Home Health ଆଶା କର୍ମୀଙ୍କୁ ସହାୟତା

ଆଶା କର୍ମୀଙ୍କୁ ସହାୟତା

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ମଙ୍ଗ ଧରିଥିବା ଆଶା କର୍ମୀଙ୍କ ସଂଖ୍ୟା ରାଜ୍ୟରେ ୪୯ହଜାରରୁ ଅଧିକ ରହିଥିବାବେଳେ ସମଗ୍ର ଦେଶରେ ଏମାନଙ୍କ ସଂଖ୍ୟା ସାଢେ ୧୦ଲକ୍ଷରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟର ସୂଚନାରୁ ଏହା ଜଣାପଡିଛି ।

ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ ୧୦,୫୦,୭୮୪ଜଣ ଆଶାକର୍ମୀ ନିୟୋଜିତ ଥିବାବେଳେ ଓଡିଶାରେ ଏମାନଙ୍କ ସଂଖ୍ୟା ୪୯,୦୨୭ ରହିଛି । ତେବେ ପଡୋଶୀ ଛତିଶଗଡରେ ୭୨ହଜାରରୁ ଅଧିକ ଆଶାକର୍ମୀ ଥିବାବେଳେ ଝାଡଖଣ୍ଡରେ ଏମାନଙ୍କ ସଂଖ୍ୟା ୪୭ହଜାରରୁ ଅଧିକ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶରେ ୪୩,୭୬୭ ଜଣ ଆଶାକର୍ମୀ କାର୍ଯ୍ୟରତ ଥିବାବେଳେ ପଶ୍ଚିମବଙ୍ଗରେ ଏମାନଙ୍କ ସଂଖ୍ୟା ୬୭ହଜାରରୁ ଅଧିକ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୧୮ ମସିହାରେ କେନ୍ଦ୍ର ସରକାର ଆଶାଙ୍କ ପାଇଁ କେତେକ ପ୍ୟାକେଜ ଘୋଷଣା କରିଛନ୍ତି । ତଦନୁଯାୟୀ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ଆଶାଙ୍କ ପାଇଁ ୨ଲକ୍ଷ ଟଙ୍କାର ବୀମା ସୁବିଧା ରହିଛି । ଏହି ବୀମା ଅର୍ଥ ପାଇଁ ଦେବାକୁ ଥିବା ବାର୍ଷିକ ପ୍ରିମିୟମର ଅଧା ଦେୟ କେନ୍ଦ୍ର ସରକାର ବହନ କରୁଛନ୍ତି ।

ସେହିଭଳି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯେଜାନାରେ ମଧ୍ୟରେ ଆଶାଙ୍କ ପାଇଁ ୨ଲକ୍ଷ ଟଙ୍କାର ବୀମା ସୁବିଧା ରହିଛି । ଯଦି କୌଣସି ଦୁର୍ଘଟଣାରେ ଆଶାକର୍ମୀଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ନିକଟ ସମ୍ପର୍କୀୟ ୨ଲକ୍ଷ ଟଙ୍କା ପାଇବେ । ସେହିଭଳି ଆଶାକର୍ମୀମାନେ ଅର୍କମଣ୍ୟ ହୋଇଗଲେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଏହି ବୀମା ରାଶିର ସମସ୍ତ ଦେୟ କେନ୍ଦ୍ର ସରକାର ବହନ କରୁଛନ୍ତି ।

ଅତିରିକ୍ତ ଭାବେ ପ୍ରଧାନ ମନ୍ତ୍ରୀ ଶ୍ରମ ଯୋଗୀ ମନ ଧନ ଯୋଜନାରେ ଆଶାକର୍ମୀମାନଙ୍କୁ ସାମିଲ କରାଯାଇଛି । ଏହି ଯୋଜନାରେ ସେମାନେ ୬୦ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କାର ପେନ୍‍ସନ ପାଇବେ । ତେବେ ଏଥିପାଇଁ ଦେବାକୁ ଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୫୦ ପ୍ରତିଶତବହନ କରୁଥିବାବେଳେ ଅବଶିଷ୍ଟ ୫୦ ପ୍ରତିଶତ ଆଶାକର୍ମୀଙ୍କୁ ଦେବାକୁ ପଡୁଛି । ଏହାବାଦ୍‍ କେନ୍ଦ୍ର ସରକାର କାର୍ଯ୍ୟରତ ଆଶାକର୍ମୀଙ୍କ ପାଇଁ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ରଖିଛନ୍ତି । ତେବେ ଯେଉଁ ଆଶା କର୍ମୀମାନେ ୧୦ବର୍ଷ କାର୍ଯ୍ୟ କରିଥିବେ ସେମାନେ ଏହାର ଲାଭ ପାଇପାରିବେ ।

ସେହିଭଳି ରାଜ୍ୟ ସରକାର ମଧ୍ୟ ଆଶାକର୍ମୀଙ୍କ ପାଇଁ ଅନେକ ସହାୟତା ଘୋଷଣା କରିଛନ୍ତି । ସେମାନଙ୍କୁ ସାଇକେଲ ଠାରୁ ଆଲମିରା ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଖରିଦ ପାଇଁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ସନ୍ତାନ ପ୍ରସବ ଠାରୁ ଆରମ୍ଭ କରି ଏଚ୍‍ଆଇଭି ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଲାଗି ସରକାରୀ ଧାର୍ଯ୍ୟ ଦରରେ ପ୍ରୋତ୍ସାହନ ରାଶି ପାଇଥାନ୍ତି । (ତଥ୍ୟ)