Home General ଆର ଜି କର ମେଡିକାଲ କଲେଜର ସୁଦୀର୍ଘ ଇତିହାସ

ଆର ଜି କର ମେଡିକାଲ କଲେଜର ସୁଦୀର୍ଘ ଇତିହାସ

ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଭଳି ନିନ୍ଦନୀୟ ଘଟଣା ପାଇଁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କୋଲକାତାର ଆର ଜି କର ମେଡିକାଲ କଲେଜ ହସ୍ପିଟାଲର ଇତିହାସ ବେଶ୍‍ ସୁଦୀର୍ଘ । ଏକଦା ସୁନାମରେ ପୋତିହୋଇ ପଡୁଥିବା ଏହି ମର୍ଯ୍ୟାଦାଜନକ ସଂସ୍ଥା ଏବେ ନିନ୍ଦା ଓ ଅପବାଦର ଦୁର୍ଗନ୍ଧରେ ସଢୁଛି ।

ଆର ଜି କରଙ୍କ ପୂରା ନାମ ହେଉଛି ଡାକ୍ତର ରାଧା ଗୋବିନ୍ଦ କର । ଏହି ବଙ୍ଗାଳି ଡାକ୍ତରଙ୍କ ଜନ୍ମ ୧୮୫୨, ଅଗଷ୍ଟ ୨୩ ତାରିଖରେ ଏବଂ ତାଙ୍କର ପରଲୋକ ଘଟିଥିଲା ୧୯୧୮ ଡିସେମ୍ବର ୧୯ ତାରିଖରେ ।

ରାଧା ଗୋବିନ୍ଦ କରଙ୍କ ଜନ୍ମ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ । ପିଲାଦିନୁ କୃତୀ ଛାତ୍ର ଥିବା ରାଧା ଗୋବିନ୍ଦଙ୍କର ଡାକ୍ତରୀ ପଢିବାପାଇଁ ପ୍ରବଳ ଆଗ୍ରହ ଥିଲା । ସେ କଲିକତା ମେଡିକାଲ କଲେଜରେ ଡାକ୍ତରୀ ପଢିବାପାଇଁ ନାମାଙ୍କନ କରିଥିଲେ । ତେବେ କୌଣସି କାରଣରୁ ତାଙ୍କର ପାଠପଢା ବନ୍ଦହୋଇ ଯାଇଥିଲା । ଦୃଢ ଇଚ୍ଛାଶକ୍ତି ଅଗାରେ ବାଧା ବନ୍ଧନ ହାର ମାନିଥାଏ । ଏହା ପ୍ରମାଣିତ କରି ୧୮୮୦ ମସିହାରେ ପୁଣି ରାଧାଗୋବିନ୍ଦ କଲିକତା ମେଡିକାଲ କଲେଜରେ ନାମ ଲେଖାଇଥିଲେ । ତେବେ ୧୮୮୩ ମସିହାରେ ସେ ୟୁନିଭରସିଟି ଅଫ୍‍ ଏଡିନବର୍ଗରୁ ମେଡିକାଲ ଡିଗ୍ରୀ ହାସଲ କରିଥିଲେ ।

ଡାକ୍ତର କର ପାଠପଢା ପରେ କଲିକତାକୁ ଫେରି ଗରିବ ରୋଗୀଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଏ କାମରେ ତାଙ୍କର କିଛି ବନ୍ଧୁ ଅବଶ୍ୟ ସହଯୋଗ ଦେଇଥିଲେ । ଡାକ୍ତର କର ବଙ୍ଗୀୟ ଭାଷାରେ ଚିକିତ୍ସା ବିଜ୍ଞାନର ଅନେକ ପୁସ୍ତକ ସରଳ ଓ ସାବଲୀଳ ଭାଷାରେ ରଚନା କରିଥିଲେ ।

ଅଧିକରୁ ଅଧିକ ସଂଖ୍ୟକ ଦେଶୀୟ ପିଲାଙ୍କୁ ଚିକିତ୍ସା ବିଜ୍ଞାନ ପଢାଇବା ଉଦ୍ଦେଶ୍ୟରେ ସେ ଏକ ମେଡିକାଲ କଲେଜ ଆରମ୍ଭ କରିବାକୁ ଇଚ୍ଛାବ୍ୟକ୍ତ କରିଥିଲେ । ତେବେ ଏଥିଲାଗି ଅର୍ଥ ଥିଲା ପ୍ରମୁଖ ପ୍ରତିବନ୍ଧକ । ସେ ସମୟରେ କଲିକତାରେ ଅନୁଷ୍ଠିତ ହେଉଥିବା ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ବିବାହ ଭୋଜି ବେଳେ ଡାକ୍ତର କର ସ୍ୱାଗତ ତୋରଣ ନିକଟରେ ଛିଡାହୋଇ ମେଡିକାଲ କଲେଜ ଗଠନପାଇଁ ତାଙ୍କ ଇଚ୍ଛା ବ୍ୟକ୍ତ କରିବା ସହ ପ୍ରଚାରପତ୍ର ବାଣ୍ଟୁଥିଲେ । ଏହି ମାଧ୍ୟମରେ କିଛି ବ୍ୟକ୍ତି ମେଡିକାଲ କଲେଜ ପାଇଁ ତାଙ୍କୁ ସହାୟତାର ହାର ବଢାଇଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେ ତାଙ୍କ କିଛି ବନ୍ଧୁ ଡାକ୍ତର ଏଠାରେ ବିନା ପାରିଶ୍ରମିକରେ କିମ୍ବା ସ୍ୱଳ୍ପ ପାରିଶ୍ରମିକରେ କାମ ଆରମ୍ଭ କରିଥିଲେ ।

୧୮୮୬ ଅକ୍ଟୋବର ୧୮ତାରିଖରେ ଡାକ୍ତର ରାଧା ଗୋବିନ୍ଦ କରଙ୍କ ଉଦ୍ୟମ କ୍ରମେ କଲିକତା ସ୍କୁଲ ଅଫ୍‍ ମେଡିସିନ୍‍ ଆରମ୍ଭ ହୋଇଥିଲା ଏବଂ ପରେ ତାହା ଏସିଆର ପ୍ରଥମ ବେସରକାରୀ ମେଡିକାଲ କଲେଜ ଭାବେ ମୁଣ୍ଡ ଟେକିଥିଲା । ସେତେବେଳେ ଏହାର ନାମ କାଲକାଟା ମେଡିକାଲ ସ୍କୁଲ କରାଯାଇଥିଲା । ୧୯୧୬ ମସିହାରେ ଏହି ଡାକ୍ତରୀ ଶିକ୍ଷାନୁଷ୍ଠାନର ନାମ ବେଲଗାଛିଆ ମେଡିକାଲ କଲେଜ ହୋଇଥିଲା । ୧୯୧୮ ମସିହାରେ ଡାକ୍ତର ରାଧା ଗୋବିନ୍ଦ କରଙ୍କ ଦେହାନ୍ତ ପରେ ଏହି ଶିକ୍ଷାନୁଷ୍ଠାନର ନାମ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ଏହି ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତର କରଙ୍କ ଜୀବଦଶାରେ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଭଳି ଲବ୍ଧ ପ୍ରତିଷ୍ଠିତ ଚିକିତ୍ସକ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ଡାକ୍ତର ରାୟ ସ୍ୱାଧୀନତା ସଂଗ୍ରାମରେ ଝାସଦେବା ସହ ଉଭୟ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଘନିଷ୍ଠ ସହକର୍ମୀଭାବେ କାର୍ଯ୍ୟ କରିଥିଲେ । ଡାକ୍ତର ରାୟ କିଛି ବର୍ଷପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ଆର ଜି କର ମେଡିକାଲ କଲେଜ ହସ୍ପିଟାଲ ସହିତ ଏଭଳି ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଅତୀତରେ ସମ୍ପର୍କ ଥିଲା । (ତଥ୍ୟ)