ଭୁବନେଶ୍ୱର : ଆଳୁ ଉତ୍ପାଦନ ସମୟରେ ସଂରକ୍ଷଣ ପାଇଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନଥିବାରୁ ବିଭିନ୍ନ ଅଞ୍ଚଳରେ ବେପାରୀମାନେ ନାମମାତ୍ର ଦରରେ ଚାଷୀମାନଙ୍କଠାରୁ ଆଳୁ କିଣୁନେଉଛନ୍ତି । ଏଥିପାଇଁ କିଲୋ ପିଛା ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଚାଷୀ ପାଉଥିବାବେଳେ ସେମାନେ ଏହାକୁ ରାଜ୍ୟ ବାହାରର ବିଭିନ୍ନ ଶୀତଳ ଭଣ୍ଡାରରେ ମହଜୁଦ ରଖି ପରବର୍ତ୍ତୀ ସମୟରେ ପୁଣି ଆମକୁ କିଲୋ ୨୦ରୁ ୩୦ ଟଙ୍କା ଦରରେ ଯୋଗାଉଛନ୍ତି ।
ଓଡ଼ିଶାର ମାଟି, ଜଳବାୟୁ ଆଳୁ-ପିଆଜ ଆଦି ଚାଷ ପାଇଁ ଅନୁକୂଳ ଥିଲେ ମଧ୍ୟ ସଂରକ୍ଷଣ ସୁବିଧା ନଥିବାରୁ କ୍ଷତିରେ ପଡ଼ିବା ଆପେକ୍ଷା ଆଳୁ ଚାଷ ନକରିବାକୁ ବହୁ ଚାଷୀ ମତପ୍ରକାଶ କରୁଛନ୍ତି । ଏଥିଯୋଗୁ ଆଳୁ ମିଶନ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରୋତ୍ସାହନ ସତ୍ତ୍ୱେ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରୁ ନାହିଁ । ଏଥିପାଇଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି । ଉତ୍ତରପ୍ରଦେଶ, ପଞ୍ଜାବ ଆଦିରୁ ଆଳୁ ଆମଦାନି କଲେ ପରିବହନ ଖର୍ଚ୍ଚ ଢେର ଅଧିକ ପଡୁଛି ।
ରାଜ୍ୟରେ ୫୦ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବାବେଳେ ୧୭ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି ମାତ୍ର ୩୫ଟି ଶୀତଳ ଭଣ୍ଡାର । ସମବାୟ ଭିତ୍ତିରେ ନିର୍ମାଣ କରାଯାଇଥିବା ଅଧିକାଂଶ ଶୀତଳ ଭଣ୍ଡାରରେ ତାଲା ଝୁଲୁଛି । ସମ୍ବଲପୁର ଜିଲ୍ଲାରେ ୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୪ଟି କରି, କୋରାପୁଟରେ ୩ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । ବାଲେଶ୍ୱର, ବଲାଙ୍ଗୀର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରେ ଦୁଇଟିକରି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର, ଝାରସୁଗୁଡ଼ା, ଗଞ୍ଜାମ, ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଚାଲୁଛି ।
କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରଗୁଡ଼ିକର ସଂରକ୍ଷଣ କ୍ଷମତା ମାତ୍ର ୧ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ୍ ଟନ୍ ରହୁଛି । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଦରକାର ପଡୁଥିବାବେଳେ ରାଜ୍ୟରେ ଏବେ ଅତି ବେଶୀରେ ୩ରୁ ୪ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଆଳୁ ଉତ୍ପାଦିତ ହେଉଛି । ରାଜ୍ୟ ସରକାର ଇତିମଧ୍ୟରେ ପ୍ରଣୟନ କରିଥିବା ନୂତନ ଶୀତଳ ଭଣ୍ଡାର ନୀତି ଅନୁଯାୟୀ ୫୮ଟି ସବ୍ଡିଭିଜନ୍ରେ ଅତିକମ୍ରେ ଗୋଟିଏ କରି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡ଼ା ଆଉ କେତେଗୁଡ଼ିଏ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ମଧ୍ୟ ଯୋଜନା ଥିବା କୁହାଯାଉଛି । ଏଥିପାଇଁ ଆଗ୍ରହୀ ବେସରକାରୀ ସଂସ୍ଥାମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।
ତେବେ ଶୀତଳ ଭଣ୍ଡାର ଅଞ୍ଚଳରେ ଯେଭଳି ଆଦୌ ବିଦ୍ୟୁତକାଟ୍ ନହୁଏ ଏବଂ ବିଦ୍ୟୁତ ଶୁଳ୍କ କମ୍ ପରିମାଣରେ ରୁହେ ତାହାକୁ ଆଖିଆଗରେ ରଖି ଯୋଜନା କରାନଗଲେ ଶୀତଳ ଭଣ୍ଡାର ନୀତି ଆଳୁ ମିଶନ ଭଳି ବିଫଳ ହୋଇପାରେ ବୋଲି ବିଭିନ୍ନ କୃଷକ ସଂଗଠନର ନେତାମାନେ କହୁଛନ୍ତି । ପିଆଜ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତା ନାହିଁ । ତେବେ ପିଆଜ ରଖିôବା ପାଇଁ ଅନୁକୂଳ ବାତାବରଣରେ ପର୍ଯ୍ୟାପ୍ତ ସଂଖ୍ୟକ ନିରାପଦ ଭାଡ଼ି ନିର୍ମାଣ କରାଯାଉନଥିବାରୁ ପିଆଜ ଉତ୍ପାଦନ ସମୟରେ ବି ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଚାଷୀଙ୍କଠାରୁ ଶସ୍ତାରେ ପିଆଜ କିଣୁ ନେଉଥିବାବେଳେ ଓଡ଼ିଶାର ଚାହିଦା ମେଣ୍ଟାଇବା ପାଇଁ ମହାରାଷ୍ଟ୍ରରୁ ଆଣିବାକୁ ପଡୁଛି । (ତଥ୍ୟ)

