Home General ଆଶାଜନକ ନୁହେଁ ହସ୍ତତନ୍ତ ରପ୍ତାନି

ଆଶାଜନକ ନୁହେଁ ହସ୍ତତନ୍ତ ରପ୍ତାନି

ଭୁବନେଶ୍ୱର : ହସ୍ତତନ୍ତ ବସ୍ତ୍ର ପାଇଁ ପ୍ରସିଦ୍ଧିଲାଭ କରିଥିବା ଓଡିଶାରୁ ବର୍ଷକୁ ୧୦କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ ରାଜ୍ୟ ବାହାରକୁ ଯାଇପାରୁ ନାହିଁ । ବରଂ ଅନ୍ୟ ରାଜ୍ୟର ହସ୍ତତନ୍ତ ଓ କଳତନ୍ତ ଲୁଗା ଓଡିଶାର ବଜାରକୁ ନିଜ ଦଖଲକୁ ନେବା ଆରମ୍ଭ କରିଛନ୍ତି ।

ଓଡିଶାର ସମ୍ବଲପୁର, କଟକ, ଆଠଗଡ, ସୋନପୁର, ବରଗଡ ଆଦି ସ୍ଥାନରେ ବୁଣା ଯାଉଥିବା ପାଟଲୁଗା ଓ ଅନ୍ୟାନ୍ୟ ହସ୍ତତନ୍ତ ଶାଢୀ ଏବଂ ପୋଷାକର ଦେଶ ବିଦେଶରେ ଢେର ଚାହିଦା ରହିଛି । ରାଜ୍ୟ ଭିତରେ ମଧ୍ୟ ହସ୍ତତନ୍ତ ବସ୍ତ୍ର ତାହାର ସ୍ୱତନ୍ତ୍ରତା ବଜାୟ ରଖିଛି । ତେବେ ଗତ ତିନି ବର୍ଷର ହସ୍ତତନ୍ତ ବ୍ୟବସାୟକୁ ଲକ୍ଷ୍ୟକଲେ ଏହା ସେତେଟା ଆଗକୁ ବଢୁନଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟରେ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ଦେଶ ଭିତରେ ପ୍ରାୟ ୫.୨୭ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ବିଦେଶକୁ ପ୍ରାୟ ୧.୧୬ କୋଟି ଟଙ୍କାର ବସ୍ତ୍ର ରପ୍ତାନି ହୋଇଥିଲା । ସେହିଭଳି ୨୦୨୦-୨୧ ବର୍ଷରେ ଏହି ବ୍ୟବସାୟ ଯଥାକ୍ରମେ ୪.୧୩ କୋଟି ଓ ପ୍ରାୟ ୨ କୋଟି ଟଙ୍କା ରହିଥିଲା । ତେବେ କୋଭିଡ ପରବର୍ତ୍ତୀ ବର୍ଷ ଅର୍ଥାତ୍‍ ୨୦୨୧-୨୨ ବର୍ଷରେ ରାଜ୍ୟର ଉତ୍ପାଦିତ ହସ୍ତତନ୍ତ ବସ୍ତ୍ର ଦେଶ ଭିତରେ ପ୍ରାୟ ୪.୩୯ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ବିଦେଶକୁ ୩.୮୬ କୋଟି ଟଙ୍କାର ବସ୍ତ୍ର ରପ୍ତାନି ହୋଇଥିଲା ।

ଇତି ମଧ୍ୟରେ ରାଜ୍ୟ ସରକାର ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରକୁ ଦେଶ ବିଦେଶରେ ପହଞ୍ଚାଇବାପାଇଁ ବୁଣାକାରମାନଙ୍କ ଦକ୍ଷତା ବିକାଶ ଲାଗି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରୁଥିବାବେଳେ ଏଥିପାଇଁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ଡିଜାଇନରମାନଙ୍କୁ ନିୟୋଜିତ କରୁଛନ୍ତି । ସେହିଭଳି ଆର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡିଶାର ହସ୍ତତନ୍ତ ବସ୍ତ୍ରକୁ ଅଂଶଗ୍ରହଣ ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଓଡିଶାର ହସ୍ତତନ୍ତ ବସ୍ତ୍ରକୁ ପ୍ରକୃତ ପରିଚୟ ପ୍ରଦାନ ନିମନ୍ତେ ରାଜ୍ୟର ୪୨୩ଟି ସମିତିକୁ କେନ୍ଦ୍ର ସରକାର ଟେକ୍ସଟାଇଲ୍‍ କମିଟି ଅନୁଷ୍ଠାନ ମାଧ୍ୟମରେ ହସ୍ତତନ୍ତ ମାର୍କରେ ପଞ୍ଜିକରଣ କରାଯାଇଛି ।

ଏତେ ସବୁ ସତ୍ୱେ ଓଡିଶାର ହସ୍ତତନ୍ତ ବସ୍ତ୍ର ଯେଭଳି ଭାବେ ଦେଶ ଭିତରେ ଓ ବିଦେଶରେ ବିକ୍ରିବଟା ହେବାକଥା ତାହା ହୋଇପାରୁ ନାହିଁ । ଓଡିଶା ବଜାରରେ ଏବେ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ଓ କଳତନ୍ତ ଶାଢୀଗୁଡିକ ଯେଭଳି ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେମାନଙ୍କର ଡିଜାଇନ୍‍ ଓ ଦର ଆଗରେ ଓଡିଶାର ହସ୍ତତନ୍ତ ଏକ ପ୍ରକାର ପଛରେ ପଡିଯାଉଛି । ସେହିଭଳି ଓଡିଶା ହସ୍ତତନ୍ତର ସ୍ୱତନ୍ତ୍ର ପରିଚୟ ଥିବା ନାମୀଦାମୀ ଶାଢୀର ଅବିକଳ ଅନ୍ୟ ରାଜ୍ୟରୁ ଆସି ଓଡିଶା ବଜାରରେ କମ୍‍ ଦରରେ ବିକ୍ରି ହେଉଛି ।

ଏକଦା ଓଡିଶାର ବୁଣାକାର ଉତ୍ପାଦିତ ସାମଗ୍ରୀକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଓଡିଶା ହସ୍ତତନ୍ତ ଉନ୍ନୟନ ନିଗମ ଗଠନ ହୋଇଥିଲା । ସାରା ଦେଶରେ ଏହାର ବିକ୍ରୟ କେନ୍ଦ୍ରମାନ ରହିଥିଲା । ସେତେବେଳେ ଶହ ଶହ ବୁଣାକାର ସମବାୟ ସମିତି ନିଗମ ସହିତ ଯୋଡିହୋଇଥିବାବେଳେ ଗାଁ ଗହଳର ଲୁଗା ବୁଣାଳିମାନେ ଭଲ ରୋଜଗାର କରୁଥିଲେ । ହସ୍ତତନ୍ତ ଗାଁ ଗହଳର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାର ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ନିଗମ ବନ୍ଦ ପରଠାରୁ ରାଜ୍ୟରେ ସମବାୟ ଜରିଆରେ ହସ୍ତତନ୍ତର ପ୍ରସାର ବାଧାପ୍ରାପ୍ତ ହୋଇଛି । ଅନ୍ୟ ରାଜ୍ୟର ହସ୍ତତନ୍ତ ସାମଗ୍ରୀ ଯେଭଳି ଭାବେ ଓଡିଶା ବଜାରରେ ନିଜର ସ୍ଥିତି ଜାହିର କରୁଛନ୍ତି ତାହା ଅବ୍ୟାହତ ରହିଲେ ଓ ଓଡିଶାର ହସ୍ତତନ୍ତକୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆନଗଲେ ଏହା ଆହୁରି ପଛକୁ ଚାଲିଯିବ ବୋଲି ବୁଣାକାରମାନେ ମତ ଦେଉଛନ୍ତି । (ତଥ୍ୟ)