Home News in Odia ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନକୁ ଗୁରୁତ୍ୱ

ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନକୁ ଗୁରୁତ୍ୱ

କୋଣାର୍କ : ଓଡିଶା ରାଜ୍ୟର ପର୍ଯ୍ୟଟନ ଅଧିକାରୀମାନଙ୍କ ପାଇଁ ଇକୋ ରିଟ୍ରିଟ୍‍ କୋଣାର୍କଠାରେ ପୁନର୍ଜୀବନ ଏବଂ ସମସାମୟିକ ପର୍ଯ୍ୟଟନ ଦୃଶ୍ୟ ଉପରେ ଏକ କର୍ମଶାଳା ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ୍ ଟ୍ରାଭେଲ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ସହିତ ମିଳିତ ସହଯୋଗରେ ଏହା ସମ୍ପନ୍ନ ହୋଇଥିଲା ।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି ନିଜ ବକ୍ତବ୍ୟରେ ଓଡ଼ିଶାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସ୍ଥିରତା ଏବଂ ଉତ୍ତମ ଶାସନ ବ୍ୟବସ୍ଥା ଯାହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଏକ ବଡ ପ୍ରଭାବ ପକାଇବା ସହିତ ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟନର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ପର୍ଯ୍ୟଟନ ତଥା ଆତିଥ୍ୟ ଭିତ୍ତିଭୂମି ବିକାଶ କରି ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟଙ୍କ ତାଲିମ ଏବଂ ଦକ୍ଷତା ବିକାଶ ସହିତ ପର୍ଯ୍ୟଟନର ଲାଭକୁ ଓଡିଶାରେ ନିବେସ ପାଇଁ ମତପୋଷଣ କରିଥିଲେ । ଏହି କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ପର୍ଯ୍ୟଟନ ତଥା ଆତିଥ୍ୟର ସମସ୍ତ ଦିଗକୁ ସଂରକ୍ଷଣ, ଶକ୍ତି ଏବଂ ପ୍ରୋତ୍ସାହିତ କରିବା ତଥା ଏହାକୁ ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ସୂଚାଇଥିଲେ ।

ଚଳିତ ବର୍ଷ ବଜେଟରେ ଅଧିକ ପାଣ୍ଠି ଆବଣ୍ଟନ ସହିତ ପର୍ଯ୍ୟଟନକୁ ଏକ ପ୍ରାଥମିକ କ୍ଷେତ୍ର ରୂପେ ରାଜ୍ୟ ସରକାର କରିଥିବା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ରାଜ୍ୟରେ ହିରାକୁଦ, ସାତକୋଶିଆ, ଭିତରକନିକା, କୋରାପୁଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକ ଉନ୍ନତିକରଣ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ ।

ପର୍ଯ୍ୟଟନ ଅଧିକାରୀମାନଙ୍କୁ ସେମାନେ ନିଜ ନିଜ ଜିଲ୍ଲାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଅନୁରୋଧ କରି ପୁନରୁଦ୍ଧାର କାର୍ଯ୍ୟରେ ପର୍ଯ୍ୟଟନ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପର୍ଯ୍ୟଟନ, କ୍ରୀଡା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଥିଲେ । ବେସରକାରୀ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ ସେମାନେ ସୁବିଧାକାରୀ ଭାବରେ କାର୍ଯ୍ୟ କରିବା ଏବଂ ରାଜ୍ୟରେ ବ୍ୟବସାୟ କରିବାରେ ସହଜତା ଆଣିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ସୂଚାଇଥିଲେ ।

ଏହା କେବଳ ନୂତନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ନିର୍ମାଣକୁ ତ୍ୱରାନ୍ୱିତ କରିବ ନାହିଁ ବରଂ ଆର୍ôଥକ ବିକାଶରେ ମଧ୍ୟ ସହାୟକ ହେବ । ହୋମଷ୍ଟେଏ, କାରଭାନ୍ ପର୍ଯ୍ୟଟନ, ହାଉସବୋଟ ଏବଂ କ୍ରୁଜ୍ ପରି ଅଭିଜ୍ଞ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କରିବାକୁ ପର୍ଯ୍ୟଟନ ବିଭାଗ ଯୋଜନା ପ୍ରସ୍ତୁତ କରୁଅଛି ବୋଲି ସେ ଜଣାଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତିତ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଗାମୀ ବର୍ଷରେ ବିଭାଗର ଦୃଷ୍ଟିକୋଣକୁ ବର୍ଣ୍ଣନା କରିଥିଲେ ।

ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଏକ ଶିଳ୍ପ ଭାବରେ ଦେଖିବା ଉପରେ ଗୁରୁତ୍ୱାରୋପ କରି ସାମାଜିକ, ଅର୍ଥନୈତିକ ଏବଂ ସମ୍ପ୍ରଦାୟର ବିକାଶରେ ଅବଦାନ ରହିଛି ବୋଲି ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।

ପର୍ଯ୍ୟଟନ ଅଧିକାରୀମାନେ ପର୍ଯ୍ୟଟନ ସମ୍ଭାବନା ଥିବା ଗନ୍ତବ୍ୟସ୍ଥଳକୁ ଚିହ୍ନଟ କରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଉଚିତ ଏବଂ କ୍ଷେତ୍ରର ବିକାଶ ପାଇଁ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଅନ୍ୟ ସରକାରୀ ବିଭାଗ ସହ ସମ୍ପର୍କ ସ୍ଥାପନ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପର୍ଯ୍ୟଟନ ଅଧିକାରୀମାନେ ନିଜ ନିଜ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ଏବଂ ନିବେଶକଙ୍କ ପାଇଁ ସୂଚନାର ଏକ ୱିଣ୍ଡୋ ବୋଲି କହିଥିଲେ । ସେ ବିଚାର ବିମର୍ଶ କରି କହିଛନ୍ତି ଯେ ପର୍ଯ୍ୟଟନ ଅଧିକାରୀମାନେ ବିଭିନ୍ନ ପର୍ଯ୍ୟଟନ ଉପାଦାନ ଏବଂ ସମ୍ପତ୍ତି ବିଷୟରେ ସେମାନଙ୍କ ଜ୍ଞାନ ବଢାଇବା ଆବଶ୍ୟକ ଯାହା ସେମାନଙ୍କ ଜିଲ୍ଲା ତଥା ସମୁଦାୟ ଓଡିଶା ପର୍ଯ୍ୟଟନକୁ ସୁଦୁର ପ୍ରସାରୀ କରିପାରିବ । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶୀକା ଶ୍ରୀମତୀ ମଞ୍ଜୁଲତା ଦଲାଇ କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ପର୍ଯ୍ୟଟନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।