Home Assembly ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି

ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଜ୍ଞପ୍ତି ଆଧାରରେ ଆସନ୍ତା ଶିକ୍ଷାବର୍ଷ ଠାରୁ ରାଜ୍ୟରେ ବିଦ୍ୟାଳୟଗୁଡିକରେ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ ଲାଗି ନିଷ୍ପତ୍ତି ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଉତ୍ତରରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଦ୍ୱାରା ଏହାର କାର୍ଯ୍ୟାକାରିତା ଓ କାର୍ଯ୍ୟପନ୍ଥା ସ୍ଥିର କରିବାପାଇଁ ଏକ ଟାସ୍କଫୋର୍ସ ସରକାରଙ୍କ ବିଜ୍ଞପ୍ତି ଆଧାରରେ ଗଠନ କରାଯାଇଛି । ଏହାଛଡା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନାମକ ଅତିରିକ୍ତ ପ୍ରାକ୍‍ ବିଦ୍ୟାଳୟ ଶ୍ରେଣୀ ଖୋଲାଯିବ ଯେଉଁଠାରେ ୫ରୁ ୬ବର୍ଷ ବୟସର ପିଲାମାନଙ୍କର ନାମ ଲେଖାଯିବ ।

କମିଟିରେ ଥିବା ବିଶେଷଜ୍ଞମାନଙ୍କର ସୁପାରିଶକୁ ଆଧାର କରି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବ୍ୟବସ୍ତା ଓ କେଉଁ ଢାଞ୍ଚାରେ ପରୀକ୍ଷା କରାଯିବ ତାହା ଉପରେ ସରକାର ଚିନ୍ତା କରୁଛନ୍ତି । କିନ୍ତୁ ଚଳିତବର୍ଷ ପରୀକ୍ଷାର ଢାଞ୍ଚା ବଦଳିବ ନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ।