ଭୁବନେଶ୍ୱର : ଆର୍ଥିକ ଅପରାଧ ମାମଲାଗୁଡିକର ବିଚାର ପ୍ରକ୍ରିୟା ବିଳମ୍ବ ହେବା ସଂଗେ ସଂଗେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ଆର୍ଥିକ ଠକେଇର ଶିକାର ହେଉଥିବା ଲୋକମାନେ ନ୍ୟାୟ ପାଇବାରୁ ଏକପ୍ରକାର ବଞ୍ଚିତ ହେଉଛନ୍ତି ।
ଓଡିଶାରେ ଏ କିସମର ମାମଲାରେ ଦଣ୍ଡବିଧାନ ହାର ମାତ୍ର ୩.୨ ପ୍ରତିଶତ ରହୁଥିବାବେଳେ ମୋଟ୍ ମାମଲାର ମାତ୍ର ଦଶମିକ ୫ ପ୍ରତିଶତ ବର୍ଷରେ ଫଏସଲା ହେଉଛି । ଜାତୀୟ ସ୍ତରରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ପାଖାପାଖି ୩୦ ପ୍ରତିଶତ ରହୁଥିବାବେଳେ ଓଡିଶାରେ ଯେ କାହିଁକି ଏହା ୩.୨ ପ୍ରତିଶତରେ ସୀମିତ ରହୁଛି ସେ ସଂକ୍ରାନ୍ତରେ କାହା ପାଖରେ କିଛି ଉତ୍ତର ନାହିଁ ।
ତେବେ ଏନସିଆରବିର ସର୍ବଶେଷ ରିପୋର୍ଟ ମୁତାବକ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ କ୍ଷେତ୍ରରେ ଗୁଜୁରାଟ ଓ ଆସାମ ଭଳି ରାଜ୍ୟ ଓଡିଶା ଠୁ ପଛରେ ଅଛନ୍ତି । ଗୁଜୁରାଟରେ ଏହି କିସମର ମାମଲାରେ ଦଣ୍ଡବିଧାନ ହାର ୧.୬ ପ୍ରତିଶତ ଥିବାବେଳେ ଆସାମରେ ଏହା ୧.୨ ପ୍ରତିଶତ ଥିବା ଏନସିଆରବି ରିପୋର୍ଟରୁ ଜଣାପଡିଛି । ଅର୍ଥାତ୍ ଦଣ୍ଡବିଧାନ କ୍ଷେତ୍ରରେ ଓଡିଶା ତଳଆଡୁ ତୃତୀୟ ସ୍ଥାନରେ ରହିଛି । ଲଦାଖ ଓ ମଣିପୁରରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୭୫ ପ୍ରତିଶତ ଥିବାବେଳେ ମିଜୋରାମରେ ୮୮, ନାଗାଲାଣ୍ଡରେ ୬୯, ଉତ୍ତରପ୍ରଦେଶରେ ୬୧, ଉତ୍ତରାଖଣ୍ଡରେ ୫୬, ଦିଲ୍ଲୀରେ ୫୩ ପ୍ରତିଶତ ରହିଛି ।
ଏନସିଆରବି ରିପୋର୍ଟ ମୁତାବକ ୨୦୨୧ ଶେଷ ସୁଦ୍ଧା ସମଗ୍ର ଦେଶରେ ୬,୭୮,୯୩୦ଟି ଆର୍ଥିକ ଅପରାଧ ମାମଲା ବିଚାରାଧିନ ଥିଲା । ଏବେ ଏହି ସଂଖ୍ୟା ପ୍ରାୟ ୭ଲକ୍ଷରେ ପହଞ୍ଚିଥିବ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟର ତଥ୍ୟ ମୁତାବକ ୨୦୨୧ରେ ଓଡିଶାରେ ୨୫,୬୬୪ଟି ଆର୍ଥିକ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏଥିରୁ ବର୍ଷକରେ ମାତ୍ର ୧୩୨ଟି ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ମାତ୍ର ୪ଟିରେ ଦଣ୍ଡବିଧାନ ହୋଇଛି ଏବଂ ୧୨୧ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ।
ଅର୍ଥନୀତି ଓ ଆଇନ୍ ବିଶାରଦମାନେ କହୁଛନ୍ତି ଯେ ଆର୍ଥିକ ଠକେଇରେ ଲିପ୍ତ ବ୍ୟକ୍ତି ଓ ସଂସ୍ଥାମାନେ ପ୍ରଚୁର କଳାଟଙ୍କାର ଅଧିକାରୀ ହୋଇଥିବାରୁ ସେମାନେ ବିଭିନ୍ନ ସ୍ତରରେ ପ୍ରଭାବିତ କରି ମାମଲାକୁ ଦୁର୍ବଳ କରିବାରେ ସକ୍ଷମ ହେଉଛନ୍ତି । ସଂଖ୍ୟାଧିକ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲ ବିଳମ୍ବ ହେଉଥିବାବେଳେ ତଦନ୍ତ ଓ ମାମଲା ପରିଚାଳନାରେ ବ୍ୟାପକ ତ୍ରୁଟିବିଚ୍ୟୁତି ସହିତ ସମନ୍ୱୟ ରହୁନଥିବାରୁ ଦଣ୍ଡବିଧାନ ହାର ଓଡିଶାରେ ଢେର କମ୍ ରହୁଛି ।
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଟ୍ଫଣ୍ଡର କେତେକ ମାମଲାରେ ତଦନ୍ତ ଦାୟିତ୍ୱ ପ୍ରାୟ ୧୨ବର୍ଷ ତଳେ ସିବିଆଇକୁ ଦିଆଯାଇଥିଲା । ଏଯାବତ୍ ଏହି ଠକେଇର ଶିକାର ହୋଇଥିବା ସଂଖ୍ୟାଧିକ ଲୋକ ଟଙ୍କା ଫେରସ୍ତ ପାଉନାହାନ୍ତି । ତେଣେ ଅଧିକାଂଶ ମାମଲା ଗଡି ଗଡି ଚାଲୁଛି । ସେହିପରି ରିୟଲ ଇଷ୍ଟେଟ ଓ ବିଲ୍ଡରମାନଙ୍କ ମାଧ୍ୟମରେ ଜମି ଓ ଘର ପାଇଁ କଷ୍ଟାର୍ଜିତ ଟଙ୍କା ଖଟାଇଥିବା ଅନେକ ଲୋକ ଠିକାମୀର ଶିକାର ହେଉଛନ୍ତି ।
ଏ ସଂକ୍ରାନ୍ତରେ ବି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହେଉଛି । ଘର ଓ ଜମି ପାଇଁ ହଜାର ହଜାର ଜମାକାରୀ ଟଙ୍କା ଦେଇ ବର୍ଷ ବର୍ଷ ଧରି ନିରାଶ ହେଉଥିଲେ ମଧ୍ୟ ସେମାନଙ୍କୁ ଠକିଥିବା ବ୍ୟକ୍ତି ଓ ସଂସ୍ଥାମାନେ କିନ୍ତୁ ବେଧଡକ ଭାବେ ସେମାନଙ୍କ ଠକେଇ ବେପାର ବଢାଇ ଚାଲୁଥିବା ଅଭିଯୋଗ ହେଉଛି । ସାଇବର ଠକେଇ କ୍ଷେତ୍ରରେ ଦଣ୍ଡବିଧାନ ହାର ଓଡିଶାରେ ଶୂନ ରହିଛି । (ତଥ୍ୟ)