Home Agriculture ଆରମ୍ଭ ହେବ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ

ଆରମ୍ଭ ହେବ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିପର୍ଯ୍ୟୟ ନିରୋଧି ଓ ପରିବେଶ ଅନୁକୂଳ କୃଷି ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଓଡ଼ିଶା ସରକାର ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆନ୍ଧ୍ର ପ୍ରଦେଶର ରାୟଥୁ ସ୍ୱାଧୀକାର ସଂସ୍ଥା, (ଆର.ୱାଇ.ଏସ୍.ଏସ୍.) ଏବଂ  ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଧପ୍ରଦେଶ  ସରକାରଙ୍କ କୃଷି ଓ ସମବାୟ  ପରାମର୍ଶଦାତା  ତଥା ଆର.ଓ୍ସାଇ.ଏସ୍.ଏସ୍. ର କାର୍ଯ୍ୟନିର୍ବାହୀ ଉପ ସଭାପତି  ଶ୍ରୀ ଟି. ବିଜୟ କୁମାର, ଓଡ଼ିଶା ସରକାରଙ୍କ  ଅନୁସୂଚିତ ଜାତି, ଜନଜାତି ଓ ସଂଙ୍ଖ୍ୟାଲଘୁ ସମୁଦାୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀମତୀ ରଂଜନା ଚୋପ୍ରା, ମିଶନ ଶକ୍ତି ବିଭାଗ  ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତୀକେୟାନ୍ ଚୁକ୍ତିପତ୍ରରେ ସ୍ୱାକ୍ଷର  କରିଥିଲେ ।

ନିରାପଦ ଓ ପୃଷ୍ଟି ସଂପନ୍ନ କୃଷି ପଦାର୍ଥ  ଉତ୍ପାଦନ ଉପରେ ଗୁରୁତ୍ୱ ଆରୋପକରି  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର କହିଥିଲେ  ଆଧୂନିକ ପ୍ରଣାଳୀରେ  ପ୍ରାକୃତିକ ଚାଷ  ଉଭୟ ବର୍ତ୍ତମାନ  ଓ ଭବିଷ୍ୟତ  ପିଢ଼ୀଙ୍କ ପାଇଁ  ଏକାନ୍ତ ଆବଶ୍ୟକ ।  ଏହି ପଦ୍ଧତିରେ  କୃଷିକୁ ନିରନ୍ତର  ଏବଂ ବିପର୍ଯ୍ୟୟ  ନିରୋଧି କରାଯାଇପାରିବ ।  ପ୍ରାକୃତିକ ଚାଷ  କାର୍ଯ୍ୟକ୍ରମକୁ  ଫଳପ୍ରସୁ  କରିବା ନିମନ୍ତେ  ସଂପୃକ୍ତ  ବିଭାଗମାନେ  କ୍ଷେତ୍ରସ୍ତରରେ  ପୂର୍ଣ୍ଣ ସମନ୍ୱୟ ଏବଂ ଏକାଭିମୂଖଭାବେ  ଲଗାତର ପ୍ରଚେଷ୍ଟା କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । 

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା  କହିଥିଲେ ଯେ ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ  ଓଡ଼ିଶାରେ  ପ୍ରଚଳିତ  କୃଷି ଉତ୍ପାଦନ  ସ୍ଥିତିକୁ ରୂପାନ୍ତରିତ  କରିବ ।  କ୍ରମବର୍ଦ୍ଧିଷ୍ଣୁ ସ୍ୱାସ୍ଥ୍ୟ ସଚେତନତା   ଯୋଗୁ ଜୈବିକ  ପଦ୍ଧତିରେ  ଉତ୍ପାଦିତ ଖାଦ୍ୟ  ଦ୍ରବ୍ୟର ଚାହିଦା  ବଢ଼ୁଥିବାରୁ  ଏହି ଚାଷ ମଧ୍ୟ କୃଷିରୁ  ଆୟ  ବୃଦ୍ଧି କରିବ ।

ଚୁକ୍ତିନାମା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ  ପ୍ରମୁଖ ଶାସନ ସଚିବ  ଶ୍ରୀମତୀ ଚୋପ୍ରା କହିଥିଲେ ଯେ ପ୍ରଥମ  ପର୍ଯ୍ୟାୟରେ  ଏହି କାର୍ଯ୍ୟକ୍ରମକୁ  ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା ଓ କୋରାପୁଟ ଆଦି ୫ ଟି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ  ଆରମ୍ଭ କରାଯିବ ।  ସମୁଦାୟ କାର୍ଯ୍ୟକ୍ରମକୁ  ୧୩,୫୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ  ମାଧ୍ୟମରେ  କାର୍ଯ୍ୟକାରୀ କରାଯିବ ।  ପ୍ରାୟ  ୩.୧୫ ହେକ୍ଟର ଚାଷ ଜମିରେ  ପ୍ରାକୃତିକ ପ୍ରଣାଳୀ ଚାଷ  କରାହେବ ।

ଶ୍ରୀମତୀ ଚୋପ୍ରା  ଆହୁରି ମଧ୍ୟ  ଜଣାଇଥିଲେ ଯେ  କାର୍ଯ୍ୟକ୍ରମକୁ  କ୍ଲଷ୍ଟର ମୋଡ୍ରେ କରାଯିବ ।  ପ୍ରାୟ ୫୦ ଟି  ଲେଖାଏଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗୋଟିଏ ଗୋଟିଏ କ୍ଲଷ୍ଟର ଗଠନ  କରାଯିବ । ୨୦୨୨-୨୩ ଆର୍ଥିକ  ବର୍ଷରୁ କାର୍ଯ୍ୟକ୍ରମର  ବାସ୍ତବ  କ୍ଷେତ୍ରାନ୍ୱୟନ କରାଯିବ ।  ଆସନ୍ତା ୫ ବର୍ଷ ମଧ୍ୟରେ  ଏହି ପ୍ରାକୃତିକ  ଚାଷ କାର୍ଯ୍ୟକ୍ରମରେ ପ୍ରାୟ ୩୧୧.୯୩ କୋଟି ଟଙ୍କା ବିନିଯୋଗ କରାଯିବ ।

ମିଶନ ଶକ୍ତି ବିଭାଗ  ଶାସନ ସଚିବ ଶ୍ରୀମତୀ କାର୍ତ୍ତିକେୟାନ୍ କହିଥିଲେ ଯେ ଆଦିବାସୀ ଅଧ୍ୟୁଷିତ  ଅଂଚଳରେ ମହିଳାମାନେ କୃଷି କାର୍ଯ୍ୟ  ସହ ପୂର୍ଣ୍ଣ  ସଂପୃକ୍ତ ।  ଏହି ପ୍ରାକୃତିକ ଚାଷ  କାର୍ଯ୍ୟକ୍ରମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ  ବେଶ ଆଦୃତ ହେବ ।  ନିଜ ପରିବାର ତଥା  ସମାଜ ପାଇଁ  ନିରାପଦ ଖାଦ୍ୟ  ଉତ୍ପାଦନ  କାର୍ଯ୍ୟରେ  ମହିଳାମାନେ ଆଗ୍ରହରେ   ସାମିଲ ହେବେ ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିର୍ଦ୍ଦେଶକ  ଶ୍ରୀମତୀ ଗୁହା ପୁନମ୍ ଟି.କୁମାର କହିଥିଲେ ଯେ  ଏହି କାର୍ଯ୍ୟକ୍ରମ ବାବଦରେ  ମହିଳା ସ୍ୱୟଂ  ସହାୟକ ଗୋଷ୍ଠୀ  ସଦସ୍ୟମାନଙ୍କୁ ତାଲିମ ଦିଆଯିବ ।  ସେମାନେ ‘ରିସୋର୍ସ ପର୍ସନ’ ଭାବେ  କାର୍ଯ୍ୟକରିବେ ।  ଏହି ଗୋଷ୍ଠୀମାନଙ୍କୁ ଶସ୍ୟ ବିବିଧତା, ପ୍ରାଥମିକ ପର୍ଯ୍ୟାୟ ଜୈବ-ସାର ପ୍ରସ୍ତୁତି, କୃଷି ପଦ୍ଧତି,  ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ  ଭିତ୍ତିଭୂମି ତିଆରି  ଆଦି ପାଇଁ  ସହାୟତା ଦିଆଯିବ । ଏହା ଛଡା ‘ପୋଷଣ ବଗିଚା’ ପ୍ରସ୍ତୁତ ନିମନ୍ତେ ସମସ୍ତ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ  ମଧ୍ୟ  ସହଯୋଗ ଯୋଗାଇଦିଆଯିବ ।

ମିଶନ ଶକ୍ତି ଏବଂ ଓଡ଼ିଶା ଜନଜାତି ଉନ୍ନୟନ ସମାଜର ବରିଷ୍ଠ ଅଧିକାରୀମାନଙ୍କ ସମେତ  ସଂପୃକ୍ତ ଜିଲ୍ଲାର ଆଇ.ଟି.ଡ଼ି.ଏ.ର  ପ୍ରକଳ୍ପ  ଅଧିକାରୀମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ ।