Home News in Odia ଆରଟିଓ ପଦବୀରେ ରହୁଛନ୍ତି ବରିଷ୍ଠ ଅଧିକାରୀ

ଆରଟିଓ ପଦବୀରେ ରହୁଛନ୍ତି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ଦଶଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏବେ ବରିଷ୍ଠ ପରିବହନ ଅଧିକାରୀମାନେ ଭାରପ୍ରାପ୍ତ ଆରଟିଓ ଭାବେ କାର୍ଯ୍ୟ କରୁଛନ୍ତି । ବିଶେଷକରି ରାଜସ୍ୱ ଆଦାୟ କ୍ଷେତ୍ରରେ ଅଗ୍ରଣୀ ଆରଟିଓ ଦପ୍ତରଗୁଡିକରେ ନିୟମିତ ଆଞ୍ଚଳିକ ପରିବହନ ଅଧିକାରୀ ନିଯୁକ୍ତ ନହେବା ଏବେ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।

ରାଜଧାନୀରେ ଥିବା ଏକ ନମ୍ବର ଆଞ୍ଚଳିକ ପରିବହନ ଦପ୍ତରରେ ଏବେ ବିକାଶ ଚନ୍ଦ୍ର ଚୌଧୁରୀ ଭାରପ୍ରାପ୍ତ ଆରଟିଓ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ଚୌଧୁରୀ ଯୁଗ୍ମ ପରିବହନ ଆୟୁକ୍ତ ପଦବୀକୁ ପଦୋନ୍ନତି ପାଇଥିଲେ ମଧ୍ୟ ତଳ ପାହ୍ୟାରେ କାର୍ଯ୍ୟ କରୁଛନ୍ତି । କଟକ ଆରଟିଓ ଦପ୍ତରରେ ମଧ୍ୟ ସମାନ ସ୍ଥିତି । କେନ୍ଦ୍ରାଞ୍ଚଳ ଉପ ପରିବହନ ଆୟୁକ୍ତ ଥିବା ବି.ଏନ୍‍.ଅଧିକାରୀ ଏଠାରେ ଆରଟିଓ ଦାୟିତ୍ୱରେ ରହିଛନ୍ତି । ତାଙ୍କର କାର୍ଯ୍ୟକାଳ ଏଠାରେ ୫ବର୍ଷରୁ ଅଧିକ ହୋଇଗଲାଣି । ପୁରୀ ଆରଟିଓ ଭାବେ ଏମ୍‍ଭିଆଇ ରାଜେଶ କୁମାର ମହାପାତ୍ର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

ସେହିଭଳି ଦକ୍ଷିଣାଞ୍ଚଳ ଉପ ପରିବହନ ଆୟୁକ୍ତ ଗୋପାଳ କୃଷ୍ଣ ଦାସ କେନ୍ଦୁଝର ଆରଟିଓ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ଦାସ ଏଠାରେ ଦୁଇବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଉତ୍ତରାଞ୍ଚଳ ପରିବହନ ଆୟୁକ୍ତ ବିଶ୍ୱରାଜ ବେହେରା ମୟୁରଭଞ୍ଜ ଆରଟିଓ ଦାୟିତ୍ୱରେ ରହିଛନ୍ତି । ସୁନ୍ଦରଗଡରେ ଅତିରିକ୍ତ ଭାବେ ଆରଟିଓ ଦାୟିତ୍ୱ ତୁଲାଉଛନ୍ତି ଅତରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ପର୍ଶୁରାମ ସାହୁ । ଶ୍ରୀ ସାହୁ ଏଥି ସହତ ଏନ୍‍ଫୋର୍ସମେଣ୍ଟ ଦାୟିତ୍ୱରେ ରହିଛନ୍ତି ।

ଭଦ୍ରକରେ ଆରଟିଓ ଦାୟିତ୍ୱକୁ ଅତିରିକ୍ତ ଭାବେ ତୁଲାଉଛନ୍ତି ପୂର୍ବାଞ୍ଚଳ ଉପ ପରିବହନ ଆୟୁକ୍ତ ରାମ ନିବାସ ସିର୍‍କା । ଶ୍ରୀ ସିରକା ଏଠାରେ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଛନ୍ତି । ସେହିଭଳି ଯାଜପୁରରେ ଅତରିକ୍ତ ଭାବେ ଆରଟିଓ ଦାୟିତ୍ୱ ତୁଲାଉଛନ୍ତି ଉପ ପରିବହନ ଆୟୁକ୍ତ ନୀଳକଣ୍ଠ ପ୍ରଧାନ । ଶ୍ରୀ ପ୍ରଧାନ ଟିକସ ଦାୟିତ୍ୱରେ ରହିଛନ୍ତି ।

ପରିବହନ ଅଧିକାରୀମାନେ ପଦୋନ୍ନତି ପାଇଲାପରେ ଉପ ପରିବହନ ଆୟୁକ୍ତ ପଦବୀକୁ ଯାଇଥାନ୍ତି । ଏହାପରେ ଯୁଗ୍ମ ପରିବହନ ଆୟୁକ୍ତ ପଦବୀକୁ ପଦୋନ୍ନତି ମିଳିଥାଏ । ତେବେ ଜଣେ ଜଣେ ଉପ ପରିବହନଙ୍କ ଅଧିନରେ ୪/୫ ଟି ଆରଟିଓ ଦପ୍ତର ଥାଏ ଓ ସେମାନେ ଏହାର ନିରୀକ୍ଷଣ ଦାୟିତ୍ୱରେ ରହିଥାନ୍ତି । ରାଜ୍ୟରେ ଯାନବାହାହନ ସଂଖ୍ୟା ବୃଦ୍ଧି ସହିତ ୩୫ଟି ଆରଟିଓ ଦପ୍ତର ରହିଛି । ତେଣୁ ଜଣେ ଯୁଗ୍ମ ପରିବହନ ଆୟୁକ୍ତଙ୍କ ସହିତ ଏତେ ସଂଖ୍ୟାରେ ଉପପରିବହନ ଆୟୁକ୍ତଙ୍କୁ ଆରଟିଓ ଦାୟିତ୍ୱରେ ଅତିରିକ୍ତ ଭାବେ ରଖାଯିବା ଓ ସେମାନେ ବିନା ଦ୍ୱିଧାରେ ତଳ ପଦବୀରେ କାର୍ଯ୍ୟ କରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ସବୁଠାରୁ ବଡ କଥାଟି ହେଉଛି ଭୁବନେଶ୍ୱର-୧ ଏବଂ କଟକ ଭଳି ଅଧିକ ପରିମାଣରେ ରାଜସ୍ୱ ପ୍ରଦାନ କରୁଥିବା ଆଞ୍ଚଳିକ ପରିବହନ ଦପ୍ତରରେ ବର୍ଷ ବର୍ଷ ଧରି ନିୟମିତ ଆରଟିଓ ନିଯୁକ୍ତ କରାଯାଉ ନାହିଁ । ବରଂ ଯେଉଁମାନଙ୍କ କାନ୍ଧରେ ଏକାଧିକ ଦାୟିତ୍ୱ ରହିଛି ସେମାନଙ୍କୁ ଏହି ପଦବୀରେ ବସାଇ ଦିଆଯାଇଛି । ଆମ ରାଜ୍ୟରେ ପରିବହନ ରାଜସ୍ୱ ଆଦାୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ୨୦୧୯-୨୦ ବର୍ଷରେ ୪୮ କୋଟି ୧୪ଲକ୍ଷ ଟଙ୍କାର ପରିବହନ ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୨୩-୨୪ ମସିହାରେ ତାହା ୮୨ କୋଟି ଟଙ୍କାକୁ ଟପିଯାଇଛି । ଏଭଳି ସ୍ଥିତିରେ ରାଜସ୍ୱ ଆଦାୟର ଉତ୍ସ ଆଞ୍ଚଳିକ ପରିବହନ ଦପ୍ତରଗୁଡିକରେ ନିୟମିତ ଆରଟିଓ ନିଯୁକ୍ତି ନକରିବା ପରିବହନ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । (ତଥ୍ୟ)