ୨୨୬୯ରେ ସୀମିତ ରହିଥିଲା । ଏହା ପରଠାରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
୨୦୨୨ ବର୍ଷରେ ଓଡିଶାକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏମାନଙ୍କ ସଂଖ୍ୟା ୪୫ହଜାରକୁ ଅତିକ୍ରମ କରିଯାଇଥିଲା । ତେବେ ଗତବର୍ଷ ଓଡିଶାକୁ ୫୩,୩୯୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ଏହି ପର୍ଯ୍ୟଟକମାନେ ସାଧାରଣତଃ ଉତ୍ତର ଆମେରିକା, କେନ୍ଦ୍ର ଏବଂ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ପଶ୍ଚିମ ୟୁରୋପ, ପୂର୍ବ ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା, ଆଦି ଦେଶରୁ ଓଡିଶାକୁ ଆସିଥାନ୍ତି ।
ତେବେ ଗତବର୍ଷ ଓଡିଶାକୁ ଆସିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ପଶ୍ଚିମ ୟୁରୋପୀୟ ଦେଶ ଯଥା ଫ୍ରାନ୍ସ, ଜର୍ମାନ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ସୁଇଡେନ୍, ସୁଇଜରଲ୍ୟାଣ୍ଡ, ଇଂଲଣ୍ଡ, ଗ୍ରିସ୍ ଆଦି ଦେଶରୁ ପ୍ରାୟ ୨୧ ହଜାର ପର୍ଯ୍ୟଟକ ଆସିଥିଲେ । ଏହି ସମୟରେ ଆଫ୍ରିକାରୁ କେବଳ ୧୫୧୩ ଜଣ ପର୍ଯ୍ୟଟକ ଓଡିଶା ବୁଲିବାକୁ ଆସିଛନ୍ତି । ତେବେ ଏହିବର୍ଷ ପାକିସ୍ତାନରୁ ଓଡିଶାକୁ ୫ଜଣ ପର୍ଯ୍ୟଟକ ଆସିଥିବା ରେକର୍ଡ କରାଯାଇଛି ।
ବିଦେଶୀ ପର୍ଯ୍ୟଟକମାନଙ୍କ ଆକୃଷ୍ଟ କରିବାପାଇଁ ରାଜ୍ୟ ସରକାର ଇକୋ ରିଟ୍ରିଟ୍, ଓଡିଶା ୱାକ୍, କୋଣାର୍କ ଓ ଧଉଳିରେ ଲାଇଟ୍ ଏଣ୍ଡ୍ ସାଉଣ୍ଡ ବ୍ୟବସ୍ଥା, କୋଣାର୍କ ମହୋତ୍ସବ ଆଦିର ଆୟୋଜନ କରୁଛନ୍ତି । ଏଭଳି କାର୍ଯ୍ୟକ୍ରମ ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ଆସିବାକୁ ବେଶ୍ ଉତ୍ସାହିତ କରୁଛି ।
ଚଳିତ ଆର୍ଥିକ ବର୍ଷରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ୨୭ କୋଟି ୫୩ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ଏଥି ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ୟୁଟ୍ୟୁବ ଚ୍ୟାନେଲ ଓ ଏଫ୍ ଏମ୍ ରେଡିଓ କାର୍ଯ୍ୟକ୍ରମ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସୋନି ପିକ୍ଚର ନେଟୱାର୍କକୁ ୨କୋଟିରୁ ଅଧିକ ଟଙ୍କ ଦିଆଯାଇଥିବାବେଳେ ଝାରସୁଗୁଡା ବିମାନବନ୍ଦରରେ ବ୍ରାଣ୍ଡିଂ ପାଇଁ ୨,୫୧,୮୧,୦୦ ଟଙ୍କା ଅଜନ୍ତା ଆଡଭରଟାଇଜର୍ସକୁ ପ୍ରଦାନ କରାଯାଇଛି ।
ଓଡିଶା ପର୍ଯ୍ୟଟନର ପ୍ରଚାର ପାଇଁ ପେଟିଏମ୍, ମେକ୍ ମାଇଁ ଟ୍ରିପ୍, ଇକ୍ସିଗୋ, ୟୁାହୁ ମିଡିଆ, ଗୁଗୁଲ୍ ଆଦି ସଂସ୍ଥା ମଧ୍ୟ ଲକ୍ଷାଧିକ ଟଙ୍କା ନେଇଥିବା ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । ତେବେ ଦୂରଦର୍ଶନ ଭଳି ସଂସ୍ଥା ଏଥିପାଇଁ ୮ଲକ୍ଷ ଟଙ୍କାରୁ କମ୍ ଅଥ ନେଇଛି ଯାହା କି ଏ କ୍ଷେତ୍ରରେ ସବୁଠାରୁ କମ୍ ଥିବା ଜଣାଯାଇଛି । (ତଥ୍ୟ)

