ଭୁବନେଶ୍ୱର : ଓଡିଶାରେ ଥିବା ୧୩୩ଟି ଶୀତଳଭଣ୍ଡାର ମଧ୍ୟରୁ ପାଖପାଖି ୧୦୦ଟି ବର୍ଷ ବର୍ଷ ଧରି ଅଚଳ ହୋଇ ରହିଥିବାବେଳେ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସ୍ୱାବଲମ୍ବନଶୀଳ କରିବାପାଇଁ ସରକାର ଯେଉଁ ଘୋଷଣା କରିଛନ୍ତି ତାହା ସମୟ ସାପେକ୍ଷ ହୋଇପାରେ ବୋଲି କୃଷି ବିଜ୍ଞାନୀମାନେ କହୁଛନ୍ତି ।
ରାଜ୍ୟର ୫୮ଟି ଯାକ ସବଡିଭିଜନରେ ଅନ୍ୟୁନ ଗୋଟିଏ କରି ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ତେବେ କାର୍ଯ୍ୟକ୍ଷମ ଥିବା ୩୫ଟି ଶୀତଳଭଣ୍ଡାର ଭିତରୁ କେତେକ କ୍ରମଶଃ ଦୁର୍ବଳ ହୋଇପଡୁଥିବା ପରିପ୍ରେକ୍ଷୀରେ ନୂଆ ଜ୍ଞାନକୌଶଳର ଉପଯୋଗ କରି କିଭଳି ଚାଲୁଥିବା ଓ ବନ୍ଦ ପଡିଥିବା ଶୀତଳଭଣ୍ଡାରଗୁଡିକ କାର୍ଯ୍ୟକ୍ଷମ ହେବ ଏବଂ ତାହା ସହିତ ନୂଆ ଶୀତଳଭଣ୍ଡାମାନ ବିଭିନ୍ନ କ୍ଲଷ୍ଟରରେ ପ୍ରତିଷ୍ଠା କରାଯିବ ସେଥିଘେନି ମାନସମନ୍ଥନ ଚାଲିଛି ।
ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବାପାଇଁ ଅନ୍ୟୁନ ୧ଲକ୍ଷ ହେକ୍ଟର ଜମିରେ ଆଳୁ ଚାଷ କରାଯିବାର ଆବଶ୍ୟକତା ରହିଛି ଏବଂ ଶୀତଳଭଣ୍ଡାରଗୁଡିକରେ ୧୪ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ପରିମାଣର ଆଳୁ ଯେଭଳି ସଂରକ୍ଷିତ ରହିପାରେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବାର ଅଛି । ତେବେ ଚଳିତ ବର୍ଷ ଆଳୁଚାଷ ପାଇଁ ବିଭିନ୍ନ ରାଜ୍ୟରୁ ବିହନ ଆଣି ଚାଷୀମାନଙ୍କୁ ଯେତେ ବଣ୍ଟାଯାଇଛି ସେଥିରୁ ୪ଲକ୍ଷ ଟନ୍ ପର୍ଯ୍ୟନ୍ତ ଆଳୁ ଉତ୍ପାଦିତ ହୋଇପାରେ । ଏ ପରିପ୍ରେକ୍ଷୀରେ ଆଉ ୧୦ଲକ୍ଷ ମେଟ୍ରିକ ଟନ୍ ଆଳୁ ପାଇଁ ଓଡିଶାକୁ ଅନ୍ୟରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ।
କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଶୀତଳଭଣ୍ଡାରରେ ଆଳୁ ସମେତ ଅନ୍ୟ ପନିପରିବା ଓ ଫଳ ଆଦି ସଂରକ୍ଷିତ ରହିବା ଆବଶ୍ୟକ । ଏହା କରାଯାଇ ପାରିଲେ ବିଲାତିବାଇଗଣ ଠାରୁ ଆରମ୍ଭକରି କୋବି ଓ ଅନ୍ୟ ଅର୍ଥକରୀ ଫସଲ ଶୀତଳଭଣ୍ଡାରରେ ରଖାଯାଇ ପାରିବ ଏବଂ ଚାଷୀମାନେ ଅଭାବି ବିକ୍ରିରୁ ବର୍ତ୍ତିଯାଇ ପାରିବେ ।
ଏବେ ବିଦ୍ୟୁତ୍ ଦର ଯାହା ରହିଛି ସେହି ଦରରେ ବିଦ୍ୟୁତ୍ କିଣି ଶୀତଳଭଣ୍ଡାର ଚଳାଇଲେ ସେଥିରୁ ଭଣ୍ଡାର କର୍ତ୍ତୃପକ୍ଷ ଓ ଚାଷୀମାନେ ବିଶେଷ ଫାଇଦା ପାଇବେ ନାହିଁ । ଏହାଛଡା ବିଦ୍ୟୁତ୍କାଟ କାରଣରୁ ବି ସଂରକ୍ଷିତ କୃଷିଜାତ ସାମଗ୍ରୀ ନଷ୍ଟ ହେବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ କୃଷି ପାଇଁ ସମ୍ପୂର୍ଣ୍ଣ ମାଗଣାରେ ବିଜୁଳି ଯୋଗାଣ ସହିତ ଶୀତଳଭଣ୍ଡାଗୁଡିକୁ ସର୍ବାଧିକ ରିହାତିରେ ବିଜୁଳି ଯୋଗାଣ କଲେ ଏବଂ ତତ୍ ସହିତ ସୌରଶକ୍ତିର ଉପଯୋଗ କରାଯାଇ ପାରିଲେ ବିଦ୍ୟୁତ୍ ସମସ୍ୟା ଯୋଗୁଁ ଶୀତଳଭଣ୍ଡାର ପ୍ରଭାବିତ ହେବନାହିଁ । ଏ ସଂକ୍ରାନ୍ତରେ ସରକାରଙ୍କର ନୀତିଗତ ନିଷ୍ପତ୍ତିର ଆବଶ୍ୟକତା ରହିଛି ।
ଅଧିକ ସଂଖ୍ୟକ ଶୀତଳଭଣ୍ଡାର ସୃଷ୍ଟି କରାଗଲେ ଓଡିଶାର ମାଛ ଓ ଚିଙ୍ଗୁଡିଚାଷୀମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ । କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହିତ ଲବଣ ଶିଳ୍ପ,ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦିକୁ ପ୍ରୋତ୍ସାହନ ଏବଂ ଯୋଜନାବଦ୍ଧ ଭାବେ ବିଭିନ୍ନ ଅଞ୍ଚଳରେ ଅର୍ଥକରୀ କୃଷିକୁ ଅଗ୍ରାଧିକାର ଦିଆଯାଇ ପାରିଲେ ଓଡିଶା ଆଳୁ, ପିଆଜ, ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇପାରିବ ବୋଲି କୃଷି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)