Home Agriculture ଆସନ୍ତା ୨୦ରୁ ଧାନ ସଂଗ୍ରହ ଆରମ୍ଭ

ଆସନ୍ତା ୨୦ରୁ ଧାନ ସଂଗ୍ରହ ଆରମ୍ଭ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଧାନ ସଂଗ୍ରହ  ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନିତ କରାଯିବା ସହ ସମସ୍ତ ପ୍ରକାର ଅନିୟମିତତା, ଦଲାଲି, କଟନୀ ଛଟନୀକୁ  ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି । ଏହି ମାସ ୨୦ ଓ ୨୨ ତାରିଖରୁ ବରଗଡ଼ ଓ ସମ୍ବଲପୁରରୁ ଧାନ ସଂଗ୍ରହ ଆରମ୍ଭ ହେଉଛି ।

ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଛି । ଏହାର ବଣ୍ଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆସନ୍ତା ୮ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରୁ ଆରମ୍ଭ ହେବ । ଡ଼ିସେମ୍ବର ମାସ ୭ ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ପାଇବେ ।

ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ । ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବା ନିମନ୍ତେ ପ୍ରଦାନ ହୋଇସାରିଛି । ଏହା ସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି ।

କଟନୀ ଛଟନୀକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଭାବେ କରାଯିବ । ଏଥି ନିମନ୍ତେ ମଣ୍ଡିରେ ନୋଡ଼ାଲ ଅଫିସର, ସୁପରଭାଇଜର ନିଯୁକ୍ତ କରାଯାଇଛି ।

ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ ।