ଭୁବନେଶ୍ୱର : ତିନିମାସ ତଳେ ଓଡ଼ିଶାର ଚାଷୀ ବେପାରୀମାନଙ୍କୁ ଆଳୁ କିଲୋ ପିଛା ୫ରୁ ୮ ଟଙ୍କା ଦରରେ ବିକିଥିବା ବେଳେ ଏବେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କିଲୋ ୨୦ ଟଙ୍କା ଦରରେ କିଣିବାକୁ ବାଧ୍ୟ ହେଉଛି । ସେହିଭଳି ଉତ୍ପାଦନ ସମୟରେ ୫ର ୧୦ ଟଙ୍କା ଦରରେ ପିଆଜ ଯାଚିଗୁଞ୍ଜି ଚାଷୀ ବିକିଥିବା ବେଳେ ଏବେ କିଲୋ ୩୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି । ଯେଉଁ ହାରରେ ଆଳୁ ଓ ପିଆଜ ଦର ବଢ଼ୁଛି ଏବଂ ଅନ୍ୟ ରାଜ୍ୟମାନଙ୍କ ଉପରେ ଏଥିଲାଗି ଆମକୁ ନିର୍ଭର କରିବାକୁ ପଡୁଛି ସେଥିରୁ ଆଶ୍ୱିନ-କାର୍ତ୍ତିକ ବେଳକୁ ଆଳୁ କିଲୋ ୩୦ ଓ ପିଆଜ କିଲୋ ୫୦ ଟଙ୍କା ଟପିଯିବା ଘେନି ବ୍ୟବସାୟୀ ଓ ଖାଉଟିମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ସରକାରୀ ହିସାବ ମୁତାବକ ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ୧୪ଲକ୍ଷ ମେଟ୍ରିକ ଟନ୍ ଆଳୁ ଓ ୩ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ହେଉଛି । ରାଜ୍ୟରେ ପାଖାପାଖି ୪ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହେଉଛି ବୋଲି ଦାବି କରାଯାଉଥିବାବେଳେ ଆବଶ୍ୟକତା ଠାରୁ ଅଧିକ ପରିମାରଣର ପିଆଜ ଉତ୍ପାଦିତ ହୋଇଥିବା କୁହାଯାଉଛି । ଅଧିକ ପିଆଜ ଉତ୍ପାଦନ ହେଉଥିବାବେଳେ ସଂରକ୍ଷଣର ବ୍ୟାପକ ସୁବିଧା ନଥିବାରୁ ଉତ୍ପାଦନ ପରେ ପରେ ଚାଷୀମାନେ ବାଧ୍ୟ ହୋଇ ବେପାରୀଙ୍କ ହାତରେ ନାମମାତ୍ର ଦରରେ ପିଆଜ ବିକୁଛନ୍ତି । ସେହିଭଳି ଓଡ଼ିଶାରେ ଚାଷୀ ଯେତିକିଆଳୁ ଫଳାଉଛନ୍ତି ତାହାର ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳ ଭଣ୍ଡାର ନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାର ଚାଷୀଙ୍କୁ ଠକି ଢେର କମ୍ ମୂଲ୍ୟରେ ଆଳୁ ନେଇ ନିଜ ରାଜ୍ୟର ଶୀତଳ ଭଣ୍ଡାରରେ ଗଚ୍ଛିତ ରଖିବା ପରେ ପୁଣି ତାହା ୪/୫ ଗୁଣା ଦରରେ ଏଠାରେ ବିକୁଛନ୍ତି ।
ଆଳୁ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ପଞ୍ଜାବ ଉପରେ ନିର୍ଭର କରୁଥିବାବେଳେ ପିଆଜ ଲାଗି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ହାତକୁ ଚାହିଁ ବସୁଛି । ଓଡ଼ିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ବକଳା ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ନେଇ ୨୦୧୫-୧୬ ବର୍ଷରେ କେନ୍ଦ୍ରୀୟ ସହାୟତାରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ ହୋଇଥିଲା । ଏଥିପାଇଁ ୩ବର୍ଷରେ ରାଷ୍ଟ୍ରୀୟ କୃଷି ବିକାଶ ମାଧ୍ୟମରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ୨୦୧୫-୧୬ ବର୍ଷରେ ଓଡ଼ିଶାରେ ୩୦ ହଜାର ହେକ୍ଟର, ୨୦୧୬-୧୭ ବର୍ଷରେ ୪୫ ହଜାର ହେକ୍ଟର ଓ ୨୦୧୭-୧୮ ବର୍ଷରେ ୬୦ ହଜାର ହେକ୍ଟର ଉନ୍ନତ କିସମର ଆଳୁ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିଲା । ଆଳୁ ମିଶନର ଲକ୍ଷ୍ୟ ସଫଳ ହୋଇଥିଲେ ୨୦୧୯-୨୦ ବର୍ଷରୁ ଆମ ରାଜ୍ୟ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥାନ୍ତା ଏବଂ ଏବେ ସୁଦ୍ଧା ଆମେ ବଳକା ରାଜ୍ୟରେ ପରିଣତ ହୋଇ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଉଥାନ୍ତୁ । ଆଳୁ ପାଇଁ ଆମକୁ ଅନ୍ୟ ରାଜ୍ୟର ସରକାରମାନେ ନାଲି ଆଖି ଦେଖାଉନଥାନ୍ତେ କିମ୍ବା ଅଧିକ ମୂଲ୍ୟ ନେଇ ଅନୁଗ୍ରହ ଓ ଅନୁକମ୍ପା ପ୍ରଦର୍ଶନ କରୁନଥାନ୍ତେ ।
ଆଳୁ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ସବୁଠାରୁ ବଡ଼ ବାଧକ ହେଉଛି ଶୀତଳ ଭଣ୍ଡାର ସମସ୍ୟା । ଗତ ୩୦ବର୍ଷ ମଧ୍ୟରେ ଓଡ଼ିଶାରେ ଶୀଳତ ଭଣ୍ଡାର ସଂଖ୍ୟା ବଢ଼ିବା ପରିବର୍ତ୍ତେ ଢେର କମିଛି । ଏମିତିକି ଅଧିକାଂଶ ସମବାୟ ଶୀଳତ ଭଣ୍ଡାର ଅଚଳ ହୋଇପଡିଛି । ଘରୋଇ ଉଦ୍ୟମରେ ଶୀତଳ ଭଣ୍ଡାର ସ୍ଥାପନ ଲାଗି ଯେଉଁ ଉଦ୍ୟମ ହୋଇଥିଲା ତାହା ସେତେଟା ସଫଳ ହୋଇନାହିଁ । ବିଶେଷକରି ଏ କ୍ଷେତ୍ରରେ ବିଦ୍ୟୁତ ଦର ବୃଦ୍ଧି ଓ ବିଦ୍ୟୁତ କାଟ କଣ୍ଟା ସାଜୁଥିବାରୁ ଘରୋଇ ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉନାହାନ୍ତି । ସରକାର ବି ସମବାୟ ଭିତ୍ତିରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରୁନାହାନ୍ତି । ରାଜ୍ୟର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଥିବା ବେଳେ କେବେ ଏହା ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ତାହାକୁ ଚାଷୀମାନେ ଚାତକ ଭଳି ଅନାଇ ରହିଛନ୍ତି । (ତଥ୍ୟ)