ଭୁବନେଶ୍ୱର : ଆର୍ୟୁବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ୍ କାଉନ୍ସିଲ୍ ଫର ରିସର୍ଚ୍ଚ ଇନ୍ ଆର୍ୟୁବେଦିକ ସାଇନ୍ସେସ୍ (ସିସିଆର୍ଏଏସ୍) ଅଧିନସ୍ଥ ସେଂଟ୍ରାଲ ଆର୍ୟୁବେଦ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଅର୍ଥାତ୍ କେନ୍ଦ୍ରୀୟ ଆର୍ୟୁବେଦ ଗବେଷଣା ଅନୁଷ୍ଠାନ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।
ସିସିଆର୍ଏଏସ୍ ହେଉଛି ଆୟୁଷ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ୱଂୟଚାଳିତ ଅନୁଷ୍ଠାନ ଯାହାକି ଭାରତରେ ଆର୍ୟୁବେଦ ବିଜ୍ଞାନର ଗବେଷଣା, ପରିଚାଳନା, ଗଠନ ଓ ପ୍ରୋତ୍ସାହନର କାର୍ଯ୍ୟ କରିଥାଏ ।
ଏହି ବୁଝାମଣା ଅନୁଯାୟୀ ଆର୍ୟୁବେଦ ତୈଳ ପ୍ରସ୍ତୁତି ନେଇ ସୋଆ ଏବଂ ସିଆରଆଇ ଦୁଇ ବର୍ଷ ଧରି ଏକତ୍ରିତ ଭାବେ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିରଚରିତ ତୈଳକୁ ଅତ୍ୟାଧୁନିକ ତୈଳରେ ପରିବର୍ତନ କରି ରୋଗୀଙ୍କ ସେବାରେ ନିୟୋଜିତ କରିବା ।
ଏହି ପ୍ରକଳ୍ପଟିକୁ ସିସିଆରଏଏସ-ସିଏଆରଆଇ ଅନୁଦାନ ପ୍ରଦାନ କରିଥିବା ବେଳେ ଗବେଷଣା କାର୍ଯ୍ୟଗୁଡ଼ିକ ସୋଆର ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ପ୍ରଫେସର ଅନିନ୍ଦ୍ୟ ବୋଷ, ସିସିଆରଏଏସ୍-ସିଏଆରଆଇର ରିସର୍ଚ୍ଚ ଅଫିସର (ଆର୍ୟୁବେଦ) ଡକ୍ଟର ପୁର୍ଣ୍ଣେନ୍ଦୁ ପଟ୍ଟନାୟକ, ପ୍ରିନ୍ସିପାଲ୍ ଆଡଭାଇଜର ଏବଂ ଏସ୍ପିଏସ୍ ଡକ୍ଟର ଶକ୍ତିକେତନ ପୃଷ୍ଟି କୋପ୍ରିନ୍ସିପାଲ୍ ଇନ୍ଭେଷ୍ଟିଗେସନ୍ ଭାବେ ନେତୃତ୍ୱ ନେବେ ।
ବୁଝାମଣା ସମୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ସିସିଆରଏଏସ୍-ସିଏଆରଆଇର ନିର୍ଦ୍ଦେଶକ ଡକ୍ଟର ଏମ.ଏମ୍ ରାଓଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଡକ୍ଟର ରାଓଙ୍କୁ ସିସିଆରଏଏସ୍ ପକ୍ଷରୁ ପ୍ରୋଜେକ୍ଟ କୋଅର୍ଡିନେଟର ଭାବେ କାର୍ଯ୍ୟଭାର ପ୍ରଦାନ କରାଯାଇଛି ।

