ଭୁବନେଶ୍ୱର : ଆସନ୍ତା ଶିବରାତ୍ରୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଜାଗର ଯାତ୍ରା ପୂର୍ବରୁ ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି ଧାମରେ ବସାଯିବ ୩୫ଫୁଟ ଉଚ୍ଚର ଏକ ବିରାଟ ଶିବମୂର୍ତ୍ତି । ଏହି ମୂର୍ତ୍ତି ନିର୍ମାଣ କାମ ଏବେ କଟକରେ ଜୋରସୋରରେ ଆଗେଇ ଚାଲିଛି ।
କାଠଗଡା ସାହିର ଶିଳ୍ପରେଖା ସ୍ଥାପତ୍ୟ ଅନୁଷ୍ଠାନ ପରିସରରେ ବିଶିଷ୍ଟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ତତ୍ୱାବଧାନରେ ରାଜ୍ୟ ସରକାରଙ୍କ ଆରଆଣ୍ଡବି ପକ୍ଷରୁ ଶିବ ବାବାଙ୍କ ସୁଦୀର୍ଘ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ଆଖଣ୍ଡଳମଣି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନବୀକରଣ ଲାଗି ରାଜ୍ୟ ସରକାର ୫-ଟି ଆଧାରରେ ଯେଉଁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ସେଥିରେ ଏହି ବିଶାଳ ମୂର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି ।
ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବାହାରେ ଏକ ଖୋଲା ସ୍ଥାନରୋ ୩୫ଫୁଟ ଉଚ୍ଚର ଧ୍ୟାନମୁଦ୍ରାରେ ଥିବା ମହାଦେବଙ୍କ ମୂର୍ତ୍ତି ସ୍ଥାପିତ ହେବ । ଏଥିଲାଗି ଉଭୟ ଆରଡି ଓ କଟକରେ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କଟକ କାଠଗଡା ସାହିରେ ଏଥିପାଇଁ ଏବେ ୩୫ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି ମାଟିରେ ତିଆରି ହୋଇଛି ଏବଂ ଅଭିଜ୍ଞ ଶିଳ୍ପୀମାନେ ଏଥିରେ ଶେଷ ସ୍ପର୍ଶ ଦେଉଛନ୍ତି ।
୩୫ଫୁଟ ଉଚ୍ଚର ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୨୦ଫୁଟି ଚଉଡାର ବାଉଁଶ ଭାରା ଚାରିପଟେ ଲଗାଯାଇଛି ଏବଂ ତାହା ଉପରେ ଚଢି ଶିଳ୍ପୀମାନେ ଦିନ ରାତି କାମ କରୁଛନ୍ତି । ମାଟିମୂର୍ତ୍ତି ଚୂଡାନ୍ତ ହେବାପରେ ତାହା ଉପରେ ଫାଇବର ପ୍ରଲେପ ଦିଆଯିବ । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ କଟକରେ ଏହା ଚୂଡାନ୍ତ ରୂପରେଖ ନେବାପରେ ନିର୍ମିତ ମୂର୍ତ୍ତିଟିକୁ ଖଣ୍ଡ ଖଣ୍ଡ କରି କଟାଯାଇ ଆରଡି ନିଆହେବ ଏବଂ ସେଠାରେ ତାହାକୁ ପୁର୍ନବାର ଯୋଡାଯାଇ ଶେଷ କାର୍ଯ୍ୟ ହେବ ।
ଭଗବାନ ଶିବଙ୍କର ଏହି ପ୍ରତିମୂର୍ତ୍ତି ନିର୍ମାଣର ତଦାରଖ ରାଜ୍ୟ ସରକାରଙ୍କ ଆର ଆଣ୍ଡ ବି ସଂସ୍ଥା ସହିତ ଆଉ କେତେକ ଖ୍ୟାତନାମା ସ୍ଥପତି ମଧ୍ୟ କରୁଛନ୍ତି ଏବଂ ଭୁବନେଶ୍ୱରର ଏକ ସଂସ୍ଥା ଏହାର ଦାୟିତ୍ୱ ବି ନେଇଛି । ଶିବ ଭଗବାନଙ୍କର ଏହି ପ୍ରତିମୂର୍ତ୍ତିଟି ଆରଡି ଧାମରେ ଏକ ସୁଉଚ୍ଚ ମଣ୍ଡପ ଉପରେ ସ୍ଥାପନ କରାଯିବ । ମୋଟାମୋଟି ଭାବେ ମଣ୍ଡପକୁ ମିଶାଇ ମୂର୍ତ୍ତିର ଉଚ୍ଚତା ପାଖପାଖି ୬୦ଫୁଟ ରହିବ ଏବଂ ଆରଡିର ଚାରି ପାଞ୍ଚ କିଲୋମିଟର ଦୂରକୁ ଏହା ଦୃଶ୍ୟମାନ ହେବ ।
ଏବେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଭିତର ଓ ବାହାର କାମ ତ୍ୱରାନ୍ୱିତ ହୋଇଛି । ଏମିତିକି ମନ୍ଦିରକୁ ଯିବାପାଇଁ ପ୍ରଶସ୍ତ ପଥର ମଧ୍ୟ ବ୍ୟବସ୍ଥା ହୋଇଛି । ଆସନ୍ତା ମାର୍ଚ୍ଚ ୮ତାରିଖରେ ମହା ଶିବରାତ୍ରୀ ପଡୁଥିବାରୁ ତାହା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ତେବେ ଯେକୌଣସି ସମୟରେ ନିର୍ବାଚନ କମିଶନ ଲୋକସଭା ସହିତ ଓଡିଶା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ଆଦର୍ଶ ଆଚରଣବିଧି ଲାଗୁ କରିବାର ସମ୍ଭାବନା ଥିବାରୁ ଢେର ପୂର୍ବରୁ ଆରଡି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ ବୋଲି କୁହାଯାଉଛି । (ତଥ୍ୟ)